ଓଡିଶାର ୫ ସହରରେ ଶହେ ଟପିଲା ପେଟ୍ରୋଲ ଦର । ଡିଜେଲ୍ ବି ଟପିଲା ଶହେ । ପକେଟ୍ ଉପରେ ପେଟ୍ରୋଲ ମାଡକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ।

302

କନକ ବ୍ୟୁରୋ : ପକେଟ ଉପରେ ପେଟ୍ରୋଲ ମାଡ । ଓଡିଶାର ୪ଟି ସହର ପରେ ଆଜି ମୁନିଗୁଡାରେ ଶହେ ଛୁଇଁଛି ପେଟ୍ରୋଲ ଦର । ଏଥିସହ ଆଜି ଓଡିଶାରେ ପ୍ରଥମ ଥର ପାଇଁ ଡିଜେଲ ଦର ବି ଶହେ ଟପିଯାଇଛି ।

କାଲିମେଳାରେ ଲିଟର ପ୍ରତି ପେଟ୍ରୋଲ ଦର – ୧୦୨ ଟଙ୍କା ୩୬ ପଇସା
ମାଲକାନଗିରି – ୧୦୧ ଟଙ୍କା ୪୩ ପଇସା
ରାଇଘର – ୧୦୦ ଟଙ୍କା ୮୨ ପଇସା
କୋରାପୁଟ – ୧୦୦ ଟଙ୍କା ୬୧ ପଇସା
ମୁନିଗୁଡା – ୧୦୦ ଟଙ୍କା ୦୭ ପଇସା

ପେଟ୍ରୋଲର ଏହି ଦାମ ଅନେକଙ୍କ ହୋସ ଉଡାଇ ଦେଇଛି । ପ୍ରଥମ ଥର ପାଇଁ ପେଟ୍ରୋଲ ଶହେ ପାର କରିଯାଇଛି । କିନ୍ତୁ ବାଧ୍ୟବାଧକତା ହେଉଛି, ଗାଡିରେ ପେଟ୍ରୋଲ ପକାଇବାକୁ ପଡିବ, ଆଉ ଅନ୍ୟ କିଛି ବିକଳ୍ପ ନାହିଁ । ଅର୍ଥାତ୍ ପକେଟରୁ ଅଧିକ ଖର୍ଚ୍ଚ ନିଶ୍ଚୟ ହେବ ।

ରାଜ୍ୟର ୫ଟି ସହରରେ ଏବେ ପେଟ୍ରୋଲ ଲିଟର ପିଛା ଶହେ ଟଙ୍କା ଉପରେ ବିକ୍ରି ହେଉଛି । ମେ ୭ତାରିଖରେ ରାଜ୍ୟର ୪ଟି ସହରରେ ପେଟ୍ରୋଲ ଦର ଶହେ ଟପିଥିବା ବେଳେ ଏବେ ରାୟଗଡା ଜିଲ୍ଲା ମୁନିଗୁଡାରେ ମଧ୍ୟ ଶହେ ଟଙ୍କା ଟପିଛି ପେଟ୍ରୋଲ ଦର ।

ସେପଟେ ପେଟ୍ରୋଲ ପରେ ଶହେ ଟପିଲା ଡିଜେଲ ଦର । ମାଲକାନଗିରି ଜିଲ୍ଲା କାଲିମେଳା ପେଟ୍ରୋଲ ପମ୍ପରେ ଡିଜେଲ ଲିଟର ପିଛା ୧୦୦ଟଙ୍କା ତିନି ପଇସା ଦରରେ ବିକ୍ରି ହେଉଛି । ସେପଟେ ତୈଳଦର ବୃଦ୍ଧି ପ୍ରତିବାଦରେ ଆସନ୍ତା ୧୧ ତାରିଖରେ ସକାଳ ୭ଟାରୁ ଦିନ ୧୧ଟା ଯାଏଁ ପେଟ୍ରୋଲ ପମ୍ପ ଆଗରେ କଂଗ୍ରେସ ଧାରଣା ଦେବ । ଦୁଃଖର କଥା ହେଉଛି ଅନ୍ତର୍ଜାତୀୟ ଦର ପାଇଁ ନୁହେଁ ବରଂ ଆମ ସରକାରମାନଙ୍କ ପ୍ରବଳ ଟିକସ ପେଟ୍ରୋଲର ଦାମକୁ ଏମିତି ଆକାଶ ଛୁଆଁ କରିଦେଇଛି ।