ଆଫଗାନିସ୍ତାନରେ ପ୍ରଦର୍ଶନ ଉପରେ ପ୍ରତିବନ୍ଧକ ଲଗାଇଲେ ତାଲିବାନ ସରକାର

୨୪ଘଂଟା ପୂର୍ବରୁ ନେବାକୁ ପଡିବ ଅନୁମତି, ଲକ୍ଷ୍ୟ, ସ୍ଥାନ, ନାରା ସମ୍ପର୍କରେ ଦେବାକୁ ପଡିବ ତଥ୍ୟ; ନହେଲେ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

191

କନକ ବ୍ୟୁରୋ : ଆଫଗାନିସ୍ତାନରେ ନୂଆ ସରକାର ଗଠନ ନେଇ ତାଲିବାନ ଘୋଷଣା କରିବା ପରେ ସରକାର ବିରୋଧରେ ବିରୋଧ ପ୍ରଦର୍ଶନ ବଢିବାରେ ଲାଗିଛି । ଏହାକୁ ନଜରରେ ରଖି ତାଲିବାନ ସରକାରର ଗୃହ ମନ୍ତ୍ରଣାଳୟ ବିରୋଧ ପ୍ରଦର୍ଶନକୁ ନେଇ ନୂଆ ନିୟମ ଜାରି କରିଛି । ବର୍ତ୍ତମାନ ତାଲିବାନ ସରକାର ଆଫଗାନିସ୍ତାନ ସରକାର କୌଣସି ପ୍ରଦର୍ଶନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ବିନା ଅନୁମତିରେ ସେଠାରେ ଏବେ ପ୍ରଦର୍ଶନ କରାଯାଇପାରିବନାହିଁ । ପ୍ରଦର୍ଶନର ୨୪ ଘଣ୍ଟା ପୂର୍ବରୁ ଅନୁମତି ନେବାକୁ ପଡିବ ।

ନୂଆ ନିୟମ ଅନୁସାରେ, ବିରୋଧ ପ୍ରଦର୍ଶନ ପାଇଁ ଆଇନ ମନ୍ତ୍ରଣାଳୟର ଅନୁମତି ନେବାକୁ ପଡିବ । ବିରୋଧ ପ୍ରଦର୍ଶନ ବେଳେ କେଉଁ ନାରା ଦିଆଯିବ, ସ୍ଥାନ, ସମୟ ଓ ଲକ୍ଷ୍ୟ ସମ୍ପର୍କରେ ପ୍ରଶାସନକୁ ଜଣାଇବାକୁ ହେବ । ଏହା ନ କଲେ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତାଲିବାନ ସରକାର ଧମକ ଦେଇଛନ୍ତି । ଆଫଗାନିସ୍ତାନରେ ସୋମବାର ଦିନ ହିଁ ନୂଆ ସରକାର ଗଠନ ହୋଇଛି । ଆଉ ସରକାର ବିରୋଧରେ ଅସନ୍ତୋଷ ବଢିବାରେ ଲାଗିଛି । କାବୁଲ ସମେତ ବିଭିନ୍ନ ସ୍ଥାନରେ ପ୍ରଦର୍ଶନ ହୋଇଛି । କେତେକ ସ୍ଥାନରେ ମହିଳାମାନେ ବି ତାଲିବାନ ସରକାର ବିରୋଧରେ ଆଗକୁ ଆସିଛନ୍ତି । ପ୍ରଦର୍ଶନ ବେଳେ ହିଂସା ବି ହୋଇଛି । କାବୁଲ ଓ ହେରତରେ ମଙ୍ଗଳବାର ଦିନ ବିରୋଧ ପ୍ରଦର୍ଶନ କରୁଥିବାବେଳେ ଗୁଳିମାଡରେ ୨ ଜଣ ପ୍ରାଣ ବି ହରାଇଛନ୍ତି ।

ସେପଟେ, ତାଲିବାନ ନୂଆ ସରକାର ଘୋଷଣା କରିବା ପରେ ଏହାର ସର୍ବୋଚ୍ଚ ନେତା ହିବାତୁଲ୍ଲା ଅଖୁନ୍ଦଜାଦା ପ୍ରଥମ ବାର୍ତ୍ତା ଜାରି କରିଛନ୍ତି । ଅଖୁନ୍ଦଜାଦା ପ୍ରଥମ ବାର୍ତ୍ତାରେ କହିଛନ୍ତି, ନୂଆ ସରକାର ସବୁ ପ୍ରସଙ୍ଗରେ ଶରିଆ ଆଇନର ଅନୁକରଣ କରିବ । ନୂଆ ନେତୃବୃନ୍ଦ ଶାନ୍ତି, ସମୃଦ୍ଧି ଏବଂ ବିକାଶ ଆଣିଦେବ ବୋଲି ଅଖୁନ୍ଦଜାଦା ଆଫଗାନ୍ ବାସିନ୍ଦାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । କୌଣସି ଲୋକ ଦେଶ ନଛାଡିବା ପାଇଁ ସେ କହିଛନ୍ତି । ଇସଲାମିକ୍ ଏମିରେଟ୍ସର କୌଣସି ଲୋକଙ୍କ ସହ କିଛି ସମସ୍ୟା ନାହିଁ । ସମସ୍ତେ ଆଫାଗାନିସ୍ତାନକୁ ସୁଦୃଢ କରିବା ଦିଗରେ ଅଂଶଗ୍ରହଣ କରିବେ । କୌଣସି ଲୋକ ଭବିଷ୍ୟତକୁ ନେଇ ଚିନ୍ତା ନକରିବାପାଇଁ ସେ କହିଛନ୍ତି ।