ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି । ଭୟ ଭିତରେ ଅଛନ୍ତି ପୁରୀ ଜିଲ୍ଲା ତଳିଆ ଅଞ୍ଚଳର ଲୋକେ

52

କନକ ବ୍ୟୁରୋ : ମହାନଦୀରେ ବନ୍ୟା ପାଣି ପ୍ରବାହିତ ହେବା ପରେ ତଳିଆ ଅଂଚଳ ଲୋକଙ୍କ ଚିନ୍ତା ବଢିଛି । ଭୟ ଭିତରେ ରହିଛନ୍ତି ପୁରୀ ଜିଲ୍ଲାର ତଳିଆ ଅଂଚଳର ଲୋକେ । ଜିଲ୍ଲାର ଲୁଣା, ରତ୍ନଚିରା, ଦୟା, ଭାର୍ଗବୀ, କୁଶଭଦ୍ରା, ଧନୁଆଁ, ଦେବୀ ଆଦି ନଦୀରେ ବନ୍ୟା ଜଳ ପ୍ରବାହିତ ହେବା ପରେ ଏବେ କଣାସ, ଗୋପ, କାକଟପୁର, ଅସ୍ତରଙ୍ଗ ଆଦି ଅଂଚଳରେ ବନ୍ୟାଜଳ ପ୍ରବାହିତ ହେଉଛି ।

ବିଶେଷକରି ଗୋପରବିରତୁଙ୍ଗ, ଡଭାର, ମହଲପଡ଼ା ପଂଚାୟତରେ ପାଣି ପ୍ରବେଶ କରୁଥିବା ବେଳେ ଏହି ଅଂଚଳର ଅଧିକ ପଂଚାୟତ କ୍ଷତିଗ୍ରସ୍ତ ହେବା ଆଶଂକା କରାଯାଉଛି । ଦୟା ନଦୀର ବନ୍ୟା ଜଳ ପ୍ରଭାବରେ ପୁରୀ ଜିଲ୍ଲା କଣାସ ବ୍ଲକର ତଳିଆ ଅଂଚଳରେ ବନ୍ୟା ପାଣି ପଶି ଯାଇଛି । ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି । ଫଳରେ ଶହ ଶହ ଲୋକ ପାଣି ଘେରରେ ରହିଛନ୍ତି । ଯାତାୟତ ଏକ ପ୍ରକାର ଠପ୍ ହୋଇଯାଇଛି । ବର୍ଷା ପାଣି ଛାଡି ନଥିବାବେଳେ ବନ୍ୟା ପାଣି ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି ।

କଚ୍ଚା ଘରକୁ ବଞ୍ଚାଇବା ପାଇଁ ଢିରା ଦେଇ ଲୋକେ ରଖିଛନ୍ତି । ଘରେ ଘରେ ପାଣି ଜମିଥିବାରୁ ଖାଇପାରୁ ନାହାନ୍ତି କି ଶୋଇ ପାରୁନାହାନ୍ତି । ଆରଆଇଙ୍କ ସହ ସ୍ଥାନୀୟ ଲୋକେ ଯୋଗାଯୋଗ କରିବା ପରେ ମଧ୍ୟ କିଛି ସୁବିଧା ମିଳିପାରିନାହିଁ । ଆରଆଇ କହିବା କଥା ଏ ପରେ ବନ୍ୟା ପାଣି ଆସିବ । ତା ପରେ ଯାହା କରିହେବ । ରନ୍ଧା ଖାଦ୍ୟ ମିଳିନଥିଲେ ମଧ୍ୟ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି । ୮ଦିନ ହେବ ପାଣି ଘେରରେ ରହିଥିଲେ ମଧ୍ୟ କୌଣସି ପ୍ରକାର ସହାୟତା ମିଳିନି । ଭୋକିଲା ଅଛନ୍ତି ପିଲା ଛୁଆ, ଗାଇ ଗୋରୁଙ୍କ କିଛି ଖୋଜ ଖବର ନାହିଁ । କୌଣସି ମୂହୁର୍ତ୍ତରେ ଘର ଭୁଶୁଡି ଯାଇପାରେ, କଣ କରିବେ କେଉଁଠି ରହିଲେ ସେ ନେଇ ଚିନ୍ତାରେ ସ୍ଥାନୀୟ ଲୋକେ ।