ପଟ୍ଟା ନାହିଁ ତ ଭୋଟ୍ ନାହିଁ । ଉମରକୋଟ ବ୍ଲକ କାର୍ଯ୍ୟାଳୟ ଘେରାଉ କଲେ ଲୋକ । ଦାବି ନଶୁଣିଲେ ଭୋଟ୍ ବର୍ଜନ ଚେତାବନୀ ।

50

କନକ ବ୍ୟୁରୋ: ପଟ୍ଟା ନାହିଁ ତ ଭୋଟ୍ ନାହିଁ । ଆଗ ସେଟେଲମେଣ୍ଟ କର ତାପରେ ନିର୍ବାଚନ କରାଯାଉ । ଏଭଳି ଦାବିରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ କାର୍ଯ୍ୟାଳୟ ଘେରାଉ । ଉମରକୋଟ ବ୍ଲକରେ ଭୁବନ୍ଦୋବସ୍ତ ନହେବା ଯାଏଁ ଜବରଦଖଲ ଫାଇନ ଟଙ୍କା ଆଦାୟ ବନ୍ଦ କରିବା । ଉମରକୋଟ ପୌରପରିଷଦ, ପଞ୍ଚାୟତସ୍ତରରେ ଦଖଲ ଘରବାରି ଓ ଜଙ୍ଗଲଜମି ପଟ୍ଟା ଶୀଘ୍ର ପ୍ରଦାନ ଭଳି ୬ ଦଫା ଦାବିନେଇ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଉମରକୋଟ ବସ୍ତିବାସିନ୍ଦା ମହାସଂଘ, ଓଡିଶା ଆଦିବାସୀ ଅଧିକାର ମଞ୍ଚ, ଓଡ଼ିଶା କୃଷକ ମହାସଭା ତରଫରୁ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଏକ ରାଲିରେ ଶତାଧିକ ସ୍ଥାନୀୟ ବାସିନ୍ଦା ବାହାରି ସହର ପରିକ୍ରମା କରିବା ସହ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିଡିଓଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟ ଦାବପତ୍ର ଦେଇଛନ୍ତି । ଯଦି ନିର୍ବାଚନ ପୂର୍ବରୁ ଦାବିଗୁଡିକ ପୂରଣ ନ ହୁଏ ତେବେ ଆଗାମୀ ନିର୍ବାଚନ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା ।