କରୋନା ଟିକା ପାଇଁ ରାତି ଅନିଦ୍ରା : ରାତି ଗୋଟାଏରୁ ଭିଡ଼ ଜମାଉଛନ୍ତି ଲୋକେ

ଟିକା କେନ୍ଦ୍ରକୁ କେତେ ଟିକା ଆସୁଛି ସୂଚନା ନମିଳିବାରୁ ଦ୍ୱନ୍ଦରେ ପଡ଼ୁଛନ୍ତି ସ୍ଥାନୀୟ ବାସିନ୍ଦା

85

କନକ ବ୍ୟୁରୋ : ଟିକା ପାଇଁ ରାତି ଅନିଦ୍ରା । ସୁନ୍ଦରଗଡ଼ କୁତ୍ରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କରୋନା ଟିକା ନେବା ପାଇଁ ଶହ ଶହ ଲୋକ ରାତି ଅନିଦ୍ରା ହୋଇ ଭିଡ଼ ଲଗାଇଛନ୍ତି । କରୋନାର ଦ୍ୱିତୀୟ ଲହର ଭୟ ନଯାଉଣୁ ତୃତୀୟ ଲହରକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହେଲାଣି । ଶହ ଶହ ଲୋକେ ରାତି ଗୋଟାଏ ଦୁଇଟାରୁ ଡ଼ାକ୍ତରଖାନା ପରିସରରେ ଭିଡ଼ ଜମାଉଛନ୍ତି । ପ୍ରତିଦିନ କୁତ୍ରା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକା ନେବା ପାଇଁ ଲୋକଙ୍କୁ ଟୋକନ ନେବାକୁ ପଡ଼ୁଛି ।

ବିଳମ୍ବିତ ରାତିରୁ ସକାଳ ହେବା ପର୍ଯ୍ୟନ୍ତ ଲୋକେ ଟୋକନ ପାଇଁ ଲମ୍ବା ଲାଇନ୍ ଲଗାଉଛନ୍ତି । କିଏ ସାଇକେଲରେ ଆସୁଛି ତ, ପୁଣି କିଏ ଚାଲି ଚାଲି ଆସି ଟିକା କେନ୍ଦ୍ରରେ ଭିଡ଼ ଜମାଉଛନ୍ତି । ଏପରିକି ଦୂରଦୂରାନ୍ତରୁ ଗାଡ଼ି ଭଡ଼ା କରି ଆସି ଡ଼ାକ୍ତରଖାନାରେ ରୁଣ୍ଡ ହେଉଛନ୍ତି । କିଛି ଲୋକ ସାଙ୍ଗରେ ଖାଦ୍ୟ, ପାନୀୟ ଧରି ଡ଼ାକ୍ତରଖାନା ବାରଣ୍ଡାରେ ଶୋଇ ରହି ଟୋକନ ନେବା ପାଇଁ ଅପେକ୍ଷା କରୁଚନ୍ତି । ପ୍ରତିଦିନ କେତେ ଡ଼ୋଜ ଦିଆଯିବ ସେ ସମ୍ପର୍କିତ ନିଶ୍ଚିତ ଗାଇଡ଼ଲାଇନ୍ ଦିଆଯାଉନଥିବାରୁ ସାଧାରଣ ଜନତା ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି ।