ମାସ୍କ ଖୋଲିଲା ଆମେରିକା । ୨ଟି ଡୋଜ କରୋନା ଟିକା ନେଇଥିବା ବ୍ୟକ୍ତିଙ୍କ ପାଇଁ ମାସ୍କ ପିନ୍ଧିବା ନାହିଁ ଆବଶ୍ୟକ । ସାମାଜିକ ଦୂରତା ବି ନୁହେଁ ଜରୁରୀ ।

355

କନକ ବ୍ୟୁରୋ: ଆଜି ଆମେରିକା ପାଇଁ ବହୁତ ବଡ ଦିନ । କରୋନା ଭୂତାଣୁ ବିରୋଧରେ ଲମ୍ବା ଲଢେଇ ଭିତରେ କିଛି ଘଂଟା ତଳେ ସେଂଟର ଫର ଡିଜିଜ କଂଟ୍ରୋଲ ଆଣ୍ଡ ପ୍ରିଭେନସନ୍- ସିଡିସି ଘୋଷଣା କରିଛି ଯେ, ସଂପୂର୍ଣ୍ଣ ଟିକା ନେଇସାରିଥିବା ବ୍ୟକ୍ତି ମାସ୍କ ପିନ୍ଧିବା ଦରକାର ନାହିଁ । ଆପଣ ଘରେ ଥାନ୍ତୁ କିମ୍ବା ବାହାରେ । ମୁଁ ଭାବୁଛି ଏହା ଗୋଟିଏ ବଡ ସଫଳତା । ଆମ ପାଇଁ ଏକ ବଡ ଦିନ । ସଂପୂର୍ଣ୍ଣ ଟିକା ନେଇସାରିଥିଲେ ମାସ୍କ ପିନ୍ଧିବା ଆଉ ଦରକାର ନାହିଁ । କିନ୍ତୁ ଯଦି ଆପଣ ଟିକା ନେଇ ନାହାନ୍ତି କିମ୍ବା ଟିକାର ଗୋଟିଏ ଡୋଜ୍ ନେଇଛନ୍ତି କିନ୍ତୁ ଦ୍ୱିତୀୟ ଡୋଜ୍ ବାକି ଅଛି ଅଥବା ଆପଣ ଦ୍ୱିତୀୟ ଡୋଜ୍ ନେବାପରେ ୨ ସପ୍ତାହ ବିତିନାହିଁ ତାହାହେଲେ ମାସ୍କ ପିନ୍ଧିବାକୁ ପଡିବ ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ଏହି ଘୋଷଣା ସହ ଏକପ୍ରକାର ମାସ୍କ ମୁକ୍ତ ହୋଇପାରିଛି ଆମେରିକା । ମହାମାରୀ କରୋନା ବିରୋଧୀ ଲଢେଇର ପ୍ରାୟ ଦେଢବର୍ଷ ପରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରକୁ ମିଳିଛି ବଡ ସଫଳତା । କାରଣ ଦୁଇଟି ଡୋଜ୍ ଟିକା ନେଇଥିବା ବ୍ୟକ୍ତି ଆଉ ମାସ୍କ ପିନ୍ଧିବା ଦରକାର ନାହିଁ ବୋଲି କହିଛି ଆମେରିକା ସେଂଟର ଫର ଡିଜିଜ କଂଟ୍ରୋଲ ଆଣ୍ଡ ପ୍ରଭେନସନ୍- ସିଡିସି ।

ମାସ୍କ ମୁକ୍ତ ହେଲା ଆମେରିକା!
-ଟିକାର ଦୁଇଟି ଡୋଜ୍ ନେଇଥିବା ବ୍ୟକ୍ତି ଘରେ କିମ୍ବା ବାହାରେ ଭିଡରେ ସାମିଲ ହୋଇପାରିବେ
-ବିନା ମାସ୍କରେ ବାହାରକୁ ଯିବା ସହିତ ସାମାଜିକ ଦୂରତା ରକ୍ଷା କରିବା ମଧ୍ୟ ଜରୁରୀ ନୁହେଁ
-ତେବେ ଟିକା ନେଇନଥିଲେ କିମ୍ବା ଗୋଟିଏ ଡୋଜ୍ ଟିକା ନେଇଥିଲେ ମାସ୍କ ପିନ୍ଧିବାକୁ ପଡିବ
-ସେହିପରି ଦୁଇଟି ଯାକ ଡୋଜ୍ ଟିକା ନେବାର ୧୪ ଦିନ ପରେ ମାସ୍କ ନପିନ୍ଧିଲେ ଚଳିବ
-୨ ଡୋଜ୍ ଟିକା ନେଇଥିଲେ ମଧ୍ୟ ବିମାନ, ବସ ଓ ଟ୍ରେନରେ ଯାତ୍ରା କଲାବେଳେ ମାସ୍କ ପିନ୍ଧିବେ

ବଡକଥା ହେଉଛି ଆମେରିକା ତାର ମୋଟ୍ ଜନସଂଖ୍ୟାର ପ୍ରାୟ ୪୫ ପ୍ରତିଶତ ସାବାଳକ ଅର୍ଥାତ ୧୮ ବର୍ଷରୁ ଅଧିକ ଲୋକଙ୍କ ଟିକାକରଣ କରିସାରିଲାଣି । ସେହିପରି ୫୯ ପ୍ରତିଶତ ଲୋକ ଟିକାର ଗୋଟିଏ ଡୋଜ୍ ନେଇସାରିଛନ୍ତି । ଅନ୍ୟପକ୍ଷରେ ଟିକାକରଣକୁ ବ୍ୟାପକ କରିବା ଲାଗି ୧୨ରୁ ୧୫ ବର୍ଷର ପିଲାଙ୍କ ଲାଗି ଫାଇଜର ଟିକାକୁ ଅନୁମତି ଦେଇଛି । ସିଡିସିର ନିଷ୍ପତି ପରେ ରାଷ୍ଟ୍ରପତି ବାଇଡେନ କହିଛନ୍ତି- ଟିକା ନିଅନ୍ତୁ ନହେଲେ ମାସ୍କ ପିନ୍ଧନ୍ତୁ ।

ଆମେରିକାରେ ମଡର୍ଣ୍ଣା, ଫାଇଜରର ଦୁଇଟି ଡୋଜ୍ ଏବଂ ଜନସନ ଆଣ୍ଡ ଜନସନର ଗୋଟିଏ ଡୋଜ୍ ଟିକା ଦିଆଯାଉଛି । ଜୁଲାଇ ପ୍ରଥମ ସପ୍ତାହ ସୁଦ୍ଧା ଆମେରିକାରେ ୭୦ ପ୍ରତିଶତ ପ୍ରାପ୍ତ ବୟସ୍କଙ୍କ ଟିକାକରଣ ଲକ୍ଷ୍ୟ ରଖିଛି ବାଇଡେନ୍ ପ୍ରଶାସନ । ହେଲେ ପ୍ରଶ୍ନ ଉଠୁଛି, କରୋନା ଭୂତାଣୁର ସମସ୍ତ ମ୍ୟୁଟାଂଟ ବିରୋଧରେ ଏସବୁ ଟିକା କାମ ଦେଉଛି ତ? ଟିକା ନେବାପରେ କେତେଦିନ ଯାଏଁ ଏହା କରୋନାରୁ ସୁରକ୍ଷା ଦେବ? ଅନେକ ଦେଶରେ ଟିକା ନେବାପରେ ମଧ୍ୟ ମାସ୍କ ପିନ୍ଧିବାକୁ କୁହାଯାଉଛି । ତେଣୁ ଆମେରିକାର ମାସ୍କ ମୁକ୍ତ ଅଭିଯାନ ମହଙ୍ଗା ପଡିବ ନାହିଁ ତ ?