କନକ ବ୍ୟୁରୋ : ଦେଶ ତୁଳନାରେ ଓଡ଼ିଶାରେ ବଢିଛି ମୁଣ୍ଡପିଛା ଆୟ । ୨୦୧୧ରୁ ୨୦୨୦ ମଧ୍ୟରେ ରାଜ୍ୟର ମୁଣ୍ଡପିଛା ଆୟ ଦେଶର ଆୟ ତୁଳନାରେ ଅଧିକ । ୩ ଦିନିଆ ଓଡ଼ିଶା ଆସି ଭୁବନେଶ୍ୱରରେ ପହଂଚିବା ପରେ ଏହା କହିଛନ୍ତି, ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ।
ଲୋକସେବା ଭବନର କନଭେନସନ ହଲରେ ହେବାକୁ ଥିବା ବୈଠକରେ ନୀତି ଆୟୋଗ ସଦସ୍ୟ ଭିକେ ପଲ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ ଜେନା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ସାମିଲ ହେବେ । ଏହି ବୈଠକ ପୂର୍ବାହ୍ନ ସାଢେ ୧୧ଟାରୁ ଆରମ୍ଭ ହୋଇ ଦିନ ସାଢେ ଗୋଟାଏ ଯାଏଁ ଚାଲିବ ।
ରାଜୀବ କୁମାର କହିଛନ୍ତି ଓଡ଼ିଶାରେ ଭରପୁର ଖଣିଜ ପଦାର୍ଥ ମହଜୁଦ୍ ରହିଛି । ତାହା କିପରି ବଢିପାରିବ ଓ ଅଧିକ ସଦୁପଯୋଗ ହୋଇପାରିବ ସେନେଇ ଆଲୋଚନା କରାଯିବ । ଏହା ସହ ଓଡ଼ିଶାର ପର୍ଯ୍ୟଟନ ଓ କୃଷିର ଅଗ୍ରଗତି କିପରି ହୋଇପାରିବ, ସେନେଇ ମଧ୍ୟ ଆଲୋଚନା କରାଯିବ । ଆଜିର ବୈଠକରେ ରାଜ୍ୟ ସରକାରଙ୍କ ପକ୍ଷରୁ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ଆଗରେ ତଥ୍ୟ ଉପସ୍ଥାପନ କରିବେ । ଏହି ଅବସରରେ ସ୍ୱତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା, ଆକାଂକ୍ଷୀ ଜିଲ୍ଲା ପାଇଁ ଅଧିକ କେନ୍ଦ୍ରୀୟ ଅନୁଦାନ, ଗ୍ରାମ୍ୟ ଭିତିଭୂମି ସୁଦୃଢ କରିବା ପାଇଁ ଅଧିକ ଅନୁଦାନ, କୋଇଲା ରୟାଲଟି ସଂଶୋଧନ ପ୍ରସ୍ତାବ ଆଦି ଓଡିଶା ଦେଇପାରେ ବୋଲି ସୂଚନା ମିଳିଛି ।