କନକ ବ୍ୟୁରୋ: ଯେଉଁ ରାଜନୈତିକ କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସାମିଲ ହୋଇଥିଲେ , ସେଠାରେ ଜଣେ ବ୍ୟକ୍ତିଙ୍କ ଶରୀରରେ ଚିହ୍ନଟ ହୋଇଛି କରୋନା ଭାଇରସ । ଖବରଟି ନିଶ୍ଚିତ ହେବା ମାତ୍ରେ ହ୍ୱାଇଟ୍ ହାଉସରେ ବର୍ତ୍ତମାନ ଆଲୋଡନ ଖେଳିଯାଇଛି । ସେପଟେ, ଟ୍ରମ୍ପ କହିଛନ୍ତି ଯେ, ମୁଁ ଏଥିପ୍ରତି ଧ୍ୟାନ ଦେଉନାହିଁ ଆଉ ମୋର କାର୍ଯ୍ୟସୂଚୀ ପୂର୍ବଭଳି ଚାଲୁଛି ।

Advertisment

ମିଳିଥିବା ସୂଚନା ଅନୁସାରେ, କନଜରଭେଟିଭ ପଲିଟିକାଲ ଆକ୍ସନ କମିଟି ହେଉଛି ଆମେରିକାର କନଜରଭେଟିଭ୍ ରାଜନେତାମାନଙ୍କର ସବୁଠାରୁ ବଡ ସମାବେଶ । ତେବେ ନିକଟରେ ୱାଶିଂଟନରେ ଏହି ସଂସ୍ଥାର ଏକ ବଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମେତ ଉପରାଷ୍ଟ୍ରପତି ମାଇକ୍ ଫେନ୍ସ ମଧ୍ୟ ସାମିଲ ହୋଇଥିଲେ । ତେବେ କାର୍ଯ୍ୟକ୍ରମର ଆୟୋଜକ ଆମେରିକାନ କନଜରଭେଟିଭ ୟୁନିୟନ ରୋଗ ନିୟନ୍ତ୍ରଣ ଏବଂ ନିବାରଣ କେନ୍ଦ୍ରକୁ ଦର୍ଶାଇ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପୂର୍ବରୁ ଏହି ବ୍ୟକ୍ତିଙ୍କୁ ନ୍ୟୁ ଜର୍ସିର ଏକ ଡାକ୍ତରଖାନାରେ ପରୀକ୍ଷା କରାଯାଇଥିଲା ଏବଂ ପଜିଟିଭ୍ ରିପୋର୍ଟ ମିଳିଥିଲା। ଯାହାଫଳରେ ତାଙ୍କୁ ସାଧାରଣ ଜନତାଙ୍କଠାରୁ ଦୂରେଇ ରଖାଯାଇଛି । ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି । ସେହିଭଳି ଉକ୍ତ ବ୍ୟକ୍ତିଙ୍କର ରାଷ୍ଟ୍ରପତି କିମ୍ବା ଉପରାଷ୍ଟ୍ରପତିଙ୍କ ସହ ନା କୌଣସି ସମ୍ପର୍କ ରହିଛି ନା ହିଁ ସେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ମାତ୍ର ୟୁନିଅନର ଚେୟାରମ୍ୟାନ୍ ମ୍ୟାଟ ସ୍କାଲପ ଆମେରିକାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ସେ ଏହି କାର୍ଯ୍ୟକ୍ରମରେ ସଂକ୍ରମିତ ବ୍ୟକ୍ତିଙ୍କ ସହ କଥା ହୋଇଥିଲେ ଏବଂ ସମ୍ମିଳନୀର ଶେଷ ଦିନରେ ଟ୍ରମ୍ପଙ୍କ ସହ ହାତ ମିଳାଇଥିଲେ।