ନିଜ ନିର୍ବାଚନ କ୍ଷେତ୍ରରେ ପ୍ରଦର୍ଶନ ଆଧାରରେ ହେବ ନେତାଙ୍କ ମୂଲ୍ୟାୟନ : ନବୀନଙ୍କ ସଙ୍କେତ ପରେ ସୂତା ଖିଅରେ ଝୁଲୁଛି ମନ୍ତ୍ରୀ ଓ ବିଧାୟକଙ୍କ ଭାଗ୍ୟ

37

କନକ ବ୍ୟୁରୋ : ପୁଷ୍ପେନ୍ଦ୍ର ସିଂଦେଓ , ନଗର ଉନ୍ନୟନ ମନ୍ତ୍ରୀ । ପଂଚାୟତ ଭୋଟରେ ଫୁସକି ଯାଇଛି ପତିିଆରା
କଳାହାଣ୍ଡିରେ ବିଜେଡିର ଗଡରକ୍ଷା କରିବାକୁ ଅସମର୍ଥ ହୋଇଛନ୍ତି ମନ୍ତ୍ରୀ । ପକେଟ ଭୋଟକୁ ପାଖରେ ରଖିପାରି ନାହାନ୍ତି ପୁଷ୍ପେନ୍ଦ୍ର । ୨୦୧୨ରେ ଯେଉଁଠି ୨୮ଟି ଜୋନରେ ଜିତି ପରିଷଦ ଗଠନ କରିଥିଲା ବିଜେଡି, ଏଥର ଆଦୌ ଖାତା ଖୋଲିବାକୁ ସମର୍ଥ ହେଲାନି ।

ଯୋଗେନ୍ଦ୍ର ବେହେରା ,କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ମନ୍ତ୍ରୀ । ବଲାଙ୍ଗୀରରେ ରଖିପାରିଲେନି ବିଜେଡି ଭୋଟ୍ । ପଶ୍ଚିମାଂଚଳର ଆଉଏକ ବିଜେଡି ଗଡ ବଲାଙ୍ଗୀରରେ ବି ଲାଗିଛି ଶାସକ ଦଳକୁ ଝଟକା । ମୋଟ ୩୪ଟି ଜିଲ୍ଲାପରିଷଦ ଜୋନରୁ ୨୪ଟି ବିଜେପି ପୋଛିନେଇ ମନ୍ତ୍ରୀଙ୍କୁ ଅଡୁଆ ଭିତରକୁ ଠେଲି ଦେଇଛି । ଏପରିକି ନିଜ ନିର୍ବାଚନ କ୍ଷେତ୍ର ଲୋଇସିଂହାରେ ଗୋଟିଏ ବି ଜୋନକୁ ସୁରକ୍ଷା ଦେଇପାରିନାହାନ୍ତି ମନ୍ତ୍ରୀ ।

ସ୍ନେହାଙ୍ଗିନୀ ଛୁରିଆ ,ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ।  ବରଗଡରେ ମନ୍ତ୍ରୀଙ୍କ ସ୍ଥିତି ଆହୁରି ଗମ୍ଭୀର । ଏଠି ମଧ୍ୟ ୮ରେ ଅଟକି ଯାଇଛି ବିଜେଡି । ମନ୍ତ୍ରୀଙ୍କ ନିଜ ନିର୍ବାଚନ କ୍ଷେତ୍ର ଅତାବିରାରେ ୪ଟିଯାକ ଜିଲ୍ଲାପରିଷଦ ଜୋନ ବିଜେପି ପୋଛିନେବା ସ୍ନେହାଙ୍ଗିନୀଙ୍କ ପାଇଁ ସଂକଟ ସୃଷ୍ଟି କରିଛି । ଏଠି ମଧ୍ୟ ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦ ଉପରେ କବଜା କରିଛି ବିଜେପିି ।

ସୁଦାମ ମାରାଣ୍ଡି ,କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ।  ମୟୁରଭଞ୍ଜରେ ପ୍ରଭାବହୀନ ମନ୍ତ୍ରୀଙ୍କ ମ୍ୟାଜିକ ।  ଗଞ୍ଜାମ ଜିଲ୍ଲା ପରେ ମୟୁରଭଞ୍ଜରେ ଦ୍ୱିତୀୟ ସର୍ବାଧିକ ଜିଲ୍ଲାପରିଷଦ ଜୋନ୍ । ଆଉ ଜେଏମଏମ ଛାଡି ବିଜେଡିରେ ସାମିଲ ସୁଦାମ ମାରାଣ୍ଡି, ଜିଲ୍ଲାରେ ବିଜେଡି ପାଇଁ ସବୁଠାରୁ ବେଶି କ୍ଷତି କରିଛନ୍ତି । ଏହି ଜିଲ୍ଲାକୁ ପୋଛିନେବା ସହ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି ବିଜେପି ।

ଲାଲବିହାରୀ ହିମରିକା , ଅନସୂଚିତ ଜାତି ଓ ଜନଜାତି ମନ୍ତ୍ରୀ । ୮ଟି ଜିଲ୍ଲାରେ ବିଜେଡିକୁ ସିଧାସଳଖ ଭାରତୀୟ ଜନତା ପାର୍ଟି ଚ୍ୟାଲେଞ୍ଜ ଦେଇଥିବାବେଳେ ରାୟଗଡାରେ ସ୍ଥିତି ମନ୍ତ୍ରୀ ଲାଲବିହାରୀ ହିମରିକାଙ୍କ ପାଇଁ ସଂକଟ ଆଣିଦେଇଛି । କାରଣ ଏଠାରେ ବିଜେଡି ହାତରୁ କ୍ଷମତା ଛଡାଇ ନେଇଛି କଂଗ୍ରେସ ।

ନିରଞ୍ଜନ ପୂଜାରୀ ଓ ସାନନ୍ଦ ମାରାଣ୍ଡି । ଜଣେ ବାଚସ୍ପତି ଅନ୍ୟ ଜଣେ ଉପବାଚସ୍ପତି । ସୋନପୁରରେ ୧୦ଟି ଆସନ ସହ ଜିଲ୍ଲାପରିଷଦ ଗଠନ କରିଛି ବିଜେପି । ଆଉ ଏହା ସୋନପୁର ବିଜେଡି ବିଧାୟକ ତଥା ବିଧାନସଭା ବାଚସ୍ପତି ନିରଞ୍ଜନ ପୂଜାରୀଙ୍କ ବିଫଳତା ବୋଲି କୁହାଯାଉଛି । ସେହିପରି ମୟୁରଭଞ୍ଜରେ ବିଜେଡିର ଖରାପ ପ୍ରଦର୍ଶନ ପାଇଁ ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ଉପବାଚସ୍ପତି ସାନନ୍ଦ ମାରାଣ୍ଡିଙ୍କ ଭିତରେ ବିବାଦ ବୋଲି ଚର୍ଚ୍ଚା ହେଉଛି ।

ଦିବ୍ୟଶଙ୍କର, ଅନାମ, ରାସେଶ୍ୱରୀ, ରୋହିତ, ମାନସ, ଡମ୍ବରୁ, ଦେବେଶ, ସୁଶାନ୍ତ । ପଂଚାୟତ ଫଳାଫଳ ଆସିବା ପରେ ନିଜ ଅଂଚଳରେ ପ୍ରଦର୍ଶନ ଆଧାରରେ ନେତାଙ୍କ ମୂଲ୍ୟାୟନ ହେବ ବୋଲି କହିସାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେଣୁ ଜୁନାଗଡ ବିଧାୟକ ଦିବ୍ୟଶଙ୍କର ମିଶ୍ର, ଭବାନୀପାଟଣା ବିଧାୟକ ଅନାମ ନାୟକ, ସମ୍ବଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ, ରେଢାଖୋଲ ବିଧାୟକ ରୋହିତ ପୂଜାରୀ, ବରଗଡ ବିଧାୟକ ସୁଶାନ୍ତ ସିଂ, ଭଟଲୀ ବିଧାୟକ ଦେବେଶ ଆଚାର୍ଯ୍ୟ, ମାଲକାନଗିରି ବିଧାୟକ ମାନସ ମାଡକାମୀ ଓ ବିଚ୍ଛିନ୍ନାଂଚଳ ବିଧାୟକ ଡମ୍ବରୁ ଶିଶାଙ୍କ ପାଇଁ ସତର୍କ ଘଂଟି ବାଜିଛି ।