ଚାଲିଗଲା ବାତ୍ୟା ‘ୟାସ’ । ଘର ବାହୁଡିଲେ ଉପକୂଳିଆ ଲୋକ ।

243

କନକ ବ୍ୟୁରୋ : ବାତ୍ୟା ୟାସ୍ ଆସିଲା ଓ ଏହାର ଛାପ ଛାଡି ଚାଲିଗଲା । ଏହା ପରେ ଆରମ୍ଭ ହୋଇଛି ବାତ୍ୟା ପରର ପୁନରୁଦ୍ଧାର କାମ । ଆଉ ସେପଟେ ଘରବାହୁଡା ଆରମ୍ଭ କରିଛନ୍ତି ବାତ୍ୟା ଆଶ୍ରୟସ୍ଥଳରେ ମୁଣ୍ଡ ଗୁଞ୍ଜିଥିବା ଲୋକ । ବାତ୍ୟା ଯିବା ପରେ ଲୋକଙ୍କ ଘର ବାହୁଡା ଭିତରେ ମନରେ ସୃଷ୍ଟି ହୋଇଛି ଅନେକ ଆଶଙ୍କା ।

ସାମୁଦ୍ରିକ ବାତ୍ୟା ୟାସ୍ ଅତିକ୍ରମ କରିବା ପରେ ବାତ୍ୟା ଆଶ୍ରୟସ୍ଥଳରେ ମୁଣ୍ଡ ଗୁଞ୍ଜିଥିବା ଲୋକ ଏବେ ଆଶ୍ୱସ୍ତ ଅନୁଭବ କରୁଛନ୍ତି । ୧୯୯୯ ମହାବାତ୍ୟାରେ ଛାରଖାର ହୋଇଯାଇଥିବା ଜଗତସିଂହପୁରର ଷଣ୍ଢକୁଦ ଅଂଚଳ ବାସିନ୍ଦାଙ୍କ ପାଇଁ ବାତ୍ୟା ଆସିଲେ ବିପଦ ମାଡି ଆସେ । ବାତ୍ୟା ଆଶ୍ରୟ ସ୍ଥଳରେ ରାତି କାଟିବା ପରେ କଟିଯାଇଛି ବିପଦ । ଆଉ ଏବେ ଘର ବାହୁଡାର ସମୟ । ପ୍ରଶାସନ ବାତ୍ୟା ଆଶ୍ରୟସ୍ଥଳରେ ସମସ୍ତ ବ୍ୟବସ୍ଥା କରିଥିବାରୁ ସଭିଏଁ ଖୁସିଖୁସିରେ ଘରକୁ ଫେରୁଛନ୍ତି ।

କିଏ ସାଇକେଲରେ ଘରୁ ବୋହି ଆଣିଥିବା ଜରୁରୀ ଜିନିଷକୁ ବାନ୍ଧି ପକାଉଛି, ତ କିଏ ମୁଣ୍ଡରେ ବୋହି ବୋହି ନିଜେ ଘରକୁ ବାହାରିଛି । ସମସ୍ତଙ୍କ ନଜର ଏବେ କେମିତି ପହଞ୍ଚିବେ ଘରେ । କାରଣ ଟଳିଯାଇଛି ବାତ୍ୟା ବିପଦ । ଆଉ ବିଶେଷ କିଛି କ୍ଷତି ବି ହୋଇନି । ଜିଲ୍ଲାରେ ଏମିତି ପ୍ରାୟ ୨୨ ହଜାରରୁ ଅଧିକ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ଆଣିଥିଲା ପ୍ରଶାସନ । ଏହାରି ବଳରେ ବାତ୍ୟା ବିପଦକୁ ଟାଳି ଦେବାରେ ସଫଳ ହୋଇଛି ପ୍ରଶାସନ । ବାତ୍ୟା ସହିତ ଅଭ୍ୟସ୍ତ ହୋଇଥିବା ଏହି ଗ୍ରାମବାସୀଙ୍କୁ ଆଗୁଆ ବାତ୍ୟା ଆଶ୍ରୟସ୍ଥଳକୁ ଆଣିଥିଲା ପ୍ରଶାସନ । ହେଲେ ବାତ୍ୟା ଯିବାପରେ ଏବେ ସମସ୍ତେ ନିଜ ଆଡୁ ଆରମ୍ଭ କରିଦେଇଛନ୍ତି ଘରବାହୁଡା ।