ସବୁଜ ଶିଳ୍ପ ବିପ୍ଳବକୁ ସଫଳ କରିବାକୁ ସରକାରଙ୍କ ବଡ ନିସ୍ପତ୍ତି । ୨୦୩୦ ରୁ ବନ୍ଦ ହୋଇଯିବ ପେଟ୍ରୋଲ ଓ ଡିଜେଲ କାର ବିକ୍ରି । ଇଲେକ୍ଟ୍ରି କାର୍ କିଣିବାକୁ ସରକାର ଦେବେ ସହାୟତା

1,496

କନକ ବ୍ୟୁରୋ : ୨୦୩୦ ରୁ ନୂଆ ପେଟ୍ରୋଲ ଓ ଡିଜେଲ କାର ବିକ୍ରି ସମ୍ପୁର୍ଣ୍ଣ ବନ୍ଦ ହୋଇଯିବ । ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନ୍ସନ ଏନେଇ ଘୋଷଣା କରିଛନ୍ତି । ସବୁଜ ଶିଳ୍ପ ବିପ୍ଳବର ୧୦ ସୂତ୍ରୀ ଯୋଜନା ଅଧିନରେ ବ୍ରିଟେନ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଧାର୍ଯ୍ୟ ସମୟ ସୀମାର ୧୦ ବର୍ଷ ଆଗରୁ ବ୍ରିଟେନ୍ ସରକାର ଅଗ୍ରସର ହୋଇଛନ୍ତି ।
ସୂଚନା ଯୋଗ୍ୟ ଯେ, ୨୦୩୫ ପର୍ଯ୍ୟନ୍ତ ବ୍ରିଟେନର ହାଇବ୍ରିଡ୍ କାର୍ ବିକ୍ରି ହୋଇପାରିବ । ଏହି ନୂଆ ଯୋଜନା ପାଇଁ ବ୍ରିଟେନ୍ ସରକାର ୧୫.୯ ବିଲିୟନ ଡଲାର ମୂଲ୍ୟର ରାଶି ଆବଣ୍ଟନ କରିବେ । ଏହାସହ ସେଠିକାର ସରକାରଙ୍କ ଏଭଳି ନିସ୍ପତ୍ତି ଦ୍ୱାରା ୨.୫ ଲକ୍ଷ ନିଯୁକ୍ତିକୁ ବଞ୍ଚାଇ ପାରିବେ । ୨୦୫୦ ମଧ୍ୟରେ ଦେଶକୁ କାର୍ବନ ନ୍ୟୁଟ୍ରାଲ ଭାବେ ଗଢି ତୋଳିବାକୁ ବ୍ରିଟେନ ସରକାରଙ୍କ ଏଭଳି ନିସ୍ପତ୍ତି ସହାୟକ ହେବ ବୋଲି କୁହାଯାଇଛି ।
ସବୁଜ ଶିଳ୍ପ ବିପ୍ଳବର ୧୦ ସୂତ୍ରୀ ଯୋଜନା ଅଧିନରେ ୧୦ ବର୍ଷ ମଧ୍ୟରେ ସାମୁଦ୍ରିକ ପବନ ଶକ୍ତି କ୍ଷମତାକୁ ୪ ଗୁଣା ବଢାଇବାକୁ ଲକ୍ଷ୍ୟ ରଖାଯାଇଛି । ସେହିଭଳି କାର୍ବନ କ୍ୟାପଚର୍ ଟେକ୍ନୋଲୋଜିରେ ଲଣ୍ଡନକୁ ଗ୍ରୀନ ଫାଇନାନ୍ସର ଗ୍ଲୋବାଲ ସେଣ୍ଟର ଭାବେ ଗଢି ତୋଳିବାକୁ ପ୍ରୟାସ ଆରମ୍ଭ ହୋଇଛି । ଏହା ବ୍ୟତିତ ସ୍କଟଲ୍ୟାଣ୍ଡର ୱିଣ୍ଡ୍ ଟର୍ବାଇନ, ମିଡ୍ ଲ୍ୟାଣ୍ଡସ୍ ର ଇଲେକ୍ଟ୍ରି କାର୍ ଓ ୱେଲ୍ସର ଭଳି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ପୟୋଗ କରି ସବୁଜ ବିପ୍ଳବକୁ ଆଗେଇ ନେବା ଦିଗରେ ବ୍ରିଟେନ୍ ସରକାର କାମ କରୁଛନ୍ତି । ଏନେଇ ଜିରୋ କିମ୍ବା ଖୁବ୍ କମ ପରିମାଣର ପ୍ରଦୂଷଣ କରୁଥିବା ଯାନ କିଣିବାକୁ ବ୍ରିଟେନ ସରକାର ସେଠାକାର ଲୋକଙ୍କୁ ସବ୍ସିଡ ପ୍ରଦାନ କରିବେ ବୋଲି ଜଣାପଡିଛି । ସେହିଭଳି ଘରେ ହାଇଡ୍ରୋଜେନ ବ୍ୟବହାରକୁ ମଧ୍ୟ ଗୁରୁତ୍ୱ ଦିଆଯିବ । ସୂଚନା ଥାଉକି ଆସନ୍ତା ବର୍ଷ ୟୁକେରେ ସିଓପି-୨୬ ଗ୍ଲୋବାଲ କ୍ଲାଇମେଟ୍ କଂଗ୍ରେସ ଆୟୋଜନ କରାଯିବାକୁ ଯୋଜନା କରାଯାଇଛି ।