ଲୋକସଭାରେ ଓଡ଼ିଆ ସାଂସଦଙ୍କ ପ୍ରଦର୍ଶନ ! ଦେଖନ୍ତୁ କିଏ ଆଗରେ କିଏ ପଛରେ

38

କନକ ବ୍ୟୁରୋ : ଲୋକସଭାରେ କେମିତି ଅଛି ଆମ ସାଂସଦଙ୍କ ପ୍ରଦର୍ଶନ ? କେଉଁ ସାଂସଦ ନମ୍ବର-୧? କେଉଁ ସାଂସଦ ସବୁଠୁ ପଛରେ ? କେଉଁ ସାଂସଦ ସବୁଠାରୁ ଅଧିକ ବିତର୍କରେ ଭାଗ ନେଇଛନ୍ତି? ଏବଂ କେଉଁ ସାଂସଦ ସବୁଠାରୁ ଅଧିକ ପ୍ରଶ୍ନ କରିଛନ୍ତି? ଏବଂ କିଏ ଲୋକସଭାରେ ଆଦୌ ସକ୍ରିୟ ନୁହନ୍ତି? ପିଆରଏସ୍ ଲେଜିସ୍ଲେଟିଭ୍ ରିସର୍ଚ୍ଚ ନାମକ ଏକ ସଂସ୍ଥା ଏହି ତଥ୍ୟ ୱେବସାଇଟରେ ଅପଲୋଡ୍ କରିଛି । ଦେଖନ୍ତୁ ଭୋଟ ଦେଇ ଆପଣ ସଂସଦକୁ ପଠାଇଥିବା ଆପମଣଙ୍କ ପ୍ରତିନିଧିଙ୍କ ପ୍ରଦର୍ଶନ କେମିତି ଅଛି ?

ଲୋକସଭାରେ ହେଉଥିବା ବିତର୍କରେ କେତେ ଭାଗ ନିଅନ୍ତି ଆମ ସାଂସଦ? ବାଲେଶ୍ୱର ସାଂସଦ ରବୀନ୍ଦ୍ର କୁମାର ଜେନା, କଟକ ସାଂସଦ ଭିର୍ତ୍ତୃହରି ମହତାବ ଓ ଜଗତସିଂହପୁର ସାଂସଦ ଡାକ୍ତର କୁଳମଣି ସାମଲଙ୍କ ରିପୋର୍ଟ କାର୍ଡ । ଜାତୀୟ ହାରଠାରୁ ଢ଼େର ଉପରେ ଥିବା ଏହି ସାଂସଦମାନେ ୨୧ ସାଂସଦଙ୍କ ମଧ୍ୟରେ ସବୁଠାରୁ ଆଗରେ ଅଛନ୍ତି । ରବୀନ୍ଦ୍ର ୨୪୮ଟି ବିତର୍କରେ ଭାଗ ନେଇଥିବା ବେଳେ, ଭିର୍ତ୍ତୃହରି ୨୦୪ ଓ କୁଳମଣି ୧୦୬ଟି ବିତର୍କରେ ଭାଗ ନେଇଛନ୍ତି ।

ତେବେ ବିତର୍କରେ ଭାଗ ନେବାରେ ସବୁଠାରୁ ପଛରେ ପଡ଼ିଥିବା ତିନି ଓଡ଼ିଆ ସାଂସଦ ହେଲେ- ଭଦ୍ରକ ସାଂସଦ ଅର୍ଜୁନ ସେଠୀ, ବ୍ରହ୍ମପୁର ସାଂସଦ ସିିଦ୍ଧାନ୍ତ ମହାପାତ୍ର ଓ କୋରାପୁଟର ସାଂସଦ ଝିନ ହିକକା । ଆଶ୍ଚର୍ଯ୍ୟର କଥା ହେଉଛି- ଅର୍ଜୁନ ସେଠୀ କୌଣସି ବିତର୍କରେ ଭାଗ ନେଇନାହାନ୍ତି । ସିଦ୍ଧାନ୍ତ ମହାପାତ୍ର ମାତ୍ର ୬ଟି ବିତର୍କରେ ଭାଗ ନେଇଥିବା ବେଳେ, ଝିନ ହିକକା କେବଳ ୭ଟି ବିତର୍କରେ ଭାଗ ନେଇଛନ୍ତି ।

ଏବେ ନଜର ପକାନ୍ତୁ, ଲୋକସଭାରେ ପ୍ରଶ୍ନ ପଚାରିବା କ୍ଷେତ୍ରରେ କେଉଁ ସାଂସଦ ସବୁଠାରୁ ଆଗରେ ଅଛନ୍ତି? ପିଆରଏସ୍ ଲେଜିସଲେଟିଭ୍ ରିସର୍ଚ୍ଚ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ, ଲୋକସଭାରେ ସବୁଠାରୁ ଅଧିକ ପ୍ରଶ୍ନ କରିଥିବା ୩ ଓଡ଼ିଆ ସାଂସଦ ହେଲେ- ନଗେନ୍ଦ୍ର ପ୍ରଧାନ, ଭର୍ତ୍ତୃହରି ମହତାବ ଓ ବୈଜୟନ୍ତ ପଣ୍ଡା । ଜାତୀୟ ସ୍ତରରେ ଜଣେ ସାଂସଦ ହାରାହାରି ୨୧୫ଟି ପ୍ରଶ୍ନ ପଚାରିଥିବା ବେଳେ ନଗେନ୍ଦ୍ର ପ୍ରଧାନ ୫୦୧ଟି ପ୍ରଶ୍ନ କରିଛନ୍ତି । ସେହିଭଳି ଭର୍ତ୍ତୃହରି ୪୨୫ଟି ଓ ବୈଜୟନ୍ତ ୪୧୬ଟି ପ୍ରଶ୍ନ କରିଛନ୍ତି ।

କିନ୍ତୁ ଏହି ସାଂସଦମାନେ ଲୋକସଭାରେ ପ୍ରଶ୍ନ ପଚାରିବା କ୍ଷେତ୍ରରେ ସବୁଠାରୁ ପଛରେ ଅଛନ୍ତି-ସେମାନେ ହେଲେ- ସିଦ୍ଧାନ୍ତ ମହାପାତ୍ର, ପ୍ରସନ୍ନ ପାଟ୍ଟଶାଣୀ ଓ ଝିନ ହିକକା । ଜାତୀୟ ସ୍ତରରେ ଜଣେ ସାଂସଦ ୨୧୫ଟି ପ୍ରଶ୍ନ ପଚାରିଥିବା ବେଳେ ଆଶ୍ଚର୍ଯ୍ୟର କଥା ସିଦ୍ଧାନ୍ତ ମହାପାତ୍ର କୌଣସି ପ୍ରଶ୍ନ କରିନାହାନ୍ତି । ସେହିଭଳି ପ୍ରସନ୍ନ ପାଟ୍ଟଶାଣୀ ମାତ୍ର ୩ଟି ଓ ଝିନ ହିକକା ମାତ୍ର ୧୦ଟି ପ୍ରଶ୍ନ କରିଥିବା ଦେଖାଯାଇଛି ।

ଏକ ଅଣଲାଭକାରୀ ସଂସ୍ଥା- ପିଆରଏସ୍ ଲେଜିସ୍ଲେଟିଭ୍ ରିସର୍ଚ୍ଚ ଏହି ତଥ୍ୟ ସାମନାକୁ ଆଣିଥିବା ବେଳେ, ଓଡ଼ିଶାର ଅଧିକାଂଶ ସାଂସଦ ଜାତୀୟ ହାର ତୁଳନାରେ ପଛରେ ପଡ଼ିଯାଉଥିବା ଦେଖଯାଉଛି ।