ବଜେଟ ବଢ଼ାଇଲା ତେଲ ଦର, ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼। ଭୁବେନଶ୍ୱରରେ ପେଟ୍ରୋଲ ୨ ଟଙ୍କା ୪୩ ପଇସା ଓ ଡିଜେଲ ୨ ଟଙ୍କା ୫୫ ପଇସା ବୃଦ୍ଧି

184

କନକ ବ୍ୟୁରୋ: ବଜେଟ ପରେ ବଢିଲା ତେଲ ଦର । ଚଳିତ ବଜେଟରେ ଏକସାଇଜ ଡ୍ୟୁଟି ବଢିବାରୁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି । ଆନ୍ତର୍ଜାତୀୟ ବଜାରରେ ତେଲ ଦର କମିଥିବା ବେଳେ ଏକସାଇଜ ଡ୍ୟୁଟି ବୃଦ୍ଧି ସାଧାରଣ ଗ୍ରାହକଙ୍କ ପକେଟ ଉପରେ ମାଡ କରିଛି । ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ବଜେଟରେ ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ହେବା ପରେ ବିଜେପିକୁ ସମାଲୋଚନା କରିଛି କଂଗ୍ରେସ । ସେପଟେ ଦର ବୃଦ୍ଧି ସପକ୍ଷରେ ଯୁକ୍ତି ବାଢିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, ଦେଶର ଅର୍ଥ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଏହା ଆବଶ୍ୟକ ।

ବଜେଟ ବଢ଼ାଇଲା ପେଟ୍ରୋଲ ଦର । ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼ । ପ୍ରଥମ ଛାଟ ବସିଛି ପେଟ୍ରୋଲ ଓ ଡିଜେଲ ଉପରେ । ଏକସାଇଜ୍ ଡ୍ୟୁଟି ବଢ଼ିବା ପରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୨ ଟଙ୍କା ୪୩ ପଇସା ବୃଦ୍ଧି ପାଇ ୭୧ ଟଙ୍କା ୯୮ ପଇସା ରେ ପହଞ୍ଚିଛି । ସେହିପରି ଡିଜେଲ ଲିଟର ପିଛା ୨ ଟଙ୍କା ୫୫ ପଇସା ବଢି ୭୧ ଟଙ୍କା ୫୫ ପଇସାରେ ପହଞ୍ଚିଛି । ସମ୍ବଲପୁର ଓ ବ୍ରହ୍ମପୁରରେ ମଧ୍ୟ ପାଖାପାଖି ଅଢ଼େଇ ଟଙ୍କା ବଢ଼ିଛି ପେଟ୍ରୋଲ ଓ ଡିଜେଲ ଦର ।

ଅନ୍ୟପକ୍ଷେ ପେଟ୍ରୋଲ ଦରବୃଦ୍ଧି ନେଇ କଂଗ୍ରେସ ନେତା କଡ଼ା ସମାଲୋଚନା କରିଥିବା ବେଳେ ଏହା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି, ଅନ୍ତରାଷ୍ଟ୍ରୀୟ ବଜାରରେ ତୈଳ ଦର ହ୍ରାସ ପାଉଛି । ତେଣୁ ଦେଶର ଅର୍ଥ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଏହାର ସୁଯୋଗ ନେବା ଉଚିତ । ତେବେ ମୋଦୀଙ୍କ ଦ୍ୱିତୀୟ ପାଳିର ପ୍ରଥମ ବଜେଟ୍ରେ ଲୋକଙ୍କ ପକେଟ୍ ଉପରେ ମାଡ଼ ହୋଇଥିବାରୁ ଗ୍ରାହକଙ୍କ ମନରେ ଅସନ୍ତୋଷ କୁହୁଳିବାରେ ଲାଗିଛି ।