କୁକୁର ଶିଖାଇଲା ଟ୍ରାଫିକ୍ ନିୟମ ! ବାଇକରେ ବସି ଗଲାବେଳେ ପିନ୍ଧିଲା ହେଲମେଟ୍, ବେପରୁଆ ଗାଡିଚାଳକଙ୍କୁ ଦେଲା ସଚେତନତାର ବାର୍ତ୍ତା ।

251

କନକ ବ୍ୟୁରୋ : ନୂଆ ଟ୍ରାଫିକ ନିୟମକୁ ନେଇ ସାରା ଦେଶରେ ଧରପଗଡ ଚାଲିଥିବା ବେଳେ, ବିଶେଷ କରି ହେଲମେଟ୍ ଚେକିଂ ଜୋରଦାର କରାଯାଉଛି । ଆଉ ଏହାରି ଭିତରେ ଅନେକ ଗାଡିଚାଳକ ସଚେତନ ହୋଇ ହେଲମେଟ୍ ପିନ୍ଧୁଥିବା ବେଳେ ଅନେକ ବେପରୁଆ ଗାଡିଚାଳକ ବିନା ହେଲମେଟରେ ଗାଡିଚାଳନା କରୁଛନ୍ତି । ଆଉ ସେଭଳି ଗାଡିଚାଳକଙ୍କୁ ସଚେତନତାର ଏକ ନିଆରା ବାର୍ତ୍ତା ଦେଇଛି ଏହି କୁକୁର ।

ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଦେଖିବାକୁ ମିଳିଛି ଯେ, ଜଣେ ବ୍ୟକ୍ତି ନିଜ ପୋଷା କୁକୁରକୁ ବାଇକରେ ବସାଇ ନେଉଛନ୍ତି । ଆଉ ଆଶ୍ଚର୍ଯ୍ୟକର କଥା ହେଉଛି, ବାଇକର ପଛରେ ବସିଥିବା କୁକୁରଟି ମୁଣ୍ଡରେ ହେଲମେଟ୍ ପରିଧାନ କରିଛି । ଏହି ଘଟଣାଟି ହେଉଛି ତାମିଲନାଡୁର ।

ଏହି ଦୃଶ୍ୟ ଦେଖି କିଛି ଲୋକ ମୋବାଇଲରେ ଫଟୋ ଉଠାଉଥିଲେ ତ ଆଉ କିଛି ଲୋକ ଭିଡିଓ କରୁଥିଲେ । ଆଉ ବଡ କଥା ହେଉଛି, ଯେଉଁ ଗାଡିଚାଳକମାନେ ବିନା ହେଲମେଟରେ ଯାତାୟତ କରୁଥିଲେ, ସେମାନଙ୍କ ମୁଣ୍ଡ ଟିକିଏ ତଳକୁ ହୋଇଯାଇଥିଲା । ଅନ୍ୟପଟେ ନିଜ ପୋଷା କୁକୁରର ସୁରକ୍ଷା ପାଇଁ ଗାଡିଚାଳକ ଜଣଙ୍କର ଏଭଳି ପଦକ୍ଷେପକୁ ଅନେକ ଲୋକ ପ୍ରଂଶସା ମଧ୍ୟ କରିଛନ୍ତି । ଆଉ କୁକୁରଟି ବିନା ହେଲମେଟରେ ଗାଡି ଚଲାଉଥିବା ସେହି ବେପରୁଆ ଗାଡିଚାଳକଙ୍କ ପାଇଁ ସଚେତନତାର ଏକ ବଡ ବାର୍ତ୍ତା ଦେଉଛି ।