କନକ ବ୍ୟୁରୋ: ବସ୍ତି ବୁଡାଇଦେଲା ପୋଖରୀ ପୁନରୁଦ୍ଧାର ଯୋଜନା । ବର୍ଷା ହେଲେ ଘରେ ପଶୁଛି ନାଳ ନର୍ଦ୍ଦମା ପାଣି । ମାଟି କାନ୍ଥ ଘର ମାଟିରେ ମିଶିବାକୁ ବସିଲାଣି । ଅନେକ ସ୍ଥାନରେ ଘର ଉପରେ ପୋଖରୀ ହୁଡା ମଧ୍ୟ ମାଡି ଆସୁଛି । ଏ ଦୃଶ୍ୟ ହେଉଛି ମାଲକାନଗିରି ପୌରପରିଷଦ ୱାର୍ଡ ନଂ ୭ ସ୍ଥିତ ହାଟପଦା ସାହିର । ବର୍ଷ ବର୍ଷ ଧରି ହାଟପଦା ସାହିର ଲୋକେ ବାଲିସାଗର ପୋଖରୀ କଡରେ ବସବାସ କରି ଆସୁଥିଲେ । ତେବେ ଗତ ସରକାର ଅମଳରେ ବାଲିସାଗର ପୋଖରୀର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାମ ହାତକୁ ନିଆଯାଇଥିବା ଯୋଗୁଁ ହାଟପଦାବାସୀଙ୍କ ଜୀବନ ଜୀବିକା ଏବେ ସଙ୍କଟରେ ।

ହାଟପଦା ସାହିର ୨୩ଟି ପରିବାର ଗତ ୩୦ ରୁ ୪୦ ବର୍ଷ ଧରି ଏଠାରେ ବସବାସ କରନ୍ତି । ତେବେ ପୌରପରିଷଦରେ ନିଜ ସମସ୍ୟା ନେଇ ଅଭିଯୋଗ କଲା ପରେ ୪୮ ଘଣ୍ଟା ମଧ୍ୟରେ ଘର ଖାଲି କରିବାକୁ ନୋଟିସ ଦେଇ ଥିଲା ପୌର ପରିଷଦ । ଯୋଗାଣ ମନ୍ତ୍ରୀ, ବିଧାୟକ ଓ ଜିଲ୍ଲାପାଳଙ୍କୁ ଭେଟି ଗୁହାରୀ ଜଣାଇବା ସହ ସ୍ଥାୟୀ ପଟ୍ଟା ପ୍ରଦାନ ଲାଗି ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା । ତେବେ ସମସ୍ୟାର ସମାଧାନ ନହେବା ଯାଏଁ ବର୍ଷା ଦିନେ ଏମାନଙ୍କୁ ରହିବା ଓ ଖାଇବା ଯୋଗାଇ ଦେବାକୁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

ପ୍ରଶାସନ ପକ୍ଷରୁ ଏହି ପରିବାର ଲୋକଙ୍କୁ ଅନ୍ୟତ୍ର ଥଇଥାନ ଲାଗି ଜମି ଖୋଜା ଆରମ୍ଭ ହୋଇଛି । ତେବେ ପ୍ରଶାସନ କେବେ ଏମାନଙ୍କ ସମସ୍ୟାର ସ୍ଥାୟୀ ସମାଧାନ କରୁଛି, ତାହା ଉପରେ ରହିଛି ନଜର ।