ବିଜେଡିର ଉତ୍ତରାଧିକାରୀ ବିଜେଡିରୁ । ୬ଷ୍ଠ ଥର କ୍ଷମତାକୁ ଆସିବାକୁ ଆଶାବାଦୀ, ବଡ ବିଜୟ ପରେ ଜାତୀୟ ଗଣମାଧ୍ୟମରେ ମୁହଁ ଖୋଲିଲେ ନବୀନ ।

2,296

କନକ ବ୍ୟୁରୋ : ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେକୁ ଦେଇଥିବା ସାକ୍ଷାତକାରରେ ବିଜେଡିର ସଫଳତାର କାହାଣୀ ବଖାଣିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଏହାସହ ବିଜେଡିର ଉତ୍ତରାଧିକାରୀ କିଏ ହେବ ତାହା ଉପରୁ ପରଦା ହଟାଇଛନ୍ତି ନବୀନ । ଗତ କିଛି ଦିନ ହେବ ବିଜେଡିର ଉତ୍ତରାଧିକାର କିଏ ହେବ ତାହାକୁ ନେଇ ରାଜ୍ୟରେ ଜୋରଦାର ଚର୍ଚ୍ଚା ହେଉଥିଲା । ଏପରିକି ମୁଖ୍ୟମନ୍ତ୍ରୀଙ୍କ ପୁତୁରା ଅରୁଣ ପଟ୍ଟନାୟକଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା । ସାକ୍ଷାତକାରରେ ଉତ୍ତରାଧିକାରୀ ପ୍ରସଙ୍ଗରେ ମୁହଁ ଖୋଲିବା ସହ ନବୀନ କହିଛନ୍ତି, ବିଜେଡିର ଉତ୍ତରାଧିକାରୀ କିଏ ହେବ ତାହା ଏଯାଏଁ ସ୍ଥିର କରିନାହିଁ । ଉତ୍ତରାଧିକାରୀ କିଏ ହେବ ତାହା ଲୋକେ ବାଛିବେ । ତେବେ ଉତ୍ତରାଧିକାରୀ ବିଜେଡିରୁ ହିଁ ହେବ ଏକଥା ସ୍ପଷ୍ଟ କରିଛନ୍ତି ନବୀନ ।

ଏହାସହ ବିଜେଡି ୨୦୨୪ରେ ମଧ୍ୟ ଷଷ୍ଠ ଥର ପାଇଁ ଶାସନ କ୍ଷମତାକୁ ଆସିବ ବୋଲି ସେ ଆଶାବାଦୀ ଥିବା କହିଛନ୍ତି ନବୀନ । ଏହାଛଡା ଚଳିତ ନିର୍ବାଚନରେ ପୂରା ଦେଶରେ ମୋଦି ହାୱା ଚାଲୁଥିବା ବେଳେ ଓଡିଶାରେ କାହିଁକି ଏହାର ପ୍ରଭାବ ପଡିଲା ନାହିଁ ତାହାର କାରଣ ମଧ୍ୟ ଦର୍ଶାଇଛନ୍ତି ନବୀନ । ବିଜେଡି ସରକାର ଜନକଲ୍ୟାଣମୂଳକ ଓ ବିକାଶ ମୂଳକ କାର୍ଯ୍ୟ ଉପରେ ଫୋକସ କରୁଥିବାରୁ ରାଜ୍ୟବାସୀ ପଞ୍ଚମଥର ପାଇଁ ବିଜେଡି ହାତରେ ଶାସନ କ୍ଷମତା ଦେଲେ ବୋଲି କହିଛନ୍ତି ନବୀନ । ଆଉ ବିଜେଡିର ଏହି ବଡ ବିଜୟର ଶ୍ରେୟ ମହିଳା ମାନଙ୍କୁ ଦେଇଛନ୍ତି ନବୀନ ।

ଏହାଛଡା ଏକଦା ଜାତୀୟସ୍ତରରେ ବିଜେଡିର ପ୍ରତିନିଧିତ୍ୱ କରୁଥିବା ନେତା ଏବେ ବିଜେଡିର ହାତ ଛାଡି ଦେଇଥିବାରୁ ଏହାର ପ୍ରଭାବ ଦଳ ଉପରେ ପଡିବ କି ନାହିଁ ପ୍ରଶ୍ନର ଉତ୍ତର ଦେଇ ନବୀନ କହିଛନ୍ତି, କିଛି ନେତାଙ୍କୁ ଦଳ ନିଲମ୍ବିତ କରିଛି ଓ କିଛି ନେତା ଟିକେଟ ନ ପାଇ ଦଳ ଛାଡିଛନ୍ତି । ତେଣୁ ଏହାର ପ୍ରଭାବ ଦଳ ଉପରେ ପଡିବ ନାହିଁ । ତେବେ ଚଳିତ ନିର୍ବାଚନରେ ବିଜେପି କଡା ଫାଇଟ ଦେଇଥିବା କହିଛନ୍ତି ନବୀନ । କଂଗ୍ରେସର ବିପର୍ଯ୍ୟୟ ପାଇଁ ରାଜ୍ୟରେ ବିଜେପି ଭଲ ପ୍ରଦର୍ଶନ କଲା ବୋଲି ନବୀନ କହିଛନ୍ତି । ତେବେ କଂଗ୍ରେସକୁ ପୁଣିଥରେ ଶାସନ କ୍ଷମତାକୁ ଫେରିବାକୁ ହେଲେ କଠିନ ପରିଶ୍ରମ କରିବାକୁ ପଡିବ ।

ଚଳିତ ନିର୍ବାଚନରେ ମୋଦି ମ୍ୟାଜିକ ସତ୍ତେ୍ୱ ମଧ୍ୟ ରାଜ୍ୟରେ ବିଜେଡିର ୨ ପ୍ରତିଶତ ଭୋଟ ବଢିଛି । ଯାହା ଦର୍ଶାଉଛି ଭୋଟରଙ୍କ ଭରସା ବିଜେଡି ସହ ରହିଛି । ଏହାସହ କେନ୍ଦ୍ରରେ ବିଜେପିର ବିପୁଳ ବିଜୟ ପାଇଁ ନରେନ୍ଦ୍ର ମୋଦିଙ୍କୁ ଶୁଭକାମନା ଜଣାଇଛନ୍ତି ନବୀନ । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟ ରକ୍ଷା କରି ଓଡିଶାକୁ ବିକାଶ ପଥରେ ଆଗେଇ ନିଆଯିବ ବୋଲି ନବୀନ କହିଛନ୍ତି ।