ପେଟ୍ରୋଲ ପମ୍ପ୍ ବିସ୍ଫୋରଣ ମାମଲା: ସିସିଟିଭି ଯାଞ୍ଚରୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ; ଅଙ୍ଗପ୍ରତ୍ୟଙ୍ଗ ଚିହ୍ନଟ ପ୍ରକ୍ରିୟା ଆରମ୍ଭ, ଡିଏନ୍ଏ ପରୀକ୍ଷାକୁ ଅପେକ୍ଷା: ପେଟ୍ରୋଲ ପମ୍ପ ସିଲ୍ କଲା ଆଇଓସିଏଲ୍

313

କନକ ବ୍ୟୁରୋ: ରାଜଧାନୀର ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ପୂର୍ବରୁ ନିଆଁ କେମିତି ଲାଗିଲା? ସେତେବେଳେ ଟାଙ୍କି ନିକଟରେ କିଏ କାମ କରୁଥିଲେ? ନିଆଁ ଲାଗିବାର ମାଧ୍ୟମ କଣ ରହିଥିଲା? କେତେଜଣ କାମ କରୁଥିଲେ? ନିଆଁ କେଉଁଥିରୁ ଉତ୍ପନ୍ନ ହୋଇଥିଲା? ଏ ସବୁ ଜାଣିବା ଲାଗି ଗତକାଲି ଦିନତମାମ୍ ଘଣ୍ଟାଚକଟା କରିଛି ପୁଲିସ। ଡିସିପି ଓ ଅନ୍ୟ ବରିଷ୍ଠ ଅଧିକାରୀ କ୍ୟାପିଟାଲ ଥାନାରେ ଘଣ୍ଟା ଘଣ୍ଟା ଧରି ପେଟ୍ରୋଲ ପମ୍ପରୁ ଉଦ୍ଧାର ହୋଇଥିବା ସିସିଟିଭି ଫୁଟେଜ୍‌କୁ ଅନୁଧ୍ୟାନ କରିଛନ୍ତି। ଏହି ଫୁଟେଜ୍‌ରୁ ଚାଞ୍ଚଲ୍ୟକର ତଥ୍ୟ ପୁଲିସ ହାତରେ ଲାଗିଛି। ଭାଲ୍‌ଭ ଖୋଲାଯିବା ସମୟରେ ହିଁ ଅଗ୍ନିସଂଯୋଗ ହୋଇଥିବା ସ୍ପଷ୍ଟ ହୋଇଛି। ଏହି ନିଆଁ କେମିତି ଓ କେଉଁଠି ଉତ୍ପନ୍ନ ହେଲା, ଅଧିକ ଜାଣିବା ଲାଗି ପୁଲିସ ପେଟ୍ରୋଲିୟମ୍ ବିଶେଷଜ୍ଞ ଟିମ୍ ଓ ଆଇଟି ଏକ୍ସପର୍ଟଙ୍କ ସହାୟତା ନେବ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଇତିମଧ୍ୟରେ ଆଇଓସିଏଲ୍ ମୁଖ୍ୟାଳୟରୁ ଆସିଥିବା ଏକ ବିଶେଷଜ୍ଞ ଟିମ୍ ମଧ୍ୟ ଯାଞ୍ଚ କରିଥିବା ଜଣାପଡ଼ିଛି।

ସେହିପରି ରାଜ୍ୟ ଫରେନସିକ୍ ଟିମ୍ ଘଟଣାସ୍ଥଳରୁ ସଂଗ୍ରହ କରିଥିବା ନମୁନାକୁ ଆଧାର କରି ତଦନ୍ତ ଜାରି ରଖିଛନ୍ତି। ଫରେନସିକ୍ ରିପୋର୍ଟ ମଧ୍ୟ ପୁଲିସ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ଜଣେ ଅଧିକାରୀ କହିଛନ୍ତି। ଦିନେ କିମ୍ବା ଦୁଇ ଦିନ ଭିତରେ ପୂରା ରହସ୍ୟ ଉପରୁ ପରଦା ଉଠିବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ପୁଲିସର ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ପେଟ୍ରୋଲିୟମ୍ ଏକ୍ସପ୍ଲୋସିଭ୍ ସେଫ୍ଟି ଅର୍ଗାନାଇଜେସନ୍ (ପେସୋ) ସେହି ଫୁଟେଜ୍‌କୁ ଆଉ ଥରେ ଯାଞ୍ଚ କରିବ। ଯେହେତୁ ଓଡ଼ିଶାରେ ଏହା ପ୍ରଥମ ଘଟଣା ସେମାନେ ମଧ୍ୟ ଏହାର କାରଣ ଖୋଜି ବାହାର କରିବେ। ଏଥିପାଇଁ କିଏ ଦାୟୀ? କାହାର ଅବହେଳାରୁ ଏତେ ବଡ଼ ବିସ୍ଫୋରଣ ଘଟିଲା ତାହା ମଧ୍ୟ ସ୍ପଷ୍ଟ ହେବ। ଏହିପରି ଘଟଣା ଯେମିତି ଆଉ କେଉଁଠି ନ ଘଟେ ସେଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇ ଗାଇଡ୍‌ଲାଇନ ପ୍ରସ୍ତୁତ କରାଯିବ ବୋଲି ପେସୋର ଜଣେ ଅଧିକାରୀ କହିଛନ୍ତି।

ପୁଲିସ ଏବେ ତିନିଟି ଦିଗକୁ ନେଇ ତଦନ୍ତ ଜାରି ରଖିଛି। ପ୍ରଥମଟି ହେଲା ନିଆଁ କେମିତି ଲାଗିଲା ତାହା ଜାଣିବା ଲାଗି ପୁଲିସ ସିସିଟିଭି ଫୁଟେଜ୍ ସହ ଫୋନ୍ କଲ ଡିଟେଲ୍ସ ରେକର୍ଡକୁ ଯାଞ୍ଚ କରୁଛି। ବିସ୍ଫୋରଣରେ ନିଖୋଜ ହୋଇ ଯାଇଥିବା ସୀମାଞ୍ଚଳ ପରିଡ଼ା ଓ କଟକ ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିବା ଭରଦ୍ବାଜ ହର୍ଷବର୍ଦ୍ଧନ, ଏହି ଦୁଇଜଣ ଘଟଣାସ୍ଥଳରେ ଯାଞ୍ଚ କାମ କରୁଥିଲେ। ପୁଲିସ ହାତରେ ଏହି ଦୁଇଜଣଙ୍କର ମୋବାଇଲ ଫୋନ୍ କଲ ଡିଟେଲ୍ସ ରେକର୍ଡ ଲାଗିଥିବା ବେଳେ ସେହି ସମୟରେ ସେମାନଙ୍କ ମୋବାଇଲ ଫୋନକୁ କଲ୍ ଆସିଥିଲା କି ନାହିଁ, ତାହା ସ୍ପଷ୍ଟ ହେବ। ହର୍ଷବର୍ଦ୍ଧନଙ୍କୁ ମଧ୍ୟ ଜେରା ପରେ ପୂରା ଘଟଣା ସ୍ପଷ୍ଟ ହୋଇପାରିବ ବୋଲି ପୁଲିସ ଆଶା ରଖିଛି।