ଇତିହାସ ରଚିଲା ତୈଳଦର । ପେଟ୍ରୋଲ ପରେ ଶତକ ଛୁଇଁଲା ଡିଜେଲ । ରାଜସ୍ଥାନରେ ଡିଜେଲ ଦର ଲିଟର ପିଛା ୧୦୦ ଟଙ୍କା

626

କନକ ବ୍ୟୁରୋ : ସାରା ଦେଶରେ ତୈଳଦର ବୃଦ୍ଧିକୁ ନେଇ ବିରୋଧ ପ୍ରଦର୍ଶନ ଚାଲିଥିବା ବେଳେ ଆଜି ପୁଣି ଥରେ ତୈଳ କମ୍ପାନୀମାନେ ଡିଜେଲ ଓ ପେଟ୍ରୋଲର ଦର ବୃଦ୍ଧି କରିଛନ୍ତି । ଆଜି ପେଟ୍ରୋଲ ଲିଟର ପିଛିା ୨୭ ପଇସା ଓ ଡିଜେଲ ୨୩ ପଇସା ବୃଦ୍ଧି କରାଯାଇଛି । ଏଭଳି ବୃଦ୍ଧି ପରେ ପେଟ୍ରାଲ ୯୬.୧୨ ଟଙ୍କା ଓ ଡିଜେଲ ୮୬.୯୮ ଟଙ୍କାକୁ ବୃଦ୍ଧି ପାଇଛି । ହେଲେ ରାଜସ୍ଥାନରେ ଡିଜେଲ ଲିଟର ପିଛା ୧୦୦ ଟଙ୍କାରେ ପହଂଚିଛି ।

ଦେଶର ପ୍ରମୁଖ ସହରରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ଏହି ଭଳି ରହିଛି । ଦିଲ୍ଲୀରେ ପେଟ୍ରୋଲ ୯୬.୧୨ ଓ ଡିଜେଲ ଲିଟର ପିଛା ୮୬.୯୮ ଟଙ୍କା ରହିଛି । କୋଲକତାରେ ପେଟୋଲ ଲିଟର ପିଛା ୯୬.୦୬ ଓ ଡିଜେଲ ୮୯.୮୩ ଟଙ୍କା ରହିଛି । ମୁମ୍ବାଇରେ ପେଟ୍ରୋଲ ୧୦୨.୩୦ ଓ ଡିଜେଲ ଲିଟର ପିଛା ୯୪.୩୯ ଟଙ୍କା ରହିଛି । ସେହିଭଳି ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୯୭.୪୩ ରହିଥିବା ବେଳେ ଡିଜେଲ ୯୧.୬୪ ଟଙ୍କା ରହିଛି । ଜୟପୁର ପେଟ୍ରୋଲ ୧୦୨.୭୩ ଓ ଡିଜେଲ ୯୫.୯୨ ଟଙ୍କା । ଭୋପାଳ ସର୍ବାଧିକ ପେଟ୍ରୋଲ ଲିଟର ପିଛା ୧୦୪.୨୯ ଟଙ୍କା ବିକ୍ରି ହେଉଥିବା ବେଳେ ଡିଜେଲ ୯୫.୬୦ ଟଙ୍କା ରହିଛି । ନୋଏଡାରେ ପେଟ୍ରୋଲ ଲିଟର ପିଛା ୯୩.୪୬ ଟଙ୍କାରେ ବିକ୍ରି ହେଉଥିବା ବେଳେ ଡିଜେଲ ୮୭.୪୬ ଟଙ୍କା ରହିଛି ।

ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର,ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଓ ଲଦାଖରେ ପେଟ୍ରୋଲ ଲିଟର ପିଛା କିଛିଦିନ ହେବ ୧୦୦ ଟଙ୍କା ପାର କରିଥିବା ବେଳେ ଆଜି ରାଜସ୍ଥାନରେ ଡିଜେଲ ବି ଲିଟର ପିଛା ୧୦୦ ଟଙ୍କା ଛୁଇଁଛି । ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲ୍ଲାରେ ପେଟ୍ରୋଲ ୧୦୭ ଟଙ୍କା ରେ ବିକ୍ରି ହେଉଥିବା ବେଳେ ଡିଜେଲ ଲିଟର ପିଛା ୧୦୦.୦୫ ଟଙ୍କା ରହିଛି ।
ଅନ୍ୟପଟେ ଡିଜେଲ ଓ ପେଟ୍ରୋଲର ଏଭଳି ଅହେତୁକ ଦରବୃଦ୍ଧିକୁ ବିରୋଧ କରି ସାରା ଦେଶରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ସେ କହିଛନ୍ତି କି ଯେତେବେଳେ ଦେଶବାସୀ ବିପଦରେ ଅଛନ୍ତି, ଲୋକ ରୋଜଗାର ହରାଇ ଆର୍ଥିକ ସଂକଟ ଭିତରେ ଗତି କରୁଛନ୍ତି ସେତେବେଳେ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଟ୍ୟାକ୍ସ ଲଗାଇ ୨.୫ ଲକ୍ଷ କୋଟି ଟଙ୍କା ରୋଜଗାର କରିଛନ୍ତି ।