ତାଲାବନ୍ଦ ହଟିବା ପରେ ଖାଁ ଖାଁ ରେଷ୍ଟୁରାଣ୍ଟ । କରୋନା ଭୟରେ ଖାଇବାକୁ ଆସୁନହାନ୍ତି ଲୋକେ । ଜାତୀୟ ରେଷ୍ଟୁରାଣ୍ଟ ସଂଘ କହିଲା, କରୋନା ପାଇଁ ୫ ଲକ୍ଷ ସଦସ୍ୟ ସହିବେ ୮୦ ହଜାର କୋଟି ଟଙ୍କାର କ୍ଷତି

305

କନକ ବ୍ୟୁରୋ : ତାଲାବନ୍ଦ ହଟିବା ପରେ ହୋଟେଲ ରେଷ୍ଟୁରାଣ୍ଟ ଖୋଲିଛି । ହେଲେ ହୋଟେଲ ରେଷ୍ଟୁରାଣ୍ଟ ଖାଲି ଖାଲି ପଡୁଛି । କରୋନା ଭୟରେ ଲୋକେ ଖାଇବାକୁ ଆସୁ ନାହାନ୍ତି । ଏମିତି ଦୃଶ୍ୟ ଓଡିଶାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି । ଅନ୍ୟପଟେ ବେପାର ମାନ୍ଦା ପଡୁଥିବାରୁ ହୋଟେଲ, ରେଷ୍ଟୁରାଣ୍ଟ ଉପରେ ନିର୍ଭରଶୀଳ ବହୁ କର୍ମଚାରୀ ରୋଜଗାର ହରାଇଛନ୍ତି ।

ଯଦି ଆପଣ ଭାବୁଥିବେ ଲକଡାଉନ ହଟିଯିବା ପରେ ସବୁ ଠିକଠାକ ହୋଇଯିବ, ତାହାଲେ ଆପଣ ଭୁଲ ଭାବୁଛନ୍ତି । ବିଶେଷ କରି ହୋଟେଲ ଓ ରେଷ୍ଟୁରାଣ୍ଟ ବ୍ୟବସାୟକୁ ଏତେ ବଡ ଧକ୍କା ଲାଗିବ, ବୋଧହୁଏ କେହି ଚିନ୍ତା କରିନଥିବେ । ଆମେ ଏକ ରେଷ୍ଟୁରାଂଟରେ କଥା କହୁଛୁ ଯେଉଁଠି ଆଗରୁ ପ୍ରବଳ ଭିଡ ଜମୁଥିଲା ।

ଜାତୀୟ ରେଷ୍ଟୁରାଣ୍ଟ ସଂଘ ଏକ ପ୍ରେସରିଲିଜ ଜରିଆରେ କହିଛି, ଯେ ସଂଘର ପ୍ରାୟ ୫ ଲକ୍ଷ ସଦସ୍ୟ କରୋନା ପାଇଁ ୮୦ ହଜାର କୋଟି ଟଙ୍କାର କ୍ଷତି ସହିବେ । ଆମ ଦେଶରେ ପ୍ରାୟ ୯୦ ପ୍ରତିଶତ ରେଷ୍ଟୁରାଣ୍ଟ ଲିଜରେ ଅର୍ଥାତ ଘର ଭଡା ନେଇ ଚଳିଥାଏ । ଅର୍ଥାତ ୧୫ରୁ ୨୦ ପ୍ରତିଶତ ରୋଜଗାର କେବଳ ଭଡାରେ ଚାଲିଯାଏ ।

ଓଡିଶାରେ ବହୁ କମ ସଂଖ୍ୟାରେ ରେଷ୍ଟୁରାଣ୍ଟ ନିଜ ମାଲିକାନା ଥିବା ବିଲଡିଂରେ ଚାଲିଥାଏ । ଲକଡାଉନ ଖୋଲିଯିବା ପରେ ବି ବ୍ୟବସାୟ ୩୦ପ୍ରତିଶତକୁ ମଧ୍ୟ ପହଂଚି ପାରୁନାହିଁ ।