ହେବ କି ମହାପ୍ରଭୁଙ୍କ ରଥଯାତ୍ରା ? ଘୋଷଯାତ୍ରା ପ୍ରସଙ୍ଗରେ ପୁନଃବିଚାର ପାଇଁ ସୁପ୍ରିମକୋର୍ଟରେ ଆବେଦନ । କେବଳ ପୁରୀରେ ଯାତ୍ରା କରାଇବାକୁ ମାମଲାରେ ପିଟିସନରେ ଆବେଦନ

ରଥଯାତ୍ରା ବନ୍ଦ ନେଇ କୋର୍ଟ ଦେଇଥିବା ରାୟର ପୁନଃବିଚାର ପାଇଁ ଆବେଦନ କଲେ ଆଇନଜୀବୀ ପ୍ରଣୟ କୁମାର ମହାପାତ୍ର

1,706

କନକ ବ୍ୟୁରୋ: ହେବ କି ପୁରୀ ରଥଯାତ୍ରା ? ମହାପ୍ରଭୁଙ୍କ ରଥଯାତ୍ରା ପ୍ରସଙ୍ଗରେ ସର୍ବୋଚ୍ଚ ନ୍ୟାୟଳୟ ଦେଇଥିବା ରାୟର ପୁନଃବିଚାର ପାଇଁ ଆବେଦନ ହୋଇଛି । ରାୟର ପୁନଃବିଚାର ପାଇଁ ଆବେଦନ କରିଛନ୍ତି ଆଇନଜୀବୀ ପ୍ରଣୟ କୁମାର ମହାପାତ୍ର । କେବଳ ପୁରୀରେ ଯାତ୍ରା କରାଇବାକୁ ମାମଲାରେ ସେ ଆବେଦନ କରିଛନ୍ତି । ତେବେ ଏହି ପିିଟିସନରେ ସୁପ୍ରିମକୋର୍ଟରେ ତାଲିକା ଭୁକ୍ତ ହୋଇନାହିଁ । ଆସନ୍ତା ସୋମବାର ଏହା ତାଲିକା ଭୁକ୍ତ ହେବ ବୋଲି ଆବେଦନକାରୀ ଆଇନଜୀବୀ କହିଛନ୍ତି ।

ଏପଟେ, ସଂଧ୍ୟାରେ ପୁଣି ଥରେ ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ସୁପ୍ରିମକୋର୍ଟଙ୍କ ନିଷ୍ପତି ପରେ ପ୍ରଥମ ପର୍ଯ୍ୟାୟ ପରିଚାଳନା କମିଟି ବୈଠକ ପରେ ଏହି ସୂଚନା ଦେଇଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ । ସେ କହିଛନ୍ତି ସୁପ୍ରିମକୋର୍ଟଙ୍କ ନିର୍ଦେଶ ପାଳନ କରାଯିବ । ଶ୍ରୀମନ୍ଦିର ଭତରେ କିଭଳି ବିଧି ରକ୍ଷା କରାଯିବ ନେଇ ସଂଧ୍ୟା ୬ଟାରେ ହେବାକୁ ଥିବା ବୈଠକରେ ନିଷ୍ପତି ନିଆଯିବ । ସଂଧ୍ୟାରେ ଛତିଶାନିଯୋଗ ସହ ଆଲୋଚନା କରିବେ ଗଜପତି । ଏହାପରେ ନୀତି ନିଷ୍ପତି ନେଇ ଶଙ୍କରାଚାର୍ଯ୍ୟଙ୍କ ସହ ମଧ୍ୟ ଆଲୋଚନା କରାଯିବ । ମହାମାରୀ କରୋନା ସଂକଟ ସମୟରେ ମହାପ୍ରଭୁଙ୍କ ଗୁଣ୍ଡିଚା, ବାହୁଡା, ସୁନାବେଶ, ଅଧର ପଣା, ନିଳଦ୍ରୀବିଜେ ସମ୍ଭବ ନୁହେଁ ବୋଲି ଗଜପତି କହିଛନ୍ତି ।

ତେବେ ଏହାରି ଭିତରେ ରଥଯାତ୍ରା ପ୍ରସଙ୍ଗରେ ଦ୍ୱନ୍ଦ୍ୱ ବଢାଇଛି ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ମତ । ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ କହିଛନ୍ତି, ରଥଯାତ୍ରା ନିଷ୍ପତିର ପୁନର୍ବିଚାର ହେଉ । କମ୍ ସେବାୟତ ଓ ପୁଲିସ ସହୟତାରେ ହୋଇପାରିବ ରଥଯାତ୍ରା । ସେପଟେ ଚଳିତ ବର୍ଷ ବଡଦାଣ୍ଡରେ ମହାପ୍ରଭୁଙ୍କ ରଥ ଗଡିବ ନାହିଁ ବୋଲି ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଏବେ ମହାପ୍ରଭୁଙ୍କ ନୀତିକାନ୍ତିକୁ ନେଇ ଚିନ୍ତା ବଢିଛି । କେମିତି, ଶ୍ରୀମନ୍ଦିରରେ ବଜାୟ ରହିବ ପରମ୍ପରା । କେମିତି ପାଳନ ହେବ ରଥଯାତ୍ରା ନୀତିକାନ୍ତି । ଏମିତି ଅନେକ ଚର୍ଚ୍ଚା ଭିତରେ ପରିଚଳନା କମିଟି ବୈଠକ ବସିଛି । ଗଜପତିଙ୍କ ଅଧ୍ୟକ୍ଷତାରେ ବୈଠକ ଜାରି ରହିଛି ।