ସୁପ୍ରିମକୋର୍ଟରେ ରଥଯାତ୍ରା ମାମଲା । ନିଷ୍ପତ୍ତି ଉପରେ ରହିଛି ସମସ୍ତଙ୍କର ନଜର ।

165

କନକ ବ୍ୟୁରୋ : ରଥଯାତ୍ରାକୁ ନେଇ ଦ୍ୱନ୍ଦ୍ୱ ବଢିଚାଲିଥିବା ବେଳେ ସୁପ୍ରିମକୋର୍ଟରେ ଦୁଇ ଦୁଇଟି ମାମଲା ଦାୟର ହୋଇଛି । ସାମାଜିକ ଦୂରତା ରକ୍ଷା କରି ରଥଯାତ୍ରା କରିବା ସମ୍ଭବ ନୁହେଁ , ତେଣୁ ରଥଯାତ୍ରା ବନ୍ଦ କରାଯାଉ ବୋଲି ଉଚ୍ଚତମ ନ୍ୟାୟାଳୟରେ ଆବେଦନ କରାଯାଇଛି । ଏହି ଆବେଦନ ଉପରେ ସୁପ୍ରିମକୋର୍ଟ କି ନିଷ୍ପତି ନେଉଛନ୍ତି, ଏହା ଉପରେ ସମସ୍ତଙ୍କ ନଜର ରହିଛି ।

ଜୁନ ୨୩ରେ ରଥଯାତ୍ରା । ଆଉ ମାତ୍ର ଗୋଟିଏ ସପ୍ତାହ ଥିବା ବେଳେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହେବ କି ଏ ନେଇ ଆଶା ଆଶଙ୍କା ଜାରି ରହିଛି । ଗୋଟିଏ ପଟେ ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟ ଦୁତ ଗତିରେ ଚାଲିଛି । ଅନ୍ୟପଟେ ଏହାକୁ ନେଇ ଦୁଇ ଦୁଇଟି ମାମଲା ଦାୟର ହୋଇଛି ସୁପ୍ରିମକୋର୍ଟରେ । ପୂର୍ବରୁ ସୁପ୍ରିମକୋର୍ଟରେ ଓଡିଶା ବିକାଶ ପରିଷଦ ପକ୍ଷରୁ ଏକ ମାମଲା କରାଯାଇଥିଲା । ସୋମବାର ଆଉ ଏକ ମାମଲା ଦାଖଲ କରିଛି ଭାରତୀୟ ବିକାଶ ପରିଷଦ । ସାମାଜିକ ଦୂରତା ରକ୍ଷା କରି ରଥଯାତ୍ରା କରିବା ସମ୍ଭବ ନୁହେଁ ବୋଲି ଏହି ପିଟିସନରେ କୁହାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରଥଯାତ୍ରା ବନ୍ଦ କରିବାକୁ ନିବେଦନ କରିଛି ଭାରତୀୟ ବିକାଶ ପରିଷଦ । ସୁପ୍ରିମକୋର୍ଟ କି ନିଷ୍ପତି ନେଉଛନ୍ତି, ଏହା ଉପରେ ସମସ୍ତଙ୍କ ନଜର ରହିଛି ।

ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ମଧ୍ୟ ମାମଲା କରାଯାଇଥିଲା । ହାଇକୋର୍ଟ ରାୟ ଦେଇ କହିଥିଲେ ଓଡିଶା ସରକାର ରଥଯାତ୍ରା ନେଇ ନିଷ୍ପତି ନେବେ । ମେସିନ କିମ୍ବା ହାତୀ ଦ୍ୱାରା ରଥ ଟାଣିବା କଥା ସରକାର ବିଚାର କରିପାରନ୍ତି ବୋଲି କହିଥିଲେ ହାଇକୋର୍ଟ । ହାଇକୋର୍ଟଙ୍କ ଏହି ରାୟ ପରେ ସୁପ୍ରିମକୋର୍ଟରେ ସ୍ପେଶାଲ ଲିଭ୍ ପିଟିସନ୍ ଦାଖଲ କରିଛି ଭାରତୀୟ ବିକାଶ ପରିଷଦ । ହାତୀ, ସେବାୟତ କିମ୍ବା ମେସିନ ଦ୍ୱାରା ରଥ ଟଣାଗଲେ ସାମାଜିକ ଦୂରତା ରକ୍ଷା କରିବା ସମ୍ଭବ ନୁହଁ ବୋଲି ଯୁକ୍ତି ଦର୍ଶାଯାଇଛି ।

ସୁପ୍ରିମକୋର୍ଟଙ୍କ ରାୟକୁ କୋଟି କୋଟି ଜଗନ୍ନାଥପ୍ରେମୀ ଅପେକ୍ଷା କରିଥିବା ବେଳେ ସର୍ବୋଚ୍ଚ ନ୍ୟାୟାଳୟରେ ରାଜ୍ୟ ସରକାର କି ଯୁକ୍ତି ଦର୍ଶାଇବେ, ତାହା ଅତି ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । କେନ୍ଦ୍ର ସରକାରଙ୍କ କୋଭିଡ୍ ଗାଇଡଲାଇନ୍ ମାନି ସାମାଜିକ ଦୂରତା ରଖି ରଥଯାତ୍ରା କରାଯାଇ ପାରିବ ବୋଲି ରାଜ୍ୟ ସରକାର ପ୍ରତିଶ୍ରୁତି ଦେଲେ ସୁପ୍ରିମକୋର୍ଟ ରଥଯାତ୍ରା ହେବା ନେଇ ରାୟ ଦେଇପାରନ୍ତି ବୋଲି କହିଛନ୍ତି ସୁପ୍ରିମକୋର୍ଟର ଆଇନଜୀବୀ ସାର୍ଥକ ନାୟକ ।

ଏପଟେ ରଥଯାତ୍ରାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ରଥଯାତ୍ରା ସଂପର୍କରେ ସରକାର ତୁରନ୍ତ ନିଷ୍ପତି ନିଅନ୍ତୁ ବୋଲି ଦାବି କରିଛନ୍ତି ବିରୋଧୀ । ଅନ୍ୟପଟେ ରଥଯାତ୍ରା ପାଇଁ ପ୍ରାୟ ୮ଶହ ଜଣ ସେବାୟତଙ୍କର କୋଭିଡ ଟେଷ୍ଟ କରାଯାଇଛି ଏବଂ ସମସ୍ତଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥିବା ଜଣାପଡିଛି । ରଥଟାଣିବା ନେଇ ବିଭିନ୍ନ ନିଯୋଗ ପକ୍ଷରୁ ସେବାୟତଙ୍କ ତାଲିକା ଦିଆଯାଇଛି । ପୂର୍ବରୁ ରଥଯାତ୍ରା କରିବା ନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା ଶ୍ରୀମନ୍ଦିର ପରିଚାଳନା କମିଟି । ରାଜ୍ୟ ସରକାର ଏ ନେଇ କୌଣସି ନିଷ୍ପତି ନେଇନଥିବା ବେଳେ ସୁପ୍ରିମକୋର୍ଟଙ୍କ ରାୟକୁ ଅପେକ୍ଷା କରାଯାଇଛି ।