କନକ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲାରେ କରନା ସଂକ୍ରମଣ ବଢି ଚାଲିଥିବା ବେଳେ ଲୋକେ ପର୍ବ ପର୍ବାଣୀ ଓ ଯାନିଯାତ୍ରାରେ ମାତିଛନ୍ତି । ଶହ ଶହ ଲୋକ ଏକାଠି ହୋଇ କୋଭିଡ ନିୟମକୁ ଉଲ୍ଲଙ୍ଘନ କରିବାରେ ଲାଗିଛନ୍ତି । ଜିଲ୍ଲାର କୋଷାଗୁମୁଡ଼ା ବ୍ଲକ କର୍ଚାମାଲ ଗାଁରେ ସରକାରଙ୍କ କୋଭିଡ଼ କଟକଣା ସତ୍ୱେ, ପାଳନ ହେଉଛି ଗଣପର୍ବ ବାଲିଯାତ୍ରା । ନାଚ ଗୀତର ଆସର ଜମିଛି ।
ଏବେ ଭୟାଭୟ କରୋନା ସ୍ଥିତିରେ ଏଭଳି ପର୍ବପର୍ବାଣୀ ଆୟୋଜନ ନକରିବା ପାଇଁ ନିର୍ଦ୍ଦେଶ ଥିଲେ ମଧ୍ୟ ସମସ୍ତ କଟକଣାକୁ ଅଣଦେଖା କରୁଛନ୍ତି ଗାଁଲୋକ । ଗତକାଲି କୋଷାଗୁମୁଡ଼ା ବ୍ଲକ କର୍ଚାମାଲରେ ଅମାନିଆଙ୍କ ଏଭଳି ବେପରୁଆ ମନୋଭାବ ଦେଖିବାକୁ ମିଳିଛି । ପାରମ୍ପରିକ ନାଚଗୀତରେ ମସଗୁଲ ହେବା ସହ କୌଣସି ଲୋକ ମାସ୍କ ପିନ୍ଧିନାହାନ୍ତି କିମ୍ବା ସମାଜିକ ଦୂରତା ରଖୁନାହାନ୍ତି । କଟକଣାକୁ ଅମାନ୍ୟ କରି ବାଲିଯାତ୍ରା ପାଳନ କରିବା ସହିତ ପ୍ରଶାସନିକ କଟକାଣାକୁ ଏକ ପ୍ରକାର ଚ୍ୟାଲେଞ୍ଜ କରିଛନ୍ତି ଗ୍ରାମବାସୀ ।
ତେବେ ଏତେ ସଂଖ୍ୟକ ଲୋକ ଜମା ହେବା ସହିତ ପ୍ରଶାସନ କେମିତି ଏହା ଜାଣି ପାରିଲା ନାହିଁ ତାହା ସବୁଠାରୁ ବଡ଼ ପ୍ରଶ୍ନବାଚୀ ହୋଇଛି । ଭିଡିଓ ଭାଇରାଲ ହେବା ପରେ କୋଡ଼ିଙ୍ଗା ତହସିଲଦାର ଶିବପ୍ରସାଦ ପଟ୍ଟନାୟକ, କୋଡ଼ିଙ୍ଗା ଥାନା ଅଧିକାରୀ ସରିତା ମହାପାତ୍ର ଗାଁରେ ପହଁଚିଥିଲେ। ନିୟମକୁ ଉଲ୍ଲଘନ କରିଥିବାରୁ ଯାତ୍ରା କମିଟି ଠାରୁ ୧୦ ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି ।