Advertisment

କନକ ବ୍ୟୁରୋ: ବଢିପାରେ ମଧ୍ୟାହ୍ନ ଭୋଜନ ମୁଣ୍ଡପିଛା ମୂଲ୍ୟ । ଏନେଇ ରାଜ୍ୟ ସରକାର ଚିନ୍ତା କରୁଥିବା କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଶୁକ୍ରବାର ବିଧାନସଭାରେ ମଧ୍ୟାହ୍ନ ଭୋଜନ ନେଇ ପ୍ରଶ୍ନ କରିଥିଲେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସେ ପଚାରିଥିଲେ ଯେ, ବର୍ତ୍ତମାନ ମଧ୍ୟାହ୍ନ ଭୋଜନରେ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ୫ ଟଙ୍କା ୯୦ ପଇସା ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ୮ ଟଙ୍କା ୮୨ ପଇସା ଦିଆାଉଛି । ହେଲେ ଦର ଆକାଶ ଛୁଆଁ ହେଇଥିବାବେଳେ, ସରକାର ଏହାକୁ ବୃଦ୍ଧି କରିବାକୁ କିଛି ପଦକ୍ଷେପ ନେବେ କି?

ଏହାର ଉତ୍ତର ରଖି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଦର୍ଶାଇଛନ୍ତି ଯେ ବର୍ତ୍ତମାନ ବଜାରରେ ଖାଉଟି ସାମଗ୍ରୀର ମୂଲ୍ୟବୃଦ୍ଧି ଯୋଗୁଁ ମୁଣ୍ଡପିଛା ପଡିର ମୂଲ୍ୟ ବୃଦ୍ଧି ନିମନ୍ତେ ପ୍ରସ୍ତାବ ରାଜ୍ୟ ସରକାରଙ୍କ ନିକଟରେ ବିଚାରାଧୀନ ଅଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୬୦:୪୦ ଅନୁପାତରେ ପରିଚାଳିତ ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟର ପ୍ରତ୍ୟେକ ସରକାରୀ ଓ ଅନୁଦାନ ପ୍ରାପ୍ତ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନରତ ୪୪,୫୦,୦୦୦ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯାଉଅଛି । ଛାତ୍ରଛାତ୍ରୀମାନଙ୍କୁ ଦିଆଯାଉଥିବା ମୁଣ୍ଡପିଛା ପଡିର ମୂଲ୍ୟ କେନ୍ଦ୍ର ସରକାର ନିର୍ଦ୍ଧାରଣ କରିଥାନ୍ତି । ତତ୍ ସହିତ ରାଜ୍ୟ ସରକାର ନିର୍ଦ୍ଧାରିତ ପଡିର ଅଂଶ ପ୍ରଦାନ କରିଥାନ୍ତି ଏତଦବ୍ୟତିତ ରାଜ୍ୟ ସରକାର ନିଜସ୍ୱ ଯୋଜନାରୁ ଅତିରିକ୍ତ ପଡି ଖର୍ଚ୍ଚ ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରିଥାନ୍ତି ବୋଲି ଗୃହରେ ଲିଖିତ ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।