କନକ ବ୍ୟୁରୋ: ତାଲାବନ୍ଦ କଟକଣା କୋହଳ ସୁଯୋଗରେ ରାଜ୍ୟ ସରକାରଙ୍କ ମଦ ଦୋକାନ ଖୋଲିବା ନିଷ୍ପତ୍ତିକୁ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ତୀବ୍ର ସମାଲୋଚନା କରିଛନ୍ତି। ମଦ ପିଇଲେ କରୋନା ରୋଗ ପାଇଁ ଶରୀରର ରୋଗ ପ୍ରତିରୋଧ ଶକ୍ତି ବଢ଼ିବ ନା କମିବ? କାହା ଚାପରେ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି? ସରକାର ତୁରନ୍ତ ଏହି ନିଷ୍ପତ୍ତି ପ୍ରତ୍ୟାହାର କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ନିବେଦନ କରିଛନ୍ତି।

Advertisment

ଶ୍ରୀ ପଟ୍ଟନାୟକ କହିଥିଲେ, ସରକାର ନିଷ୍ପତ୍ତି ନେଇଥିଲେ, ତାକୁ ଏ ପର୍ଯ୍ୟନ୍ତ ଲୋକେ ପାଳନ କରିଆସୁଛନ୍ତି। ଆଗକୁ ମଧ୍ୟ ଶୃଙ୍ଖଳାର ସହ ପାଳନ କରିବେ। ବଡ଼ ଦୁଃଖ ଓ ଆଶ୍ଚର୍ଯ୍ୟର କଥା, ଏହି ଘଡ଼ିସନ୍ଧି ବେଳରେ ସରକାର ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି। ନିଶା ସେବନ ଦ୍ବାରା ଶରୀରର ଅଙ୍ଗ ପ୍ରତ୍ୟଙ୍ଗକୁ କ୍ଷତି ହୁଏ ସିନା ଲାଭ ହୁଏ ନାହିଁ। ଓଡ଼ିଶାର ରାଜସ୍ବ ବୃଦ୍ଧି ନା କିଛି ଲୋକଙ୍କ ଚାପ ନା ସାଧାରଣ ଲୋକମାନେ ଏଥିପାଇଁ ସରକାରଙ୍କୁ ଦାବି ଜଣାଇଥିଲେ, ତାକୁ ସରକାର ସ୍ପଷ୍ଟ କରିବା ଦରକାର। ଏମିତିରେ ବି ରାଜ୍ୟ ସରକାର ଚାଆ ଦୋକାନକୁ ଅନୁମତି ଦେଉନଥିବା ବେଳେ ମଦ ଦୋକାନ ଖୋଲିବାକୁ କିଭଳି ଅନୁମତି ଦିଆଗଲା ବୋଲି ପ୍ରଶ୍ନ ଉଠାଇଛନ୍ତି।

publive-image

ତାଲାବନ୍ଦ ସମୟରେ ଚୋରା ମଦ କାରବାର ଯେପରି ମାତ୍ରାରେ ବଢ଼ି ଚାଲିଛି, ସେସବୁକୁ ସରକାର ନିୟନ୍ତ୍ରଣ କରିପାରିନାହାନ୍ତି। କୋଭିଡ୍-୧୯ ମହାମାରୀର ପ୍ରକୋପ ଜାରି ଥିବାବେଳେ ସରକାର ଏପରି ନିଷ୍ପତ୍ତି ନେବା ଉପଯୁକ୍ତ ସମୟ ନୁହେଁ। ଏହାକରି ଲୋକଙ୍କୁ ଆହୁରି ବିପଦ ମୁହଁକୁ ସରକାର ଠେଲି ଦେଉଛନ୍ତି ବୋଲି ସେ ଅଭିଯୋଗ କରିଥିଲେ।