କୁସ୍ତିଯୋଦ୍ଧା ଓ ଦିଲ୍ଲୀ ପୁଲିସ ମୁହାଁମୁହିଁ ଘଟଣା: ଜନ୍ତରମନ୍ତରରେ ଧାରଣା ପାଇଁ ମିଳିବନି ଅନୁମତି

129

କନକ ବ୍ୟୁରୋ: ରବିବାର ଗୋଟେ ପଟେ ନୂଆ ସଂସଦଭବନ ଉଦଘାଟନ ଚାଲିଥିବା ସମୟରେ ଅନ୍ୟପଟେ ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିଲା ସଂଘର୍ଷ । ଗୋଟିଏ ମାସରୁ ଅଧିକ ସମୟ ଧରି ଧାରଣାରେ ବସିଥିବା କୁସ୍ତିଯୋଦ୍ଧାମାନେ ମହାପଂଚାୟତ ବାହାର କରିବାକୁ ନିଷ୍ପତି ନେଇଥିଲେ । ଯାହାକୁ ବିରୋଧ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଦିଲ୍ଲୀ ପୁଲିସ । କୁସ୍ତିଯୋଦ୍ଧାଙ୍କୁ ହେପାଜତକୁ ନେବା ସହ ଧାରଣା ସ୍ଥଳରେ ଥିବା ଶିବିରକୁ ମଧ୍ୟ ଭାଙ୍ଗିଦିଆଯାଇଛି । କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ, ଭିନେଶ ଫୋଗଟ ଓ ବଜରଙ୍ଗ ପୁନିଆଙ୍କ ନାଁରେ ଏଫଆଇଆର ରୁଜୁ କରିଛି । ଘଟଣାକୁ ଗୋଟିଏ ଦିନ ପୂରିବା ପରେ ଏବେ ଆସିଛି ଦିଲ୍ଲୀ ପୁଲିସର ଶକ୍ତ ନିର୍ଦ୍ଦେଶ । ଜନ୍ତରମନ୍ତରରେ ଆଉ ଧାରଣା କରିବାକୁ ଅନୁମତି ଦିଆଯିବନି ବୋଲି କୁହାଯାଇଛି । ସେପଟେ କୁସ୍ତିଯୋଦ୍ଧା କହିଛନ୍ତି ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଲଢେଇ ଜାରି ରଖିବେ ।

ଅନ୍ୟପଟେ ପୂର୍ବତନ ଆଇପିଏସ ଅଧିକାରୀଙ୍କ ଏକ ଟୁଇଟକୁ ନେଇ ନୂଆ ବିବାଦ ସଷ୍ଟି ହୋଇଛି । ଟୁଇଟ କରି ଏନସି ଅସ୍ଥାନା କହିଥିଲେ ଆବଶ୍ୟକ ପଡିଲେ ଗୁଳିମାରିବାକୁ ପଛାଇବ ନାହିଁ ଦିଲ୍ଲୀ ପୁଲିସ । ଏହାକୁ ବିରୋଧ କରି କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଖୋଲା ଚ୍ୟାଲେଂଜ ଦେଇଛନ୍ତି । ସେ କହିଛନ୍ତି ଗୁଳି ଖାଇବା ପାଇଁ ଆମେ ପ୍ରସ୍ତୁତ । ସେପଟେ କୁସ୍ତିଯୋଦ୍ଧାଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି ଚାଷୀ ନେତା ରାକେଶ ଟିକାୟତ ।

ରବିବାର ସଂସଦ ଭବନ ଉଦଘାଟନ ଚାଲିଥିବା ସମୟରେ ଶୋଭାଯାତ୍ରାରେ ବହାରିଥିଲେ କୁସ୍ତିଯୋଦ୍ଧା । ଦିଲ୍ଲୀର ଜନ୍ତରମନ୍ତରରେ ଆନ୍ଦୋଳନ ଜାରି ରଖିଥିବା କୁସ୍ତିଯୋଦ୍ଧା ମହାପଂଚାୟତ କରିବାକୁ ନୂଆ ସଂସଦ ଭବନ ଆଡକୁ ଯିବା ବେଳେ ବାଟରେ ଅଟାକାଇଥିଲା ପୋଲିସ । ହେଲେ କୁସ୍ତିଯୋଦ୍ଧା ମାନେ ଆଗକୁ ମାଡିଚାଲିବାରୁ ସେମାନଙ୍କୁ ଉଠାଇନେଇଥିଲା ପୋଲିସ । ଏହାପରେ ସେଠାରେ ଉତେଜନା ପରିସ୍ଥିତି ଉପୁଜିଥିଲା । ହେପାଜତକୁ ନିଆଯାଇଥିବା କିଛି କୁସ୍ତିଯୋଦ୍ଧାଙ୍କୁ ପୁଲିସ କିଛି ସମୟ ମଧ୍ୟରେ ଛାଡି ଦେଇଥିବା ସୂଚନା ମିଳିଛି ।