ପୁଣି ବଢିପାରେ ପେଟ୍ରୋଲ ଓ ଡିଜେଲ ଦର। ପଢନ୍ତୁ, ଏହା ପଛର କାରଣ କଣ?

556

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ଥରେ ବଢ଼ିବା ଆଶଙ୍କା ଦେଖାଦେଇଛି । ଗତ ୧୨ ଦିନ ହେଲା ଏହି ଦୁଇ ଇନ୍ଧନ ଦର ସ୍ଥିର ରହିଛି, କିନ୍ତୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଏବେ ବୃଦ୍ଧି ପାଉଛି । ଅଗଷ୍ଟରେ ବ୍ୟାରେଲ ପିଛା ଦର ଯାହା ଥିଲା ବର୍ତ୍ତମାନ ଦର ତା’ଠାରୁ ୪ରୁ ୫ ଡଲାର ଅଧିକ ରହିଛି। ତୈଳ କମ୍ପାନି ଗୁଡ଼ିକ କିନ୍ତୁ ପେଟ୍ରୋଲ ଏବଂ ଡିଜେଲ ଦରରେ କୌଣସି ବୃଦ୍ଧି କରିନାହାନ୍ତି । ଯଦି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବର୍ତ୍ତମାନ ସ୍ତରରେ ରହେ ତା’ହେଲେ ତେଲ କମ୍ପାନି ଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବଢ଼ାଇବେ ବୋଲି ଏକ ସୂତ୍ରରୁ ଜଣାଯାଇଛି ।

ପୂର୍ବରୁ ଗତ ଜୁଲାଇ ୧୭ ତାରିଖରେ ପେଟ୍ରୋଲ ଦର ଏବଂ ଜୁଲାଇ ୧୫ ତାରିଖରେ ଡିଜେଲ ଦର ବୃଦ୍ଧି କରାଯାଇଥିଲା । ଜୁଲାଇ ତୁଳନାରେ ଅଗଷ୍ଟରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ହାରାହାରି ୩ ଡଲାରରୁ ଅଧିକ କମିଥିଲା । ଏଥିଯୋଗୁ ଜୁଲାଇ ୧୮ ପରଠାରୁ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୬୫ ପଇସା ଏବଂ ଡିଜେଲ ଦର ୧ ଟଙ୍କା ୨୫ ପଇସା ହ୍ରାସ ପାଇଥିଲା । ପେଟ୍ରୋଲ, ଡିଜେଲ ଦର ଶେଷଥର ପାଇଁ ସେପ୍ଟେମ୍ବର ୫ରେ କମିଥିଲା । କିନ୍ତୁ ଅଗଷ୍ଟ ଶେଷ ସପ୍ତାହରୁ ଅଶୋଧିତ ତେଲ ଦର ଲଗାତାର ବଢ଼ିବାରେ ଲାଗିଛି ।

ଆମେରିକାରେ ଅଶୋଧିତ ତେଲ ଉତ୍ପାଦନ ବାଧାପ୍ରାପ୍ତ ହେବା ଦ୍ୱାରା ଦର ବଢ଼ିବାରେ ଲାଗିଛି। ଅନ୍ୟପକ୍ଷରେ ଓପେକ୍ ପକ୍ଷରୁ କୁହାଯାଇଛି ଯେ ବିଶ୍ୱରେ ଟିକାକରଣ ବଢ଼ୁଥିବା ସହିତ ଅର୍ଥନୈତିକ କାର୍ଯ୍ୟକଳାପରେ ଉନ୍ନତି ଆସୁଥିବାରୁ ‌ସେପ୍ଟେମ୍ବରରେ ଦୈନିକ ତେଲ ଚାହିଦା ୬ ନିୟୁତ ବ୍ୟାରେଲ ଅଧିକ ରହିବ । ୨୦୨୨ରେ ବିଶ୍ୱର ଦୈନିକ ତେଲ ଚାହିଦା ୧୦୦.୮ ନିୟୁତ ବ୍ୟାରେଲ ରହିବ ବୋଲି ଓପେକ ଆକଳନ କରିଛି। ଯଦି ତେଲ ଚାହିଦା ଆକଳନ ଅନୁସାରେ ବୃଦ୍ଧି ପାଏ ଏବଂ ଉତ୍ପାଦନରେ ସୁଧାର ନଆସେ ତା’ହେଲେ ଆଗାମୀ ଦିନରେ ଏହାର ପ୍ରଭାବ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଉପରେ ପଡ଼ିବ । ସୂଚନା ଅନୁଯାୟୀ ଚଳିତ ସପ୍ତାହରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦରରେ ୩ ପ୍ରତିଶତ ବୃଦ୍ଧି ଘଟି ବ୍ୟାରେଲ ପିଛା ୭୫.୩୪ ଡଲାର ରହିଛି।