ପୁଣି ସମ୍ବଲପୁର ଫେରିଲା ଚକଡା ଚିନ୍ତା : ଧାନ କ୍ଷୀର ଭରିବା ବେଳେ ଲାଗିଲା ମହାମାରୀ ଚକଡା । କୀଟନାଶକ କାମ ନକରିବାରୁ ଚିନ୍ତାରେ ଚାଷୀ

47

କନକ ବ୍ୟୁରୋ : ସମ୍ବଲପୁର ଜିଲ୍ଲାକୁ ପୁଣି ଫେରିଛି ଚକଡ଼ା । ଧାନ ମହାମାରୀ ଚକଡ଼ାକୁ ନେଇ ଚାଷୀ ଆତଙ୍କ ହେବାରେ ଲାଗିଛି । ବର୍ତ୍ତମାନ ଚକଡ଼ା ପ୍ରାଥମିକ ସ୍ତରରେ ରହିଥିବା ବେଳେ ଚାଷୀ ମାନେ କୀଟନାଶକ ପ୍ରୟୋଗ କଲେ ମଧ୍ୟ କୌଣସି କାମ କରୁନାହିଁ ବୋଲି ଚାଷୀ ଅଭିଯୋଗ କରିଛନ୍ତି । ସେପଟେ ଘଟଣାର ତଦନ୍ତ କରିବା ପାଇଁ ଜିଳ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବଲପୁର ଜିଲ୍ଲାର ମାନେଶ୍ୱର ଓ ଧନକଉଡ଼ା ବ୍ଲକର ଧାନ ଜମିରେ ମାଡିଗଲେଣି ମହାମାରୀ ଚକଡା ପୋକ । ବ୍ଲକର ଅଧିକାଂଶ ଚାଷ ଜମି ଚକଡ଼ା ପୋକର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି ଚାଷୀ । ଏବେ ଚକଡ଼ା ପୋକ ଲାଗିବାର ପ୍ରାଥମିକ ସ୍ଥିତି ହୋଇଥିଲେ ସୁଦ୍ଧା କୀଟନାଶକ ପ୍ରୟୋଗ କଲେ ବି କାମ କରୁନାହିଁ । ଧାନ କେଣ୍ଡା ଖୀର ଭରିବା ସମୟରେ ଚକଡ଼ା ଲାଗିବାରୁ ଗଛ ଗୁଡ଼ିକ ମରିବାକୁ ବସିଲାଣି ।

ଏ ହେଉଛି ମାନେଶ୍ୱର ବ୍ଲକ ତବଲା ଓ ଗୁଡ଼େସିଂହା ଗାଁ ଚାଷ ଜମିର ଅବସ୍ଥା । ଗତ ଖରିଫ ଓ ରବିରେ ଚକଡ଼ା ଲାଗିବା ଦ୍ୱାରା ବ୍ୟାପକ ଧାନ ଫସଲ ନଷ୍ଟ ହେବା ସହ ଏଠାକାର ଚାଷୀ ବ୍ୟାପକ କ୍ଷତି ସହିଥିଲେ । ଏଥର ମଧ୍ୟ ଚକଡ଼ା ଲାଗିବାରୁ ଚାଷୀ ମହଲରେ ଆତଙ୍କ ଖେଳିଯାଇଛି ।

ଧାନରେ ଚକଡା ପୋକ ଲାଗି ଚାଷୀର ନିଦ ହଜେଇ ଦେଇଥିବା ବେଳେ ଜିଲ୍ଲା ପ୍ରଶାସନ ଓ କୃଷୀ ଅଧିକାରୀଙ୍କ ପାଖରେ ଏନେଇ ଖବର ନାହିଁ । କେବଳ ସୋସାଇଟିରେ ସବସିଡ଼ିରେ ଔଷଧ ଥିବା କହି ମୁଣ୍ଡ ଉପରୁ ଦୋଷ ଛଡ଼ାଉଛନ୍ତି କୃଷି ଅଧିକାରୀ ।