ତମେ ଯାଅନି ଡାକ୍ତର ବାବୁ, ଯାଅନି… ସେବା କରି ସ୍ନେହରେ ବାନ୍ଧି ଦେଇଥିବା ଡାକ୍ତରଙ୍କୁ କାନ୍ଦି କାନ୍ଦି ବିଦାୟ ଦେଉଛନ୍ତି ସ୍ଥାନୀୟ ଲୋକେ । କଳାହାଣ୍ଡି ଥୁଆମୁଳ ରାମପୁରରୁ ଆସିଲା ଆଖି ଭିଜେଇ ଦେଲା ଭଳି ଚିତ୍ର

588

କନକ ବ୍ୟୁରୋ: ଡାକ୍ତରଙ୍କ ଅବହେଳା ଯୋଗୁଁ ଅସନ୍ତୋଷର ଖବର ଆପଣ ଶୁଣିଥିବେ । ହେଲେ ଏହାରି ଭିତରେ ଏପରି ଏକ ଖବର ଆସିଛି, ଯାହା ଆପଣଙ୍କ ଚିନ୍ତାଧାରାକୁ ବଦଳାଇ ଦେବ । ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ କୁହାଯାଉଥିବା ଭାବନାକୁ ଆହୁରି ଦୃଢ଼ିଭୂତ କରିଦେବ ।

ଏପରି ଦୃଶ୍ୟ ହୁଏତ ଆପଣ ପୂର୍ବରୁ ଖୁବ କ୍ୱଚିତ ଦେଖିଥିବେ । ସମସ୍ତଙ୍କ ଆଖିରେ ଲୁହ, ମନରେ କୋହ, କିଛି ଲୋକ ମୁହଁ ଲୁଚାଇ କାନ୍ଦୁଛନ୍ତି, ଆଉ କିଛି ମହିଳା ଗାଡି ଆଗରେ ଠିଆ ହୋଇ କାନ୍ଦୁଛନ୍ତି । ହେଲେ ସେମାନେ ଜାଣିଛନ୍ତି, ଏ ଗାଡି ଆଉ ଅଟକିବନି, ସେ ଚାଲିଯିବ ପୁରୀ ଜିଲ୍ଲାର ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ । କାରଣ ଏମାନଙ୍କ ପ୍ରିୟ ଡାକ୍ତରବାବୁ ଅଭିନାଶ ରଥଙ୍କ ବଦଳି, କଳାହାଣ୍ଡି ଥୁଆମୂଳରାମପୁରରୁ ପିପିଲିକୁ ହୋଇଯାଇଛି । ତଥାପି ତାଙ୍କୁ ଛାଡିବାକୁ ନାରାଜ ଥୁଆମୂଳରାମପୁରର ଲୋକ ।

ସମସ୍ତଙ୍କ ଆଖିରେ ବିରହର ଲୁହ, ଯେତେବେଳେ ଜଣେ ମଣିଷ ଆତ୍ମୀୟଙ୍କ ଠାରୁ ଦୂରେଇ ଯାଉଥାଏ, ସେତେବେଳେ ହୁଏତ ଏମିତି ଦୃଶ୍ୟ ସାମ୍ନାକୁ ଆସେ । କିନ୍ତୁ ଏଠାରେ ଏ ସଂପର୍କ କୌଣସି ରକ୍ତ ସଂପର୍କର ନୁହେଁ, ସଂପର୍କ ଭଲପାଇବାର, ଏ ସଂପର୍କ ଶ୍ରଦ୍ଧା, ସେବାର । ରୋଗୀ ସେବାକୁ ଜୀବନର ସବୁକିଛି ଭାବି ନେଇଥିବା ଡାକ୍ତର ଅଭିନାଶ ରଥଙ୍କୁ ଏମିତି ଭାବ ବିହ୍ୱଳ ବିଦାୟ ସମ୍ବର୍ଦ୍ଧନା ଦେଇଛନ୍ତି ରୋଗୀ ଓ ରୋଗୀଙ୍କ ସଂପର୍କୀୟ ।

ଚାକଚକ୍ୟ ସହର ଭୁବନେଶ୍ୱରର ବାସିନ୍ଦା ଡାକ୍ତର ଅଭିନାଶ ରଥ ୨୦୧୫ରୁ ଥୁଆମୂଳରାମପୁରରେ ରୋଗୀ ସେବା ଯୋଗଇ ଆସୁଛନ୍ତି । ୫ ବର୍ଷ ଧରି ଚିକିତ୍ସା ସେବା ଯୋଗାଇବା ବେଳେ ଦୁର୍ଗମ ଅଂଚଳର ଲୋକଙ୍କୁ ଡାକ୍ତର ଅଭିନାଶ ଏମିତି ଏକ ଅକୁହା ସଂପର୍କରେ ବାନ୍ଧି ଦେଇଛନ୍ତି, ଯାହାକୁ ତୁଟାଇ ଫେରିବା ଏତେ ସହଜ ନଥିଲା ।