ଯାଜପୁରର ପ୍ରସିଦ୍ଧ ବିରଜା କ୍ଷେତ୍ରରେ ପାଳନ ହେବ ରଥଯାତ୍ରା । ରଥଯାତ୍ରା କରିବାକୁ ହାଇକୋର୍ଟଙ୍କ ଅନୁମତି । କୋଭିଡ କଟକଣାକୁ ଗୁରୁତ୍ୱ ଦେବାକୁ ଯାଜପୁର ଜିଲ୍ଲାପାଳଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ

ବିରଜା କ୍ଷେତ୍ରରେ ରଥଯାତ୍ରାକୁ ଅନୁମତି

128

କନକ ବ୍ୟୁରୋ : କରୋନା ମହାମାରୀ ବେଳେ ଅନୁଷ୍ଠିତ ହେବ ଯାଜପୁର ବିରଜା କ୍ଷେତ୍ରରେ ରଥଯାତ୍ରା । ଏନେଇ ଏକ ଅପିଲର ଶୁଣାଣି କରି ଅନୁମତି ଦେଇଛନ୍ତି ହାଇକୋର୍ଟ । କୋଭିଡ କଟକଣା ପାଳନ ସହ ରଥଯାତ୍ରା କରିବାକୁ ହାଇକୋର୍ଟ ଯାଜପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କହିରଖୁ କି ଆସନ୍ତା ୧୭ ତାରିଖରେ ଏହି ରଥଯାତ୍ରା ଅନୁଷ୍ଠିତ ହେବ । କିନ୍ତୂ କରୋନା ମହାମାରୀକୁ ଦୃଷ୍ଟିରେ ରଖି ରଥଯାତ୍ରା ବନ୍ଦ ରଖିବାକୁ ଜିଲ୍ଲାପ୍ରଶାସନ ରଥଯାତ୍ରା କମିଟିକୁ କହିଥିଲେ । ଏହାପରେ ମନ୍ଦିର କମିଟି କୋର୍ଟରେ ଦ୍ୱାରସ୍ଥ ହୋଇଥିଲା । ଏହି ଅପିଲର ଶୁଣାଣି କରି କୋର୍ଟ ରଥଯାତ୍ରା କରିବାକୁ ଅନୁମତି ଦେଇଛନ୍ତି ।

ସେପଟେ ରାଜ୍ୟରେ ମନ୍ଦିର ଖୋଲିବା ନେଇ ସରକାରଙ୍କ ଚିଠି । ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ରାଜ୍ୟ ସରକାରଙ୍କ ଅଧିନରେ ଥିବା ଅନ୍ୟ ମନ୍ଦିର ଗୁଡିକୁ ରାଜ୍ୟ ସରକାରଙ୍କ ଚିଠି । ମନ୍ଦିର ଖୋଲିବା ନେଇ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । କରୋନା ନିୟମ ପାଳନ କରି କିପରି ମନ୍ଦିର ଖୋଲାଯାଇ ପାରିବ ସେ ସଂପର୍କରେ ଜଣାଇବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି । ଆଲୋଚନା କରି ୧୦ ଦିନ ମଧ୍ୟରେ ଏ ସଂପର୍କରେ ସରକାରଙ୍କୁ ଜଣାଇବାକୁ କୁହାଯାଇଛି । ରାଜ୍ୟର ପ୍ରମୁଖ ମନ୍ଦିର ଗୁଡିକ ଥିବା ଜିଲ୍ଲାର ଜିଲ୍ଲାପାଳମାନେ ଏନେଇ ରିପୋର୍ଟ ୧୦ ଦିନ ମଧ୍ୟରେ ଦାଖଲ କରିବେ । ମନ୍ଦିର ସହିତ ଜଡିତ ସମସ୍ତ ପକ୍ଷଙ୍କ ସହ ଆଲୋଚନା କରି ନିଷ୍ପତି ନେବାକୁ କୁହାଯାଇଛି । ଏନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ।