ଗୋଟିଏ ଫୁଲ କୋବିର ଓଜନ ୭ କେଜି । ରସାୟନିକ ନୁହେଁ ଜୈବିକ ପ୍ରଣାଳୀରେ ଚାଷ ହେଉଛି, ରାଜ୍ୟ ବାହାରକୁ ବି ରପ୍ତାନୀ ହେଉଛି ।

846

କନକ ବ୍ୟୁରୋ: ଫୁଲ୍ଲ କୋବି ଏକ ଏମିତି ପରିବା ଯାହା ପ୍ରାୟତ ସମସ୍ତଙ୍କର ପସନ୍ଦ । ଭୋଜି ହେଉ କି ଘର ପାଇଁ ସମସ୍ତେ ନିଅନ୍ତି ଫୁଲ୍ଲ କୋବି ଯାହା ସବୁ ବଜାର ରେ ମିଳେ । ଆଉ ଫୁଲ୍ଲ କୋବି ଯାହାର ଓଜନ ପ୍ରାୟ ଏକ କିଲୋରୁ ଦେଢ କିଲୋ କିମ୍ବା ଅତିବେଶିରେ ୩ କିଲୋ ପର୍ଯ୍ୟନ୍ତ ହୋଇଥାଏ । ହେଲେ ଆମେ ଆଜି ଏମିତି ଏକ ଫୁଲ୍ଲ କୋବି ଚାଷୀଙ୍କ ବିଷୟରେ କହିବୁ ଯାହାଙ୍କୁ ଜାଣିଲେ ଆପଣ ମଧ୍ୟ ହତବାକ୍ ହୋଇଯିବେ । ଜୈବିକ ସାର ଓ ନିଜର ୧୦ ବର୍ଷର ଅଭିଜ୍ଞତା ଯୋଗୁଁ ଗୋଟିଏ ଗୋଟିଏ ଫୁଲ୍ଲ କୋବିର ଓଜନ ୫ରୁ ୭କିଲୋ ପର୍ଯ୍ୟନ୍ତ ବାହାର କରି ଚାଷୀଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ପିପିଲି ଦାଣ୍ଡମକୁନ୍ଦପୁରର ଭାସ୍କର ରାଉତ ।

ଦକ୍ଷିଣ କୋରିଆରୁ କୋବି ମଞ୍ଜି ମଗାଇ ବିନା ରାସାୟନିକ ସାର କି କେମିକାଲ ପ୍ରୟୋଗ ନକରି ନିଜେ ପ୍ରସ୍ତୁତ କରିଥିବା ନିମ୍ବ ତେଲ, ଗୋ ମୁତ୍ର ,କରଞ୍ଜ ତେଲ , ଗୋବର କ୍ଷତ ଭଳି ଜୈବିକ ଉପାଦାନରେ ଭାସ୍କର ଚାଷ କରୁଛନ୍ତି ୫ରୁ ୭ କେଜିଆ କୋବି । କେବଳ ଏତିକି ନୁହେଁ ଖରା ଦିନେ ପତ୍ର କୋବି ଚାଷ କରି ସବୁଆଡେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥିଲେ ଭାସ୍କର । ବାତ୍ୟାରେ ୪୦ ହଜାର କୋବି ଗଛ ନଷ୍ଠ ହୋଇ ଯାଇଥିଲେ ମଧ୍ୟ ହତାଶ୍ ନହୋଇ ପୁଣି ଆରମ୍ଭ କରିଛନ୍ତି କୋବି ଚାଷ । ଗୋଟିଏ କୋବି ୫ରୁ ୭ କିଲୋ ହୋଇଥିବା ବେଳେ ୪୦ରୁ ୫୦ ଟଙ୍କା ବିକ୍ରିରେ ବିକ୍ରି କରି ଲାଭବାନ୍ ହେଉଛନ୍ତି ଭାସ୍କର । ୨ ଏକରରୁ ଅଧିକ ଜମିରେ ଚାଷ କରି ପ୍ରତିଦିନ ୪ରୁ ୫ଜଣଙ୍କୁ କାମରେ ଲଗାଇ ଅନ୍ୟମାନଙ୍କୁ ରୋଜଗାରର ରାସ୍ତା ବି ଦେଖାଉଛନ୍ତି । ତେବେ ଏହି କୋବିର ଚାହିଦା କେବଳ ପିପିଲି ଅଞ୍ଚଳ ନୁହେ ପୁରୀ ,କଟକ , ଭୁବନେଶ୍ୱର ଏବଂ ବାହାରକୁ ମଧ୍ୟ ରପ୍ତାନୀ ହେଉଛି କିନ୍ତୁ ସରକାରଙ୍କର କୌଣସି ପ୍ରୋତ୍ସାହନ କିମ୍ବା ଅନୁକମ୍ପା ନଥିବାରୁ ଦୁଃଖ ପ୍ରକାଶ କରିଛନ୍ତି ଭାସ୍କର ।

ସେପଟେ ଭାସ୍କରଙ୍କ ପାଖରେ ବର୍ଷବର୍ଷ ଧରି କାମ କରୁଥିବା ଲୋକେ ବେଶ୍ ଖୁସି ଅଛନ୍ତି । କାରଣ ଭାସ୍କରଙ୍କ ମାଧ୍ୟମରେ ଦୁଇ ପଇସା ପାଇ ନିଜ ପରିବାର ପେଟପୂରା କରୁଛନ୍ତି । ଯଦି ସରକାରଙ୍କ ଠାରୁ ଆଉ କିଛି ନୂଆ ପଦ୍ଧତି କି ପ୍ରେତ୍ସାହନ ପାଆନ୍ତି ତେବେ ଅନ୍ୟ ଚାଷୀ ମାନଙ୍କୁ ଶିଖାଇବା ସହ ଅଧିକ ଆୟ ସହିତ ବିନା ରାସାୟନରେ କିଭଳି କେବଳ କୋବି ନୁହେ ଅଲଗା ଚାଷ ହୋଇପାରିବ ତାହା ଉପରେ ଫୋକସ୍ ଦିଆଯାଇପାରିବ । ଏବେ କେବଳ ଅପେକ୍ଷା ବିନା ସରକାରୀ ସହାୟତରେ କୋବି ଚାଷ କରି ଚର୍ଚ୍ଚାରେ ଆସିଥିବା ଭାସ୍କରଙ୍କୁ ଉପରେ କେବେ ସରକାରଙ୍କ ଆଖି ପଢୁଛି ତାହା ଦେଖିବାକୁ ବାକି ରହିଲା ।