ବାତ୍ୟା ବେଳେ ବ୍ରିଜ ତଳେ ରାତି କାଟିଲେ ପାରାଦୀପ ଅଠରବାଙ୍କି ରାମଚଣ୍ଡିପଡାର ଲୋକ : ଖବର ପାଇ ଲୋକଙ୍କୁ ଉଦ୍ଧାର କଲା ପ୍ରଶାସନ

375

କନକ ବ୍ୟୁରୋ : ବାତ୍ୟା ଭୟରେ ବ୍ରିଜ ତଳେ ଆଶ୍ରୟ ନେଲେ ଲୋକେ । ପାରାଦୀପ ଅଠରବାଙ୍କି ରାମଚଣ୍ଡି ପଡ଼ା ଲୋକେ ବାତ୍ୟା ସମୟରେ ଏକ ବିପଦ ସଙ୍କୁଳ ବ୍ରିଜ ତଳେ ଆଶ୍ରୟ ନେଇଥିଲେ । କରୋନା ଭୟରେ ଆଶ୍ରୟସ୍ଥଳୀକୁ ନଯାଇ ୧୫୦ ଜଣ ଲୋକ ବ୍ରିଜ ତଳେ ରାତିସାରା ରହିଥିଲେ । ସମସ୍ତେ ଘରୁ ଖାଇବା ପାଇଁ ଖାଦ୍ୟ ଓ ପାଣି ନେଇ ସେଠାରେ ରହିଥିଲେ । ଖବର ପାଇ ପ୍ରଶାସନିକ ଅଧିକାରୀ ମାନେ ସେଠାରେ ପହଂଚି ଲୋକଙ୍କୁ ଉଦ୍ଧାର କରିଛନ୍ତି ।

ସେପଟେ, ବାତ୍ୟା ୟାର ପ୍ରଭାବ ସମୁଦ୍ର ଉପକୂଳବର୍ତି ଗାଁ ଗୁଡ଼ିକରେ ଦେଖିବାକୁ ମିଳିଛି । ବାଲେଶ୍ୱର ବସ୍ତା ଓ ବାଲିଆପାଳ ବ୍ଲକର ସମୁଦ୍ର ଉପକୂଳବର୍ତି ଅଂଚଳରେ ବର୍ଷା ପାଣି ପଶିଯାଇଛି । ଲଗାଣ ବର୍ଷା ଯୋଗୁଁ ଜଳବନ୍ଦି ଅବସ୍ଥାରେ ରହିଛି ଗାଁ । ଏପରିକି ଗାଁ ଭିତରେ ଅଂଟାଏ ଉଚ୍ଚରେ ପାଣି ଜମି ରହିଛି । ଉଦ୍ଧାରକାରୀ ଟିମ୍ ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ସହାୟତା କରିଛନ୍ତି ।

ସେହିପରି ବାଲେଶ୍ୱର ଜାମକୁଣ୍ଡା ପଂଚାୟତର ତାଳପଦା ଗାଁରେ ପ୍ରବଳ ବେଗରେ ପାଣି ପଶିବାର ଚିତ୍ର କ୍ୟାମେରାରେ କଏଦ ହୋଇଛି । କଚା ବନ୍ଧ ଭାଙ୍ଗି ସମୁଦ୍ରର ଉଛୁଳା ପାଣି ଗାଁରେ ଘୁ ଘୁ ଗର୍ଜନ କରି ପଶିବାରେ ଲାଗିଛି । ବାଲେଶ୍ୱର ବାଲିଆପାଳର ପାକମୁଣ୍ଡି ଗାଁ ତଳିଆ ଅଂଚଳରେ ରହିଛି । ଏହି ଗାଁ ଭିତରେ ପାଣି ପଶିଯାଇଥିବା ବେଳେ ଲୋକେ ଅଂଟାଏ ପାଣିରେ ପଶି ଯାତୟତ କରୁଛନ୍ତି ।

ସେପଟେ ଭୋଗରାଇ ବ୍ଲକର ତାଳସାରି ବେଳାଭୂମି ସହିତ ସମୁଦ୍ର ତଟବର୍ତି ମଟିକେଂଚା,କିଟର୍ତନୀୟା ମୁହାଁଣର ବ୍ୟାପକ ଅଂଚଳରେ ୫ଫୁଟ ଉଚ୍ଚରେ ଜୁଆର ପାଣି ମାଡ଼ିଯାଇଛି । ବହୁ ଗାଁରେ ପାଣି ପଶିବା ସହ ଦୋକାନ ଘରେ ମଧ୍ୟ ପାଣି ପଶି ଯାଇଥିବା ଦେଖିବାକୁ ମିଳିଛି ।