ଆଜି ରାତିରୁ ପୁଣି ଶସ୍ତା ହେବ ପେଟ୍ରୋଲ ଓ ଡିଜେଲ : ଜାଣନ୍ତୁ କେତେ ଟଙ୍କା କମିବ ତେଲ ଦର ?

4,500

କନକ ବ୍ୟୁରୋ : ଆଜି ରାତିରୁ ପୁଣି ଶସ୍ତା ହେବ ପେଟ୍ରୋଲ ଓ ଡିଜେଲ । କେନ୍ଦ୍ର ସରକାର ପେଟ୍ରୋଲ ଉପରୁ ୫ଟଙ୍କା ଓ ଡିଜେଲ ଉପରୁ ୧୦ ଟଙ୍କା ଉତ୍ପାଦ ଶୁଳ୍କ କମାଇଥିଲେ । ଏହାପରେ ଗତକାଲି ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭାଟ୍ ହ୍ରାସ କରାଯିବ ବୋଲି ଘୋଷଣା କରିଥିଲେ । ଏହି ଦର ଆଜି ମଧ୍ୟରାତ୍ରିରୁ ଲାଗି ହେବ । ଏହି ଭାଟ୍ ହ୍ରାସ ଫଳରେ ରାଜ୍ୟ ସରକାର ପ୍ରାୟ ୨୦୦୦ କୋଟି ଟଙ୍କାର କ୍ଷତି ସହିବେ । ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭାଟ୍ ହ୍ରାସ କରାଯିବା ସାରା ଦେଶରେ ସର୍ବନିମ୍ନ ତେଲ ଦର ଥିବା ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ଅନ୍ୟତମ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଗତ କିଛି ଦିନ ହେବ ପେଟ୍ରୋଲ ଓ ଡିଜେଲ ଦର ପ୍ରତ୍ୟକ ଦିନ ବଢ଼ି ଚାଲିଥିଲା । ରାଜସ୍ଥାନରେ ପେଟ୍ରୋଲ ଲିଟର ପିଛା ୧୨୦ଟଙ୍କା ଟପିଥିବା ବେଳେ ଭୁବନେଶ୍ୱରରେ ୧୧୧ ଟଙ୍କା ପାର କରିଯାଇଥିଲା । ପେଟ୍ରୋଲ ଓ ଡିଜେଲ ଦର ବଢ଼ିବା ଅନ୍ୟାନ୍ୟ ସାମଗ୍ରୀ ବଢ଼ିବାରେ ଲାଗିଥିଲା । ଯାହାକି ସବୁ ବର୍ଗର ଲୋକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇଥିଲା । ଏହାକୁ ନେଇ ସାଧାରଣ ଲୋକଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଥିଲା ।

ଏଣେ ବୁଧବାର ଦିନ କେନ୍ଦ୍ର ସରକାର ଲିଟର୍‌ ପିଛା ପେଟ୍ରୋଲ୍‌ ଉପରୁ ୫ଟଙ୍କା ଏବଂ ଲିଟର୍‌ପିଛା ଡିଜେଲ୍‌ ଉପରୁ ୧୦ ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ କରିବା ପରେ ‘ବିଜେପି’ ଶାସିତ ୯ଟି ରାଜ୍ୟ-: ଆସାମ, ତ୍ରିପୁରା, ମଣିପୁର, କର୍ଣ୍ଣାଟକ, ଗୋଆ, ଉତ୍ତର ପ୍ରଦେଶ, ଗୁଜରାଟ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ଉକ୍ତ ଇନ୍ଧନ ମୂଲ୍ୟ ଉପରେ ଅତିରିକ୍ତ ହ୍ରାସ ମୂଲ୍ୟ (ଭ୍ୟାଟ୍‌) ଘୋଷଣା କରିଛନ୍ତି ।