ଏବେ ବି ସ୍ପଷ୍ଟ ବାରି ହେଉଛି ବାତ୍ୟା ବିପର୍ଯ୍ୟୟର ପଦ ଚିହ୍ନ । ଉଜୁଡ଼ା ଘରକୁ ସଜାଡୁଛି ବିପନ୍ନ, ପାଣି ଘେରରେ ଶହ ଶହ ଗାଁ । ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ାରୁ ଆସିଲା ବାତ୍ୟା ପରର ଦୟନୀୟ ଚିତ୍ର

139

କନକ ବ୍ୟୁରୋ: ବାତ୍ୟା ସହିତ ଆସିଥିବା ବର୍ଷା ଓ ପବନ ସବୁ କିଛି ଛାରଖାର କରିଦେଇଛି । ମାଟିଘର ଭାଙ୍ଗି ଯାଇଛି, କୁଡ଼ିଆ ଉଡି ଯାଇଛି । ଆଉ ଗାଁ ମାଡ଼ି ଆସିଛି ପାଣି । ବାଲେଶ୍ୱର ଶ୍ରଦ୍ଧାପୁର ପଂଚାୟତ ଖଡ଼ିବିଲ ଗାଁର ପ୍ରାୟ ଶହେ ପରିବାରର ଏହି ସମାନ ଅବସ୍ଥା ।

ବାତ୍ୟା ସିନା ଚାଲିଯାଇଛି ହେଲେ ଛାଡି ଦେଇଛି ତାର ପାଦଚିହ୍ନ । ପବନ ଆଉ ବର୍ଷା ମାଡରେ ଜଳାର୍ଣ୍ଣବ ହୋଇଯାଇଛି ବିଲବାଡି ରାସ୍ତାଘାଟ । ଯୁଆଡେ ଦେଖ ଖାଲି ପାଣି ଆଉ ପାଣି । ମହାକାଳପଡା ବ୍ଲକ କଂଶାର ବଡଦାଣ୍ଡୁଆ ପଂଚାୟତର ଅନେକ ସ୍ଥାନରେ ଗଛ ପଡି ଭାଙ୍ଗିଯାଇଛି ଘର ଆଉ ପାଣି ଘେରରେ ରହିଯାଇଛନ୍ତି ଅନେକ ପରିବାର ।

ବାତ୍ୟା ଟଳିଛି କିନ୍ତୁ ବିପଦ ଟଳିନାହିଁ । କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଅଂଚଳରେ ୨୯୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଡାଙ୍ଗମାଳ, ତାଳଚୁଆ, ରଙ୍ଗଣୀ ଓ ବାଘମାରି ଅଂଚଳରେ ବର୍ଷା ହେବାରୁ ଲୋକଙ୍କୁ ଦୁର୍ଦଶା ଆହୁରି ବଢିଯାଇଛି । ସମୁଦ୍ର ଜୁଆର ନଦୀକୁ ଆସିବାରୁ ପାଣି ବନ୍ଧ ଡେଇଁ ଗାଁରେ ପଶିଯାଇଛି ।

କିଏ କାଦୁଅ ଭିତରୁ ଗ୍ୟାସ ସିଲିଣ୍ଡର ଧରି ରାସ୍ତା ଉପରେ ବସିଛନ୍ତି ତ ଆଉ କିଏ ଘରର ଆସବାବପତ୍ର ସାଉଁଟୁଛନ୍ତି । ପାଣି ଘେରରେ ଗାଁ । ରାସ୍ତା କେଉଁଠି, ବିଲ କେଉଁଠି କିଛି ଜଣାପଡୁନାହିଁ । ବାଲିଆପାଳ ବ୍ଲକର ପ୍ରାୟ ୮୫ଟି ଗାଁ ବାତ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି ।
ଝଡ ପବନରେ ଦୀର୍ଘ ବର୍ଷର ବଡ ବଡ ଗଛ ଉପୁଡି ପଡିଛି । ବିଜୁଳି ଖୁଂଟକୁ ମୋଡି ଦେଇଛି ଝଡ । କଚା ଘର ଖିନଭିନ୍ ହୋଇଯାଇଛି । ବାହାନଗା ବ୍ଲକ ରୂପଖଣ୍ଡ, ଖରାସାହାପୁର, ବରଜଦେଓଳି, ରାମତାଳି, ଉପରଆଡି ଅଂଚଳରେ ସମୁଦ୍ର ଲୁଣାପାଣି ଏବେ ବି ଗାଁ ଚାରିପଟେ ଘେରି ରହିଥିବାରୁ ଚାଷବାସ ସବୁ ଉଜୁଡି ଯାଇଛି ।

ବାତ୍ୟାରେ ସର୍ବଧିକ ପ୍ରଭାବିତ ହୋଇଥିବା ଭଦ୍ରକ ଜିଲ୍ଲାରେ ସ୍ଥିତି ଆହୁରୀ ସଂଗୀନ୍ । ସମୁଦ୍ରକୂଳ ଅଂଚଳ ଏବଂ ନଈକୁଳିଆ ଅଂଚଳର ଲୋକେ ବ୍ୟାତ୍ୟା ଯୋଗୁଁ ବ୍ୟାପକ ଭାବେ ପ୍ରଭାବିତ ହୋଇଛନ୍ତି । ଜନବସତି ଆଡକୁ ମାଡ଼ି ଆସିଛି ପାଣି । ଧାମରାର ୮ ପଂଚାତୟ ଏବଂ ବାସୁଦେବପୁର ପଂଚାୟତର ୯ଟି ପଂଚାୟତ ବାତ୍ୟା ଯୋଗୁଁ ପ୍ରଭାବିତ ହୋଇଛି ।