କମିବନି ପେଟ୍ରୋଲ ଓ ଡ଼ିଜେଲ ଦର ! ଲିଟର ପିଛା ଉତ୍ପାଦନ ଶୁଳ୍କ ୧ ଟଙ୍କା କମିଲେ କ୍ଷତି ହେବ ୧୩,୦୦୦ କୋଟି

48

ଚଢା ଦରରେ କିଣିବାକୁ ପଡିବ ପେଟ୍ରୋଲ ଓ ଡିଜେଲ୍ । କାରଣ ଏବେ ଏହି ଦର କମିବ ନାହିଁ । ପେଟ୍ରୋଲ ଓ ଡିଜେଲରେ ଉତ୍ପାଦନ ଶୁଳ୍କ ହ୍ରାସ କରାଯିବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ଅର୍ଥନେତିକ ବ୍ୟାପାର ସଚିବ । ତୈଳ ଦର ୫୫ ମାସର ରେକର୍ଡ ଭାଙ୍ଗିଛି, ହେଲେ ଏପର୍ଯ୍ୟନ୍ତ ସେହି ସ୍ତରରେ ପହଁଚିନାହିଁ ବୋଲି କହିଛନ୍ତି ଅର୍ଥନେତିକ ବ୍ୟାପାର ସଚିବ । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୭୪ ଟଙ୍କା ୬୩ ପଇସା ଓ ଡିଜେଲ ଲିଟର ପିଛା ୬୫ ଟଙ୍କା ୯୩ ପଇସା ରହିଛି । ସାଢେ ୪ ବର୍ଷ ମଧ୍ୟରେ ଏହା ସର୍ବାଧିକ ହୋଇଥିବା ବେଳେ ଦେଶବ୍ୟାପୀ ଏ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯଦି ଉତ୍ପାଦନ ଶୁଳ୍କ ଲିଟର ପିଛା ୧ ଟଙ୍କା ହ୍ରାସ କରାଯାଏ, ତେବେ ୧୩ ହଜାର କୋଟି ଟଙ୍କା ରାଜସ୍ୱ କ୍ଷତି ଘଟିବ । ତେଣୁ ଏବେ ଏହି ଶୁଳ୍କରେ ହ୍ରାସ କରାଯିବ ନାହିଁ । ୨୦୧୪ ମସିହାରୁ ୨୦୧୬ ମଧ୍ୟରେ କେନ୍ଦ୍ର ସରକାର ୯ ଥର ଉତ୍ପାଦନ ଶୁଳ୍କ ବୃଦ୍ଧି କରିଛନ୍ତି । ଗତବର୍ଷ ଏନେଇ ପ୍ରବଳ ବିରୋଧ ପରେ ଏଥିରେ ମାତ୍ର ଦୁଇ ଟଙ୍କା ହ୍ରାସ କରିଛନ୍ତି । ଏବେ ପେଟ୍ରୋଲ ଲିଟର ପିଛା ୧୯ଟଙ୍କା ୪୮ ପଇସା ଓ ଡିଜେଲ ଲିଟର ପିଛା ୧୫ ଟଙ୍କା ୩୩ ପଇସା ଉତ୍ପାଦନ ଶୁଳ୍କ ଆକାରରେ ନେଉଛନ୍ତି କେନ୍ଦ୍ର ସରକାର ।