କନକ ବ୍ୟୁରୋ: ତାଲାବନ୍ଦର ତୃତୀୟ ପଯ୍ୟାୟରେ ଦେଶର ମଦ ଦୋକାନ ଆଗରେ ପ୍ରବଳ ଭିଡ । ମଦ କିଣିବାକୁ ଦୋକାନ ଆଗରେ ଲମ୍ବା ଲାଇନ୍ ଲାଇନ ଲଗାଇଲେ ଲୋକେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଛତିଶଗଡ, ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁର ସମେତ ଦେଶର ବିଭିନ୍ନ ଅଂଚଳରେ ।

Advertisment

ଦିଲ୍ଲୀରେ ସବୁ ସୀମା ଟପିଯାଇଛନ୍ତି ମଦ କିଣିବାକୁ ଆସିଥିବା ଲୋକମାନେ । ପ୍ରାୟ ଦେଢ଼ କିଲୋମିଟର ପର୍ଯ୍ୟନ୍ତ ଲାଗିଛି ଲମ୍ବା ଲାଇନ୍ । ଖରାରେ ଠିଆ ହୋଇ ମଦ କିଣିବାକୁ ଅପେକ୍ଷା କରିଛନ୍ତି । ଦିଲ୍ଲୀରେ ଅସମ୍ଭାଳ ଭିଡ ହେବାରୁ ଲୋକଙ୍କୁ ଘଉଡାଇବା ପାଇଁ କୃଷ୍ଣନଗର ଅଂଚଳରେ ଲାଠି ଚାର୍ଜ କରିଛି ପୋଲିସ୍ । ଏପରିକି ଏହି ମଦଦୋକାନକୁ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଥିବା ଜଣାପଡିଛି ।

ସେହିପରି ସବୁଠୁ ଅଧିକ କରୋନା ସଂକ୍ରମିତ ହୋଇଥିବା ମୁମ୍ବାଇରେ ମଧ୍ୟ ମଦ ଦୋକାନ ଆଗରେ ଲୋକମାନେ ଲାଇନ ଲଗାଇଛନ୍ତି । ଏଠି ଲକଡାଉନ ସମୟରେ ଥିବା ସାମାଜିକ ଦୂରତାକୁ ଫୁ କରି ଉଡାଇ ଦେଇଛନ୍ତି ଲୋକେ । ସତେ ଯେମିତି କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଧାଡି ଲଗାଇଛନ୍ତି । ହେଲେ ଏମାନେ ସମସ୍ତେ ମଦ ଦୋକାନ ଖୋଲିବା ପରେ ମଦ କିଣିବାକୁ ଧାଡି ଲଗାଇଛନ୍ତି ।

ଏଭଳି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଗତକାଲି ତୃତୀୟ ପର୍ଯ୍ୟାୟ ଲକଡାଉନ ଶେଷ ହେବା ପରେ ତୃତୀୟ ପର୍ଯ୍ୟାୟ ଲକଡାଉନରେ ଅର୍ଥାତ ଆଜିଠାରୁ ଗ୍ରୀନ ଜୋନରେ ମଦ ଦୋକାନକୁ ସର୍ତମୂଳକ ଭାବେ ଖୋଲିବାକୁ ଅନୁମତି ଦେଇଥିଲେ କେନ୍ଦ୍ର ସରକାର ।

publive-image

ତେବେ ଓଡିଶାର ଗ୍ରୀନ ଜୋନରେ ଅନେକ ସ୍ଥାନରେ ମଦ ଦୋକାନକୁ ଜିଲ୍ଲା ପ୍ରଶାସନ ବନ୍ଦ ରଖିଛି । ଆଜି ସକାଳେ ପୁରୀରେ ମଦ ଦୋକାନ ଖୋଲିଥିଲା । କିନ୍ତୁ ପ୍ରଶାସନିକ ଅଧିକାରୀମାନେ ସେଠାରେ ପହଁଚି ଦୋକାନ ବନ୍ଦ କରାଇଥିଲେ । ସେପଟେ ବରଗଡ ଜିଲ୍ଲା ପ୍ରଶାସନ ମଧ୍ୟ ମଦ ଦୋକାନ ବନ୍ଦ ରଖିବାକୁ ନିଷ୍ପତି ନେଇଛି । ଗ୍ରୀନ ଜୋନରେ ମଦ ଦୋକାନ ଖୋଲିବା ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ଥିଲେ ମଧ୍ୟ ଓଡିଶାର ସ୍ଥାନୀୟ ପ୍ରଶାସନ ମଦ ଦୋକାନ ବନ୍ଦ ରଖିବାକୁ ନିଷ୍ପତି ନେଇଛି । ମୟୂରଭଞ୍ଜ ଓ ବ୍ରହ୍ମପୁରରେ ମଧ୍ୟ ସ୍ଥାନୀୟ ପ୍ରଶାସନ ମଦ ଦୋକାନ ଖୋଲିବା ପାଇଁ ଅନୁମତି ଦେଇ ନାହିଁ । କଟକରେ ମଧ୍ୟ ମଦ ଦୋକାନ ବନ୍ଦ ଥିବା ଜଣାପଡିଛି ।