ସୁପ୍ରିମକୋର୍ଟଙ୍କୁ କେନ୍ଦ୍ରସରକାରଙ୍କ ଅପିଲ: ସମଲିଙ୍ଗୀ ଓ ଲିଭଇନ କପଲଙ୍କୁ ସରୋଗେସୀ ସୁବିଧାରୁ ବଞ୍ଚିତ କରିବାକୁ ସତ୍ୟପାଠ ଦାଖଲ

101

କନକ ବ୍ୟୁରୋ: ସମଲିଙ୍ଗୀ ଓ ଲିଭ୍ ଇନ୍ ପାର୍ଟନରଙ୍କୁ ସରୋଗେସୀ ଆଇନ ଅଧିନରେ ଥିବା ସମସ୍ତ ସୁବିଧାରୁ ବଂଚିତ ରଖିବାକୁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ସରକାର । ମଙ୍ଗଳବାର ସରକାରଙ୍କ ପକ୍ଷରୁ ଏକ ସତ୍ୟପାଠ ଦାଖଲ କରାଯାଇଛି । କେନ୍ଦ୍ର ସରକାର କହିଛନ୍ତି ଭାରତୀୟ ଆଇନରେ ଦମ୍ପତିର ପ୍ରକୃତ ପରିଭାଷା ଯାହା ରହିଛି ତାହା ଭିତରେ ଏମାନେ ଅର୍ନ୍ତଭୁକ୍ତ ନୁହଁନ୍ତି । ତେଣୁ ଏମାନଙ୍କୁ ସରୋଗେସୀ ସୁବିଧା ନଦିଆଯାଉ । ଯଦି ଏଭଳି ଦମ୍ପତି ସରୋଗେସୀ ମାଧ୍ୟମରେ ସନ୍ତାନ ଲାଭ କରନ୍ତି ଏହା ଭବିଷ୍ୟତରେ ଆଇନଗତ ଜଟିଳତା ସୃଷ୍ଟି କରିପାରେ । ଯାହା ସର୍ମ୍ପୃକ୍ତ ଶିଶୁର ସୁରକ୍ଷା ଓ ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲିପାରେ । ୧୨୯ ପୃଷ୍ଠାର ଅତିରିକ୍ତ ସତ୍ୟପାଠରେ ଏହି ଦମ୍ପତିଙ୍କୁ ସରୋଗେସୀ ଅଧିକାରରୁ ବଂଚିତ ରଖିବାକୁ କେନ୍ଦ୍ର କହିଛି । ଜାନୁଆରୀ ୧୯ରେ ନ୍ୟାଶନାଲ ବୋର୍ଡ ଏକ ବୈଠକ କରି ବିଶେଷଜ୍ଞମାନେ ଏହା ଉପରେ ବିଚାରବିର୍ମଶ କରି ଏହି ପରାର୍ମଶ ଦେଇଥିଲେ ।