ନିର୍ବାଚନ ପ୍ରଚାର ବେଳେ ନେତାଙ୍କୁ ଘେରିଲେ ଲୋକ । ନାନା ପ୍ରଶ୍ନ ପଚାରି କହିଲେ କାହିଁକି ପାଳନ କରିନାହଁ ଦେଇଥିବା ପ୍ରତିଶ୍ରୁତି

211

କନକ ବ୍ୟୁରୋ : ପ୍ରଚାର ବେଳେ ହଟହଟା ହେଲେ ବିଧାୟକ । ଘେରିଲେ ଲୋକେ, ପଚାରିଲେ ନାନା ପ୍ରଶ୍ନ । ଦଶପଲ୍ଲା ବିଧାୟକ ରମେଶ ବେହେରା ନିଜ ନିର୍ବାଚନ ମଣ୍ଡଳୀ ଅଧୀନ କ୍ରୁଜମେଣ୍ଢି ପଞ୍ଚାୟତକୁ ବୁଲିବାକୁ ଯାଇଥିଲେ । ସାଙ୍ଗରେ ଥିଲେ ଦଶପଲ୍ଲା ବ୍ଲକ ଚେୟାରମ୍ୟାନ୍ ସ୍ୱାମୀ ଉପେନ୍ଦ୍ର ସାହୁ ଓ ଅନ୍ୟ କିଛି ନେତା । ଗାଁରେ ପହଞ୍ଚିବା ପରେ ଘେରିଗଲେ ଲୋକେ । ଆଉ ଆରମ୍ଭ କଲେ ଗୋଟିଏ ପରେ ଗୋଟିଏ ପ୍ରଶ୍ନ ।
ଅଢେଇ ବର୍ଷ ମଧ୍ୟରେ କେତେଥର ଆସିଛି । ଏବେ ଭୋଟ୍ ବେଳେ ଭୋଟ୍ ମାଗିବାକୁ ପଳାଇ ଆସୁଛ ବୋଲି ପ୍ରଶ୍ନ କରିଥିଲେ ଲୋକେ । ବଣି ବ୍ରିଜ ନିର୍ମାଣ କଣ ହେଲା ବୋଲି ପଚାରିଥିଲେ, ବ୍ରିଜ ପାଇଁ ସବୁ କାମ ଶେଷ ହୋଇସାରିଛି ବୋଲି ବିଧାୟକ କହିଥିଲେ । ପ୍ରତିଶ୍ରୁତି ଦରକାର ନାହିଁ କାମ ଦରକାର ବୋଲି ରୋକଠୋକ୍ ଶୁଣାଇ ଦେଇଥିଲେ ଲୋକେ । ଆଜି ହିଁ ନଡିଆ ବାଡେଇ ଶୁଭ ଦିଅ ବୋଲି ଦାବି କରିଥିଲେ । ଅଶ୍ଚର୍ଯ୍ୟର କଥା ଜଣେ ଶିକ୍ଷକ ସୁମନ୍ତ ପ୍ରଧାନ ନିଜ ବଦଳିକୁ ନେଇ ବିଧାୟକଙ୍କ ଉପରେ ଖୁବ ବର୍ଷିଥିଲେ । ସର୍ବସାଧାରଣରେ ଜଣେ ସରକାରୀ କର୍ମଚାରୀ ବିଧାୟକଙ୍କ ଉପରେ ବର୍ଷିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ତେବେ ସ୍ଥାନୀୟ ଆଉ ଜଣେ ନେତା ଶ୍ରୀହରୀ ନାୟକଙ୍କ ପ୍ରରୋଚନାରେ ଶିକ୍ଷକ ଜଣକ ଲୋକଙ୍କୁ ଏକାଠି କରାଇ ଏଭଳି କାଣ୍ଡ ଭିଆଇଥିଲେ ବୋଲି ଦଶପଲ୍ଲା ବ୍ଳକ ଚେୟାରମ୍ୟାନଙ୍କ ସ୍ୱାମୀ ଉପେନ୍ଦ୍ର ସାହୁ କହିଛନ୍ତି ।