ପକେଟ୍ ଉପରେ ପେଟ୍ରୋଲର ମହଙ୍ଗା ମାଡ । ଓଡ଼ିଶାର କାଲିମେଳାରେ ୧୧୩ ଟପିଲା ଦର, ଆହୁରି ବଢିବା ନେଇ ଆଶଙ୍କା ।

143

କନକ ବ୍ୟୁରୋ : ପେଟ୍ରୋଲରେ ଦରରେ ଯେଉଁ ନିଆଁ ଲାଗିଛି ତା କମିବାର ନାଁ ନେଉନି । ପ୍ରତିଦିନ ବଢ଼ି ବଢ଼ି ଚାଲିଛି ତେଲ ଦର । ସର୍ବକାଳୀନ ରେକର୍ଡ ଭାଙ୍ଗି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଦର ୧୦୬ ଟଙ୍କା ଟପି ଯାଇଛି । ମାଲକାନଗିରିରେ ପେଟ୍ରୋଲ ଲିଟର ପିଛା ଦର ୧୧୩ ଟଙ୍କାରୁ ଅଧିକ ରହିଛି । ମାତ୍ର ୧୫ ଦିନରେ ପେଟ୍ରୋଲ ଲିଟର ପିଛା ୪ଟା ୧୫ ପଇସା ବଢ଼ିଥିବାବେଳେ, ଡିଜେଲ ୪ଟଙ୍କା ୭୦ ପିଛା ବଢ଼ିଛି । ତେଲ ଦରରେ ଏମିତି ବୃଦ୍ଧିକୁ ନେଇ ସାଧାରଣରେ ବଢ଼ୁଛି ଅସନ୍ତୋଷ । କିନ୍ତୁ ହାତ ଟେକି ଦେଇଛନ୍ତି ସରକାର ।

ସ୍ଥାନ                      ପେଟ୍ରୋଲ                            ଡିଜେଲ
କାଲିମେଳା         ୧୧୩.୩୯ ପଇସା            ୧୦୯.୫୦ ପଇସା
ଭୁବନେଶ୍ୱର        ୧୦୬.୭୭ ପଇସା            ୧୦୩. ୧୫ ପଇସା
ଦିଲ୍ଲୀ                 ୧୦୫. ୮୪ ପଇସା           ୯୪. ୫୭ ପଇସା
ମୁମ୍ବାଇ              ୧୧୧. ୭୭ ପଇସା           ୧୦୨. ୫୨ ପଇସା

ମାଲକାନଗିରିରୁ ମୁମ୍ବାଇ ଏଭଳି ରହିଛି ଦେଶରେ ପେଟ୍ରୋଲ ଓ ଡିଜେଲ ଦର । ଦେଶର ଅଧିକାଂଶ ସହରରେ ପେଟ୍ରୋଲ ୧୦୦ ଟଙ୍କା ଟପିଥିବା ବେଳେ ଡିଜେଲ ଦର ୧୦୦ ଟଙ୍କା ପାଖାପାଖି ରହିଛି ।

ଅକ୍ଟୋବର ମାସରେ ୩ ଦିନକୁ ଛାଡି ପ୍ରତ୍ୟେକ ଦିନ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି । ଚଳିତ ମାସରେ ବର୍ତମାନ ସୁଦ୍ଧା ପେଟ୍ରୋଲ ୪ଟଙ୍କା ୧୫ ପଇସା ବଢିଥିବା ବେଳେ ଡିଜେଲ ୪ ଟଙ୍କା ୭୦ ପଇସା ବଢିଛି । ତେଲ ଦର ବଢିବାରୁ ଏବେ ବସ ଭଡା ପାଖରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ଦର ମଧ୍ୟ ବଢିଚାଲିଛି ।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବଢିବା ଯୋଗୁଁ ଏପରି ସ୍ଥିତି ଉପୁଜିଛି ବୋଲି କୁହାଯାଉଛି । ବର୍ତମାନ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୮୪.୮ ଡଲାର ରହିଥିବା ବେଳେ ୭ ବର୍ଷ ପୂର୍ବେ ଏହାର ଦାମ ୭୩.୫୧ ଡଲାର ଥିଲା । ଭାରତ ଚାହିଦା ପୂରଣ ପାଇଁ ସମ୍ପୂର୍ଣ୍ଣ ଭାବରେ ଅନ୍ତର୍ଜାତୀୟ ବଜାର ଉପରେ ନିର୍ଭର କରୁଛି । ତେଣୁ ଦେଶରେ ତେଲ ଦର ଉପରମୁହାଁ ରହିଛି । ଦର ବୃଦ୍ଧି ଦେଶ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ପେଟ୍ରୋଲିୟମ ମନ୍ତ୍ରୀ କହିଛନ୍ତି ସ୍ଥିତି ଉପରେ ନଜର ରଖାଯାଇଛି ।

ଅନ୍ୟପଟେ ଲିଟର ପିଛା ପେଟ୍ରୋଲ ଦର ତୁଳନାରେ ବିମାନ ତେଲର ଦର ଏବେ ୩୩ ପ୍ରତିଶତ ଅଧିକ ରହିଛି । ଦିଲ୍ଲୀରେ ବିମାନ ତେଲର ଦାମ ଲିଟର ପିଛା ୭୯ ଟଙ୍କା ରହିଥିବା ଏପଟେ ରାଜସ୍ଥାନରେ ସର୍ବାଧିକ ପେଟ୍ରୋଲ ଦର ୧୧୭.୮୬ ପଇସା, ଡିଜେଲ ୧୦୫.୯୫ ପଇସା ରହିଛି ।