ଅଶୋଧିତ ତୈଳର ଦର କମୁଛି, ପେଟ୍ରୋଲ-ଡିଜେଲର ଦାମ୍ କମୁନି ! ସରକାରଙ୍କ ପାଣ୍ଠି ଫୁଲୁଛି… ଲୋକଙ୍କ ପକେଟ୍ ଖାଲି ହେଉଛି

163

କନକ ବ୍ୟୁରୋ : ପ୍ରାୟ ଏକ ମାସ ହେବ ଦେଶରେ ପେଟ୍ରୋଲ-ଡିଜେଲର ଦର ସ୍ଥିର ରହିଛି । ନଭେମ୍ବର ୩ ତାରିଖ, ୨୦୨୧ରେ କେନ୍ଦ୍ର ସରକାର ପେଟ୍ରୋଲ ଡିଜେଲ ଉପରୁ ଏକ୍ସସାଇଜ୍ ଡ୍ୟୁଟି ହ୍ରାସ କରିଥିଲେ । ପେଟ୍ରୋଲ ଉପରୁ ୫ଟଙ୍କା ଏବଂ ଡିଜେଲ ଉପରୁ ୧୦ ଟଙ୍କା ଟ୍ୟାକ୍ସ କମାଇଥିଲେ ସରକାର । ସେବେଠାପୁ ଏବେଯାଏଁ ଦେଶରେ ତୈଳ ଦର ସ୍ଥିର ରହିଥିବାବେଳେ ଅଶୋଧିକ ତୈଳର ମୂଲ୍ୟ କିନ୍ତୁ ଦିନକୁ ଦିନ ତଳକୁ ଖସି ଚାଲିଛି ।
ରିପୋର୍ଟ ମୁତାବକ୍, ଗତମାସରେ ଅଶୋଧିତ ତୈଳ ବ୍ୟାରେଲ ପିଛା ମୂଲ୍ୟ ଥିଲା ୮୫ ଡଲାର । କିନ୍ତୁ ବର୍ତ୍ତମାନ ଏହି ମୂଲ୍ୟ ତଳକୁ ଖସି ବ୍ୟାରେଲ ପିଛା ଅଶୋଧିତ ତୈଳର ମୂଲ୍ୟ ରହିଛି ୭୦ରୁ ୭୨ ଡଲାର । ଗତକାଲି ଅନ୍ତରାଷ୍ଟ୍ରିୟ ବଜାରରେ ୭୦ ଡଲାରରେ ବିକ୍ରି ହୋଇଛି ଅଶୋଧିତ ତୈଳ ।
ତେବେ ତୈଳ ଦରର ମୂଲ୍ୟ ଦିନକୁ ଦିନ ତଳକୁ ଖସୁଥିବା ବେଳେ ଦେଶରେ ପେଟ୍ରୋଲ-ଡିଜେଲର ଦର କମିବାର ନାଁ ନେଉନି । କେନ୍ଦ୍ର ଓ ରାଜ୍ୟ ଅଳ୍ପ କିଛି ଟ୍ୟାକ୍ସ ଛାଡ କରି ନିଶ୍ଚିନ୍ତରେ ବସିଯାଇଛନ୍ତି । କିନ୍ତୁ ଏହାକୁ ନେଇ ଗରିବ ସାଧାରଣ ଲୋକ ହନ୍ତସନ୍ତ ହେଉଛନ୍ତି । ଗତ କିଛିଦିନ ତଳେ ଦିଲ୍ଲୀରେ କେଜ୍ରିୱାଲ ସରକାର ତୈଳ ଦର ୮ଟଙ୍କା ହ୍ରାସ କରିଛନ୍ତି । ଯାହା ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ଆଣିଦେଇଛି । ଦିଲ୍ଲୀ ସରକାରଙ୍କ ଭଳି ଅନ୍ୟ ରାଜ୍ୟ ଏବଂ କେନ୍ଦ୍ର ପୁଣି ତୈଳ ଦରରେ ଟ୍ୟାକ୍ସ ହ୍ରାସ କଲେ ଲୋକେ ଉପକୃତ ହୁଅନ୍ତେ । କାରଣ କ୍ରୁଡ୍ ଅୟଲ, ବା ଅଶୋଧିତ ତୈଳର ଦର ହ୍ରାସ ପାଉଛି । ସରକାର ଏହାକୁ ଦୃଷ୍ଟିରେ ରଖି ତୈଳ ଦର କମାଇବା ନିହାତି ଆବଶ୍ୟକ ବୋଲି ଜନତା ଦାବି ଉଠାଇଛନ୍ତି ।