ତେଲକୁ ନେଇ ରାଜନୀତି! ଅଢେଇ ମାସ ଧରି ସ୍ଥିର ରହିଛି ପେଟ୍ରୋଲ, ଡିଜେଲ ଦର

164

କନକ ବ୍ୟୁରୋ: ଦେଶରେ ବଢୁଥିବା ପେଟ୍ରୋଲ, ଡିଜେଲ ଦରକୁ ନେଇ ଅନେକ ପ୍ରତିବାଦ ଦେଖିବାକୁ ମିଳେ । ହେଲେ ଆପଣମାନେ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଗତ ୮୩ ଦିନ ଧରି ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢିନାହିଁ । ଗତବର୍ଷ ମୋଦୀ ସରକାର ପେଟ୍ରୋଲ, ଡିଜେଲ୍ ଉପରେ ଏକସାଇଜ୍ ଡ୍ୟୁଟି ହ୍ରାସ କରିଥିଲେ । ଏହାପର ଠାରୁ ପେଟ୍ରୋଲ, ଡିଜେଲ୍ ଦର ସ୍ଥିର ରହିଛି । ତେବେ ପେଟ୍ରୋଲ, ଡିଜେଲ ଦର ନ ବଢିବା ପଛରେ ଆଉ ଏକ କାରଣ ବି ରହିଛି । କାରଣ ଖୁବଶୀଘ୍ର ଉତ୍ତରପ୍ରଦେଶ, ପଞ୍ଜାବ ସମେତ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ।

ଗତ ନଭେମ୍ବର ୪ ତାରିଖ, ୨୦୨୧ରୁ ଦେଶରେ ବଢିନାହିଁ ପେଟ୍ରୋଲ, ଡିଜେଲ ଦର । ଅଢେଇ ମାସରୁ ଅଧିକ ସମୟ ଧରି ଦେଶରେ ତେଲ ଦର ସ୍ଥିର ରହିଛି । ଗତ ଦୀପାବଳି ଅବସରରେ ପେଟ୍ରୋଲ ଦର ଲିଟର ପିଛା ୧୦ଟଙ୍କା ଓ ଡିଜେଲ ଦର ଲିଟର ପିଛା ୫ ଟଙ୍କାର ଏକସାଇଜ୍ ଡ୍ୟୁଟି ହ୍ରାସ କରିଥିଲେ କେନ୍ଦ୍ର ସରକାର । ଏହାପରଠାରୁ ଦେଶରେ ବଢିନାହିଁ ତେଲ ରେଟ୍ । ଆଉ କୁହାଯାଉଛି ଆଗକୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ତେଲ ଦର ସ୍ଥିର ରହିଛି । ଗତ ନଭେମ୍ବର ୩ ପୂର୍ବରୁ ଦେଶରେ ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କା ପାର କରି ନେଇଥିଲା । ଯାହାକୁ ନେଇ ନାଗରିକଙ୍କ ଭିତରେ ଅନେକ ଆକ୍ରୋଶ ବି ଦେଖିବାକୁ ମିଳିଥିଲା ।

ଉତ୍ତରପ୍ରଦେଶ, ପଞ୍ଜାବ, ଗୋଆ, ଉତ୍ତରାଖଣ୍ଡ ଓ ମଣିପୁରରେ ଆସନ୍ତା ଫେବୃଆରୀ ରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଆଉ ମାର୍ଚ୍ଚ ୧୦ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ଏହାପୂର୍ବରୁ ତେଲ ଦର ବଢାଇ ଭୋଟରଙ୍କୁ କ୍ଷୁବ୍ଧ କରିବାକୁ ଚାହୁଁ ନାହାଁନ୍ତି କେନ୍ଦ୍ରର ବିଜେପି ସରକାର । ତେବେ ବର୍ଷ ଆରମ୍ଭରୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ପାଖାପାଖି ୩୦% ବୃଦ୍ଧି ପାଇ ବାରେଲ୍ ପିଛା ୮୮ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ୬, ୫୮୮ରେ ପହଁଚିଛି । ଯାହା ୨୦୧୪ ପରଠାରୁ ସବୁଠାରୁ ଅଧିକ ରହିଛି । ବିଶେଷଜ୍ଞଙ୍କ କହିବା କଥା ୟୁଏଇର ତେଲ ଖଣି ଉପରେ ହୋତି ବିଦ୍ରୋହୀଙ୍କ ହମଲା ଏବଂ ଋଷିଆ – ୟୁକ୍ରେନ୍ ବିବାଦ ଭିତରେ ଆଗାମୀ ଦିନରେ ଅଶୋଧିତ ତେଲ ଦର ବାରେଲ ପିଛା ୧୦୦ ଡଲାର ପହଁଚିପାରେ । ହେଲେ ଏହାର ପ୍ରଭାବ ଭାରତୀୟ ବଜାରରେ ପଡିନାହିଁ । ଆଉ ତେଲ ଦର ଏକପ୍ରକାର ସ୍ଥିର ରହିଛି ।

ଭାରତ ନିଜ ଆବଶ୍ୟକତାର ୮୪ ପ୍ରତିଶତ ପେଟ୍ରୋଲିୟମ୍ ସାମଗ୍ରୀ ବିଦେଶରୁ ଆମଦାନୀ କରିଥାଏ । ଆଉ ଏପଟେ ଅନ୍ତର୍ଜାତୀୟ ବଜାରରେ ତେଲ ଦର ହୁ ହୁ ହୋଇ ବଢିବାରେ ଲାଗିଛି । ଅଶୋଧିତ ତେଲ ଦର ବୃଦ୍ଧି ସତ୍ୱେ ଦେଶରେ ପେଟ୍ରୋଲ, ଡିଜେଲ ଦର ଗତ ଅଢେଇ ମାସ ଧରି ସ୍ଥିର ରହିଛି । ଏହାର କାରଣ ନିର୍ବାଚନ ରାଜନୀତି ବୋଲି କୁହାଯାଉଛି । ବିଶେଷଜ୍ଞଙ୍କ କହିବା କଥା ତୈଳର ସ୍ଥିରତାକୁ ନେଇ ଆର୍ଥିକ ବର୍ଷ ୨୦୨୧-୨୨ରେ କେନ୍ଦ୍ର ସରକାରଙ୍କୁ ୪୫ ହଜାର କୋଟିର ଘାଟା ହୋଇପାରେ । ହେଲେ ୫ଟି ରାଜ୍ୟରେ ଥିବା ବିଧାନସଭା ନିର୍ବାଚନକୁ ଅଣଦେଖା କରି ପାରିବନି ବିଜେପି । ଯାହାକୁ ନେଇ ତେଲ ରାଜନୀତିକୁ ଆପଣାଇଛି କେନ୍ଦ୍ରର ବିଜେପି ସରକାର ।