କନକ ବ୍ୟୁରୋ : ପଞ୍ଜାବ ଫଳାଫଳକୁ ନେଇ ବଡ ବୟାନ ରଖିଛନ୍ତି କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ । ପଞ୍ଜାବରେ କଂଗ୍ରେସର ବଡ଼ ବିପର୍ଯ୍ୟୟ ବାବଦରେ ମୁହଁ ଖୋଲିବା ସହ ସିଦ୍ଧୁ ଯାହା କହିଛନ୍ତି ତାହା ରାଜନୀତି କରିଡରରେ ଚର୍ଚ୍ଚାର ବିଷୟ ପାଲଟିଛି । ସିଦ୍ଧୁ କହିଛନ୍ତି, ଯେଉଁମାନେ ମୋ ପାଇଁ ଗାତ ଖୋଳିଥିଲେ ସେମାନେ ସେହି ଗାତରେ ୧୦ ଫୁଟ୍ ତଳେ ଚାପି ହୋଇ ରହିଛନ୍ତି । ଯାହା ଯାଇଛି ତାହାକୁ ଭୁଲିଯାଅ । ଲୋକେ ପରିବର୍ତ୍ତନ ପାଇଁ ଆମ ଆଦମୀ ପାର୍ଟିକୁ ଭୋଟ ଦେଇଛନ୍ତି । ଲୋକଙ୍କର ସେହି ବିଶ୍ୱାସକୁ ଆପ୍ ବଜାୟ ରଖୁ ତାହା ହିଁ ଆଶା । ବଡ ବିଜୟ ଆପକୁ ଧନ୍ୟବାଦ ।

Advertisment

ଏହାବାଦ୍ ସିଦ୍ଧୁ କହିଛନ୍ତି, କଂଗ୍ରେସ କାହିଁକି ହାରିଲା ତାହାର ତର୍ଜମା ହେବ । ଆମେ କିନ୍ତୁ ଚୁପ୍ ବସିବୁନି । ନୂଆ ବୀଜ ବୁଣାଯିବ ।, ପରାଜୟ ପାଇଁ ଚିନ୍ତା ନୁହେଁ ବରଂ ଚିନ୍ତନ କରାଯିବ । କ୍ଷମତା ଓ ପଦପଦବୀରେ ମୋର ଲୋଭ କି ଆସକ୍ତି ନାହିଁ । ନଚେତ ସବୁ ସମ୍ପର୍କ ତୁଟାଇ ମୁଁ କଂଗ୍ରେସରେ ସାମିଲ ହୋଇନଥାନ୍ତି । ଦୀର୍ଘବର୍ଷର ରାଜନୈତିକ କ୍ୟାରିୟରରେ ଅନେକ ଉତଥାନ ପତନ ଦେଖିଛି । ଆମେ ଏହି ପରାଜୟକୁ ବିନମ୍ରତାର ସହ ସ୍ୱୀକାର କରୁଛୁ । ପଞ୍ଜାବର ବିକାଶରେ ଯିଏ ସାଥ୍ ଦେବ ତାକୁ ଆମେ ସବୁବେଳେ ସମର୍ଥନ କରିବୁ କିନ୍ତୁ ପଞ୍ଜାବ ବିକାଶରେ ଯିଏ ବାଧା ଦେବ ସେଠାରେ ଆମେ ସ୍ୱର ଉତ୍ତୋଳନ କରିବୁ ।

ଚଳିତ ନିର୍ବାଚନରେ ସିଦ୍ଧୁ ମଧ୍ୟ ପରାଜିତ ହୋଇଛନ୍ତି । ଆଉ ପରାଜିତ ହେବା ପରେ ଚୁପ୍ ବସିନାହାନ୍ତି ସୁଦ୍ଧୁ । ପ୍ରଥମ ଦିନରୁ ଲୋକଙ୍କୁ ଭେଟିବା ସହ ପୂର୍ବରୁ ଭରସା କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି । ସିଦ୍ଧୁ କହିଛନ୍ତି, ମୁଁ ମୃତ୍ୟୁକୁ ଭୟ କରେନାହିଁ । ପଞ୍ଜାବ ପ୍ରତି ଭଲପାଇବା ରହିଛି ସେଥିପାଇଁ ସବୁ ଛାଡି ପଞ୍ଜାବର ହକ୍ ପାଇଁ ଲଢେଇ କରିବାକୁ ଆସିଛି ।