ପଞ୍ଚାୟତ ରାଜନୀତି ତାତି: ବିଧାୟକଙ୍କୁ ଗ୍ରାମବାସୀଙ୍କ ପ୍ରଶ୍ନ, ଅଢ଼େଇ ବର୍ଷରେ କେତେ ଥର ଆସିଛ? 

167

କନକ ବ୍ୟୁରୋ: ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପରେ ପ୍ରାର୍ଥୀମାନେ ପ୍ରଚାର ଆରମ୍ଭ କରି ଦେଇଛନ୍ତି । ଶୋଭାଯାତ୍ରା, ସମାବୋ ଉପରେ କଟକଣା ଲାଗିଥିବାରୁ ଘର ଘର ବୁଲି ପ୍ରଚାର କରୁଛନ୍ତି ପ୍ରାର୍ଥୀ ଓ ନେତା । ହେଲେ, ଦୀର୍ଘ ଦିନ ହେବ ଗାଁକୁ ଆସୁନଥିବାରୁ ଓ ନିର୍ବାଚନରେ ସମୟରେ ଆସିଥିବାରୁ କେତେକ ସ୍ଥାନରେ ହଟହଟା ହୋଇଛନ୍ତି ନେତା ।

ନିଜ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବାକୁ ଯାଇଥିବାବେଳେ ଗ୍ରାମବାସୀଙ୍କ ପ୍ରଶ୍ନବାଣରେ ଘାଇଲା ହୋଇଛନ୍ତି ଦଶପଲ୍ଳା ବିଧାୟକ ରମେଶ ବେହେରା  । ବିଧାୟକ ଦଶପଲ୍ଲା ବ୍ଲକ ଅଧକ୍ଷଙ୍କ ସ୍ୱାମୀ ଉପେନ୍ଦ୍ର ସାହୁ ଓ କର୍ମୀମାନଙ୍କ ସହ  ତାଙ୍କ ନିର୍ବାଚନ ମଣ୍ଡଳିରେ ଥିବା କ୍ରୁଜିମେଣ୍ଢି ପଂଚାୟତକୁ ଯାଇଥିଲେ । ବିଧାୟକ ପହଁଚିବା ପରେ ବସିବାକୁ ଲୋକେ ଚେୟାର ଦେଇଥିଲେ  । ହେଲେ, ତାପରେ ଦେଖିବାକୁ ମିଳିଥିଲା ଗ୍ରାମବାସୀଙ୍କ ଭିତରେ ଥିବା ଅସନ୍ତୋଷ । ନିର୍ବାଚନ ପରେ ଅଢ଼େଇ ବର୍ଷ ମଧ୍ୟରେ କେତେ ଥର ଆସିଛ ବୋଲି ପଚାରିବା ସହ ଏବେ କାହିଁକି ଆସିଛ ବୋଲି ପ୍ରଶ୍ନ କରିଥିଲେ । କହିଥିଲେ, ପ୍ରତିଶ୍ରୁତି ଦରକାର ନାହିଁ କାମ ଦରକାର  ।

ଚାଳ ଛପର ଘରର ମାଟି କାଂଥରେ ଲାଗିଛି ପୋଷ୍ଟର । ଆଉ ପୋଷ୍ଟରରେ ପଂଚାୟତରେ ପ୍ରାର୍ଥୀ ହୋଇଥିବା ନେତାଙ୍କୁ ଚେତାବନୀ ଦେଇଛନ୍ତି ଭୋଟର । ପୋଷ୍ଟରରେ ଲେଖା ହୋଇଛି ଆଉ ମିଛ ପ୍ରତିଶ୍ରୁତି ଚଳିବ ନାହିଁ । ଯଦି ଘର ଖଣ୍ଡିଏ ଦେଲ ନାହିଁ ତାହେଲେ ଭୋଟ ମାଗିବା ପାଇଁ ମଧ୍ୟ ଆମ ଦୁଆରକୁ ଆସନ୍ତୁ ନାହିଁ । ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଗାଁ ରାଜନୀତି ଚଳଚଂଚଳ ହୋଇଥିବା ବେଳେ ଏମିତି ଦୃଶ୍ୟ ଆସିଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଜହ୍ନବୁଢି ଗାଁରୁ ।

ଘଷିପୁରା ବିଧାୟକ ବଦ୍ରି ପାତ୍ରଙ୍କ ପୁଅ ଦେବାଶିଷ ପାତ୍ରଙ୍କ ଦାଦାଗିରିର ଭିଡିଓ ଅନେକ ସମୟରେ ସାମ୍ନାକୁ ଆସେ । ଏବେ ମଣ୍ଡିରେ ଧାନ ଉଠାକୁ ନେଇ ପୁଣିଥରେ ବିବାଦକୁ ଆସିଛନ୍ତି ଦେବାଶିଷ । କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଗଡବାନ୍ଧଗୋଡା ସମବାୟ ସମିତିରେ ନିର୍ଦ୍ଦିଷ୍ଟ କିଛି ବ୍ୟକ୍ତିଙ୍କ ଧାନ ମଣ୍ଡିରେ ନଉଠିବାକୁ ନେଇ ଧମକ ଚମକ ଦେଉଥିବା ଭିଡିଓ ଭାଇରାଲ ହେଉଛି । ଦେବାଶିଷଙ୍କ ଏଭଳି କାର୍ଯ୍ୟକୁ କିଛି ଗ୍ରାମବାସୀ ବିରୋଧ କରିବାରୁ ସେ ଚାଲିଯାଇଥିଲେ । କିନ୍ତୁ ପରେ ପୁଣି ନିଜ ସମର୍ଥକଙ୍କୁ ଧରି ପହଁଚିବାରୁ ଉତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଦେବାଶିଷଙ୍କ ସମର୍ଥକ ଓ ବିରୋଧୀ ମୁହାଁମୁହିଁ ହୋଇଥିଲେ । ଘଟଣାକୁ ଗାଁରେ ଚାପା ଉତେଜନା ଲାଗି ରହିଛି ।