କରୋନା ପାଇଁ ପୁରୀ ବଡଦାଣ୍ଡ ହେଲା ସାନିଟାଇଜ: ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସହ ଶ୍ରୀମନ୍ଦିର କାର୍ଯ୍ୟାଳୟ ହେଲା ସାନିଟାଇଜ

Advertisment
କରୋନା ପାଇଁ ପୁରୀ ବଡଦାଣ୍ଡ ହେଲା ସାନିଟାଇଜ: ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସହ ଶ୍ରୀମନ୍ଦିର କାର୍ଯ୍ୟାଳୟ ହେଲା ସାନିଟାଇଜ

କନକ ବ୍ୟୁରୋ: ପୁରୀରେ ବିଶୋଧନ ପ୍ରକ୍ରିୟାକୁ ଜୋରଦାର କଲା ପ୍ରଶାସନ । ବଡଦାଣ୍ଡ ସମେତ ଶ୍ରୀମନ୍ଦିର ଆଖପାଖ ଅଂଚଳ ହେଲା ସ୍ୱଛ । ପାଣିରେ ସୋଡିୟମ ହାଇପୋ କ୍ଲୋରାଇଚ୍ ରସାୟନ ମିଶ୍ରଣ କରି କରାଯାଉଛି ସିଂଚନ । କରୋନା ପାଇଁ ଏବେ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଥିବା ବେଳେ ସହରକୁ ବିଶୋଧନ କରିବା ଆରମ୍ଭ ହୋଇଛି । ଅଗ୍ନିଶମ ବାହିନୀ ରସାୟନିକ ସାମଗ୍ରୀ ଜରିଆରେ ଏହି ବିଶୋଧନ କରୁଛି ।

ଅନ୍ୟପଟେ, ଆସନ୍ତା ଏପ୍ରିଲ ୨୬ ତାରିଖ ପବିତ୍ର ଅକ୍ଷୟ ତୃତୀୟାରୁ ରଥଯାତ୍ରାର ଆଦିପର୍ବ ଆରମ୍ଭ ହେବ। ସେ ଦିନ ରଥକାମ ଅନୁକୂଳ ହୋଇଥାଏ। ସେହି ଦିନଠାରୁ ରଥ କାମ ଆରମ୍ଭ ହେବା ସହିତ ଚନ୍ଦନଯାତ୍ରା ଆରମ୍ଭ ହୋଇଥାଏ। ତେବେ ଲକଡାଉନ ଅବଧି ବଢ଼ିବା ପରେ ଏବେ ମହାପ୍ରଭୁ ବିନା ଭକ୍ତରେ ଚାପ ଖେଳିବେ। ସେ ପଟେ ରଥ ନିର୍ମାଣ ପାଇଁ ପ୍ରଶାସନ ପ୍ରସ୍ତୁତି ଚଳାଇଛି। ଆବଶ୍ୟକ ରଥ କାଠ ପର୍ୟ୍ୟାୟ କ୍ରମେ ପୁରୀରେ ପହଞ୍ଚୁଛି। ଏପ୍ରିଲ ୨୬ ତାରିଖ ରଥ ଅନୁକୂଳ ନୀତି ନିରାଡ଼ମ୍ବରରେ ପାଳିତ ହେବ। ତେବେ କରୋନା ସ୍ଥିତି ଆଶାଜନକ ଭାବେ ନିୟନ୍ତ୍ରଣ ନ ହେଲେ ଏ ନେଇ ବିଚାର କରାଯିବ ବୋଲି ଜଣାପଡ଼ିଛି। ତେବେ ସେବକମାନେ କିନ୍ତୁ ରଥଯାତ୍ରା ବନ୍ଦ ସପକ୍ଷରେ ନାହାନ୍ତି। ଗତ ୫୦୦ ବର୍ଷର ଇତିହାସରେ ବହୁ ବିପତ୍ତି ସତ୍ତ୍ବେ ରଥଯାତ୍ରା ପାଳିତ ହୋଇଛି। ମହାପ୍ରଭୁ ଦେଉଳରେ ଥାଇ ରଥ ବନ୍ଦ ହୋଇନାହିଁ। ଏଥର ମଧ୍ୟ ହେବ ନାହିଁ ବୋଲି ସେମାନେ ଆଶା ରଖିଛନ୍ତି।

publive-image

କଟକଣା ଯୁକ୍ତ ରଥଯାତ୍ରା ହେଲେ ଏହା କିଭଳି ହେବ, ସମାଜିକ ଦୂରତା ଓ ବାହାର ପର୍ଯ୍ୟଟକଙ୍କୁ ଅନୁମତି ମିଳିବ କି ନାହିଁ ତାକୁ ନେଇ ଦ୍ବନ୍ଦ୍ବ ଉପୁଜିଛି। ଏହି ୯ ଦିନର ଘୋଷଯାତ୍ରାରେ ପ୍ରତିଦିନ ଆଡ଼ପ ମଣ୍ଡପ ଦର୍ଶନ ପାଇଁ ୩ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ପୁରୀ ଆସିଥା’ନ୍ତି। ସେହିଭଳି ବାହୁଡ଼ା ଯାତ୍ରା ଓ ସୁନାବେଶ ଦେଖିବା ପାଇଁ ମଧ୍ୟ ୧୫ ଲକ୍ଷ ଲୋକଙ୍କ ସମାଗମ ହୋଇଥାଏ। ଶ୍ରୀଗୁଣ୍ଡିଚା ଯାତ୍ରାରୁ ନୀଳାଦ୍ରି ବିଜେ ମଧ୍ୟରେ ପୁରୀକୁ ୫୦ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହୋଇଥାଏ। ଏତେ ସଂଖ୍ୟକ ଭକ୍ତଙ୍କୁ ରୋକିବା ପାଇଁ ସରକାର କିଭଳି ପଦକ୍ଷେପ ନେବେ ତାହା ଦେଖିବାକୁ ବାକି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe