କନକ ବ୍ୟୁରୋ : ନିର୍ବାଚନ ପରେ ବଢିପାରେ ପେଟ୍ରୋଲ ଡିଜେଲ ଦର ! ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ଦରବୃଦ୍ଧିକୁ ଅଟକାଇ ଦିଆଯାଇଛି । ନିର୍ବାଚନ ଶେଷ ହେବାପରେ ପେଟ୍ରୋଲ୍ ଦାମ୍‌ ପୁଣି ବଢ଼ିବ । ଏହାପଛର ମୁଖ୍ୟ କାରଣ ହେଉଛି ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୯୩ ଡଲାର ‌ହୋଇଗଲାଣି । ନିର୍ବାଚନ ନଥିଲେ ଲୋକମାନଙ୍କୁ ଏବେଠାରୁ ତେଲ କିଣିବା ଲାଗି ଅଧିକ ଟଙ୍କା ଗଣିବାକୁ ପଡ଼ୁଥାନ୍ତା । ସାରାବିଶ୍ବରେ କରୋନା ଭାଇରସ୍‌ର ଓମିକ୍ରନ ଭାରିଆଣ୍ଟ୍‌ ବ୍ୟାପିବା ପରେ ତୈଳ ଚାହିଦା ହଠାତ୍ ହ୍ରାସ ପାଇଥିଲା ।

Advertisment

ଫଳରେ ୨୦୨୧ ଡିସେମ୍ବର ୧ରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୬୯ ଡଲାରକୁ ଖସିଯାଇଥିଲା । ଏହାପୂର୍ବରୁ ୨୦୨୧ ନଭେମ୍ବର ୪ରେ ଏହାର ଦାମ୍ ୮୪ ଡଲାର ଭଳି ଉଚ୍ଚ ସ୍ତରରେ ଥିଲା । ଗତବର୍ଷ ନଭେମ୍ବର ୪ ପରେ ଅଶୋଧିତ ତୈଳ ଦାମ୍ ବ୍ୟାରେଲ ପିଛା ୧୨ ଡଲାର ବଢ଼ିଛି । ଏବେ ତାହା ୯୩ ଡଲାରରେ ପହଞ୍ଚିଯାଇଛି । ଦୁଇ ପ୍ରମୁଖ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ରୁଷିଆ ଓ ୟୁକ୍ରେନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାରୁ ତାହାର ପ୍ରଭାବରେ ବଜାରରୁ ତୈଳ ଯୋଗାଣ ହ୍ରାସ ପାଇଛି ।

ଇଣ୍ଡିଆ ରେଟିଙ୍ଗ୍‌ସ ଆଣ୍ଡ୍‌ ରିସର୍ଚ୍ଚର ପ୍ରମୁଖ ଅର୍ଥନୀତିଜ୍ଞ ସୁନିଲ କୁମାର ସିହ୍ନା କହିଛନ୍ତି ଯେ ଏବେ ତୈଳ ଦର ଉପରେ ଅର୍ଥନୀତି ନୁହେଁ ରାଜନୀତିର ପ୍ରଭାବ ରହିଛି । ଯଦି ଅଶୋଧିତ ତୈଳ ଦାମ୍ ଏଭଳି ଉଚ୍ଚ ସ୍ତରରେ ବଜାୟ ରହିବ ତେବେ ନିର୍ବାଚନ ଶେଷ ହେବା ମାତ୍ରେ ଗ୍ରାହକଙ୍କୁ ଦରବୃଦ୍ଧିର ଝଟ୍‌କା ଲାଗିବ । ତେଲ କଂପାନିଗୁଡ଼ିକ କମ୍ ଦାମ୍‌ରେ ତେଲ ବିକି ଏବେ ଯେଉଁ କ୍ଷତି ସହୁଛନ୍ତି ତାହାକୁ ସେମାନେ ଦରବୃଦ୍ଧି ଜରିଆରେ ଭରଣା କରିବାକୁ ପ୍ରୟାସ କରିବେ । ଯଦି ତୈଳ ମହଙ୍ଗା ହେବ ତେବେ ତାହା ମୁଦ୍ରାସ୍ଫୀତି କୁ ବେଲଗାମ କରିଦେବ । ଡିଜେଲ୍ ଦାମ୍ ବଢ଼ିଲେ ତାହାର ପ୍ରଭାବରେ ପରିବହନ ମହଙ୍ଗା ହେବ । ଯେଉଁସବୁ ସାମଗ୍ରୀ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପରିବହନ କରାଯାଉଛି ସେଗୁଡ଼ିକର ଦାମ୍ ବଢ଼ିବ।

ସରକାରୀ ତୈଳ କଂପାନି ହିନ୍ଦୁସ୍ତାନ ପେଟ୍ରୋଲିୟମ୍ କର୍ପୋରେସନ୍‌ ଲିମିଟେଡ୍‌ର ଅଧ୍ୟକ୍ଷ ଏମ୍‌ କେ ସୁରାନା ଗତ ସପ୍ତାହରେ କହିଥିଲେ ଯେ କିଛି ଦିନ ମଧ୍ୟରେ ପେଟ୍ରୋଲ୍ ଓ ଡିଜେଲ୍‌ର ଖୁଚୁରା ଦାମ୍ ଆନ୍ତର୍ଜାତିକ ବଜାର ଦର ଅନୁସାରେ ବଢ଼ାଇବାକୁ ପଡ଼ିବ । ରେଟିଂ ଏଜେନ୍ସି କ୍ରିସିଲ୍‌ ରିସର୍ଚ୍ଚର ମୁଖ୍ୟ ଅର୍ଥନୀତିଜ୍ଞ ଡି କେ ଯୋଶୀ କହିଛନ୍ତି ଯେ ତୈଳ ଦରକୁ ନେଇ ଏକ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ । ସରକାର କିଛି ପରିମାଣର ଟିକସ କମ୍ କରିବେ ଏବଂ ତୈଳ ମୂଲ୍ୟରେ ଅଳ୍ପ ପରିମାଣର ବୃଦ୍ଧି କରି ସ୍ଥିତି ଉପରେ ନିୟନ୍ତ୍ରଣ ହାସଲ କରାଯାଇପାରିବ ।