କନକ ବ୍ୟୁରୋ: ଡ୍ରାଇଭର ଆନ୍ଦୋଳନ ଶେଷ ହେଉ ହେଉ ଏବେ ପରିବହନ ଶ୍ରମିକ ସଂଘ ଆନ୍ଦୋଳନକୁ ଓହ୍ଲାଇଛି । ହିଟ୍ ଆଣ୍ଡ ରନ୍ ଆଇନ ପ୍ରତ୍ୟାହାର ଦାବିରେ ସଂଘ ଆରମ୍ଭ କରିଛି କାମ ବନ୍ଦ ଆନ୍ଦୋଳନ । ଲାଗୁହେବାକୁ ଥିବା ଏହି ନୂଆ ଆଇନକୁ ପ୍ରତ୍ୟାହାର ପାଇଁ ଦାବି କରିଛି ସଂଘ ।
ପ୍ରଥମେ ଡ୍ରାଇଭର ଆନ୍ଦୋଳନ ଆଉ ଏବେ ଶ୍ରମିକଙ୍କ କାମ ବନ୍ଦ ପାଇଁ ୩ ଦିନ ହେଲା ପାରାଦୀପରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଠିକ୍ରେ ପେଟ୍ରୋଲ, ଡିଜେଲ ଯୋଗାଣ ହୋଇପାରୁନି । ଫଳରେ ତେଲ ଟାଙ୍କି ଗୁଡ଼ିକରେ ତେଲର ଅଭାବ ଦେଖାଦେଲାଣି । ଲଗାତାର ଦ୍ୱିତୀୟ ଦିନରେ ଗାଡ଼ିରେ ତେଲ ପକାଇବାକୁ ବିଭିନ୍ନ ପେଟ୍ରୋଲ ପମ୍ପରେ ଗହଳି ଲାଗିଛି ।ଏହି ପରିସ୍ଥିତିରେ ଗାଡ଼ିରେ କମ୍ ତେଲ ପକାଇବା ପାଇଁ ପମ୍ପ କର୍ମଚାରୀମାନେ ଅନୁରୋଧ କରିଥିଲେ ବି ଗ୍ରାହକମାନେ ଶୁଣିବା ମୁଡ଼ରେ ନାହାଁନ୍ତି । ଏପଟେ କଟକର ଅନେକ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ଓ ଡିଜେଲ ଶେଷ ହେବା ପରେ ସେମାନେ ‘ନୋ ଫୁଏଲ’ ପୋଷ୍ଟର ଲଗାଇସାରିଲେଣି ।