କନକ ବ୍ୟୁରୋ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଗର୍ଭଗୃହ ଭିତରକୁ ଏଣିକି ସର୍ବସାଧାରଣ ବା ଭକ୍ତ ଆଉ ପ୍ରବେଶ କରିପାରିବେ ନାହିଁ । ଶ୍ରୀମନ୍ଦିର ସଂପର୍କିତ ମାମଲା ଶୁଣାଣି ବେଳେ ଗତକାଲି ଏଭଳି କଟକଣା ଜାରି କରିଛନ୍ତି ଓଡ଼ିଶା ହାଇକୋର୍ଟ। ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍. ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇ କହିଛନ୍ତି, ନିର୍ଦିଷ୍ଟ ଦିବସରେ କେବଳ ସେବାପୂଜା ଓ ନୀତି ସହିତ ଜଡ଼ିତ ବ୍ୟକ୍ତିବିଶେଷଙ୍କୁ ଗର୍ଭଗୃହ ଭିତରକୁ ଯିବାକୁ ଅନୁମତି ଦିଆଯିବ। ଏ ନେଇ ପୂର୍ବରୁ ଜଷ୍ଟିସ୍ ବିମଳ ପ୍ରସାଦ ଦାସଙ୍କୁ ନେଇ ଗଠିତ ଶ୍ରୀମନ୍ଦିର ସଂସ୍କାର କମିସନ ପ୍ରସ୍ତାବ ଦେଇଥିଲେ। କମିସନଙ୍କ ଏପରି ରିପୋର୍ଟକୁ ସରକାର ଅନୁମୋଦନ କରିବା ସହିତ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ସତ୍ୟପାଠ ଜରିଆରେ ଏହାକୁ ସ୍ୱୀକୃତି ଦେଇଥିବାରୁ କୋର୍ଟ ଏହାକୁ ଗ୍ରହଣ କରୁଥିବା ଗତକାଲି ଖଣ୍ଡପୀଠ କହିଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବର୍ତ୍ତମାନ ସାହାଣ ମେଲା ଓ ପରମାଣିକ ଦର୍ଶନ ବ୍ୟବସ୍ଥା ଅନୁଷ୍ଠିତ ହେବା ନେଇ ସନ୍ଦେହ ଦେଖା ଦେଇଛି ।
ଅନ୍ୟପକ୍ଷରେ ଏପ୍ରିଲ ୧୬ ତାରିଖ ବା ତା ପୂର୍ବରୁ ପୁରୀ ଶ୍ରୀମନ୍ଦିରର ଜଗମୋହନ ସାଧାରଣ ଭକ୍ତଙ୍କ ପାଇଁ ଖୋଲିବାକୁ କୋର୍ଟ ତାଙ୍କ ରାୟରେ କହିଛନ୍ତି । ଏହାକୁ କାର୍ଯ୍ୟକାରୀ କରିବାରେ ଯେମିତି କୌଣସି ସମସ୍ୟା ସୃଷ୍ଟି ନହୁଏ, ତାହାକୁ ନିଶ୍ଚିତ କରିବା ଲାଗି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପୁରୀ ଜିଲ୍ଲାପାଳଙ୍କୁ ଦାୟିତ୍ୱ ଦିଆଯାଇଛି। ଅର୍ଥାତ୍ ସମସ୍ତ ରୀତିନୀତି ପାଳନ ସହିତ ଏପ୍ରିଲ ୧୬ ତାରିଖ ସୁଦ୍ଧା ଜଗମୋହନ ଖୋଲିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ଗ୍ରହଣ କରିବ ଏବଂ ଏପ୍ରିଲ ୧୯ ତାରିଖରେ ହେବାକୁ ଥିବା ପରବର୍ତ୍ତୀ ଶୁଣାଣି ସମୟରେ ଏ ସଂପର୍କରେ ସତ୍ୟପାଠ ଦାଖଲ କରିବ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
ଗତକାଲି ଦିନ ପ୍ରାୟ ୧୧ଟା ୩୦ରେ ମାମଲାର ଶୁଣାଣି ସମୟରେ ଶ୍ରୀମନ୍ଦିର ପ୍ରଶାସକ(ନୀତି) ପ୍ରଦୀପ କୁମାର ଦାଶଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଦର୍ଶାଯାଇଥିଲା ଯେ ଜୟବିଜୟ ଦ୍ୱାର ଅବସ୍ଥା ଚିନ୍ତାଜନକ ସ୍ଥିତିରେ ରହିଛି । ଏହାର ତୁରନ୍ତ ମରାମତି କରାଯିବା ଆବଶ୍ୟକ। ୨୦୧୮, ଫେବ୍ରୁଆରି ୨୨ରେ ଏଏସଆଇ କୋର୍ କମିଟି ଅନୁଧ୍ୟାନ କରି ଜୟବିଜୟ ଦ୍ୱାରର ମରାମତି ତୁରନ୍ତ ଆବଶ୍ୟକ ବୋଲି କହିଥିଲେ। ଜଗମୋହନ ଭିତରକୁ ଭକ୍ତଙ୍କ ପ୍ରବେଶ ପାଇଁ ଜୟବିଜୟ ଦ୍ୱାର ଏକ ମାତ୍ର ପ୍ରବେଶ ପଥ। ଜୟବିଜୟ ଦ୍ୱାର ଦେଇ ଭକ୍ତମାନେ ପ୍ରବେଶ କରି ବେହେରଣ ଦ୍ୱାର ବାଟ ଦେଇ ଜଗମୋହନ ବାହାରକୁ ଯାଇ ପାରିବେ। କେବଳ ସେବକ ଓ ନୀତି ସହିତ ଜଡିତ ବ୍ୟକ୍ତିବିଶେଷ ବେହେରଣ ଦ୍ୱାର ଦେଇ ଜଗମୋହନକୁ ପ୍ରବେଶ କରି ପାରିବେ। ବେହେରଣ ଦ୍ୱାର ଦେଇ ଭକ୍ତଙ୍କ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରାଯାଇ ପାରିବ ନାହିଁ। କାରଣ ଏହା ଦ୍ୱାରା ନୀତି ସଂପାଦନରେ ବିଳମ୍ବ ହେବ। ତେଣୁ ଭକ୍ତଙ୍କୁ ଜଗମୋହନ ଭିତରକୁ ପ୍ରବେଶ ପାଇଁ ଅନୁମତି ପ୍ରଦାନ ପୂର୍ବରୁ ଜୟବିଜୟ ଦ୍ୱାରର ମରାମତି ଆବଶ୍ୟକ। ଜୟବିଜୟ ଦ୍ୱାର ମରାମତି ପରେ ଜଗମୋହନ ଭିତରକୁ ଭକ୍ତଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯାଇ ପାରିବ ଏବଂ ନାଟମଣ୍ଡପ ସଂରକ୍ଷଣ ଓ ମରାମତି ପାଇଁ ପ୍ରଶାସନ ସୁବିଧା ଯୋଗାଇ ଦେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ପ୍ରଶାସନ ଏକଥା ବି ଦର୍ଶାଇଥିଲା, ଚଳିତବର୍ଷ ରଥଯାତ୍ରା ସଂପର୍କିତ ନୀତି ଏପ୍ରିଲ ୧୮ ତାରିଖ ଅକ୍ଷୟ ତୃତୀୟା ଦିନରୁ ଆରମ୍ଭ ହେଉଥିବା ବେଳେ ନୀଳାଦ୍ରିବିଜେ ଜୁଲାଇ ୨୫ରେ ଅନୁଷ୍ଠିତ ହେବ। ଏହି ସମୟ ଭିତରେ ଜଗମୋହନ ଖୋଲିଲେ ନୀତି ସଂପାଦନରେ ଅହେତୁକ ବିଳମ୍ବ ହେବ।
ଶ୍ରୀମନ୍ଦିରର ଜରୁରି ମରାମତି ପାଇଁ ୨୦୧୬, ଜାନୁଆରି ୧୩ରୁ ଭକ୍ତମାନେ ଜଗମୋହନ ବାହରୁ ଦର୍ଶନ କରି ଆସୁଛନ୍ତି। ଦୁଇ ବର୍ଷରୁ ଅଧିକ ହେବ ବ୍ୟବସ୍ଥିତ ଢଙ୍ଗରେ ଭକ୍ତମାନେ ଶ୍ରୀଜିଉଙ୍କ ଦର୍ଶନ କରି ପାରୁଛନ୍ତି। ଏପରି ବ୍ୟବସ୍ଥା ନୀଳାଦ୍ରିବିଜେ ପର୍ଯ୍ୟନ୍ତ ଚାଲିଲେ ଭକ୍ତ ମାନଙ୍କର କୌଣସି ଅସୁବିଧା ହେବ ନାହିଁ ଓ ସମସ୍ତ ନୀତି ସମୟରେ ସଂପାଦିତ ହୋଇ ପାରିବ। ଏଣୁ ଅଗଷ୍ଟ ୧ରେ ଜଗମୋହନ ଖୋଲିବା ପାଇଁ ଅନୁମତି ପ୍ରଦାନ ଲାଗି ହାଇକୋର୍ଟଙ୍କୁ ଅନୁରୋଧ କରିବା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଛି ବୋଲି ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା। ତେବେ ଏଏସଆଇ ଜଗମୋହନ ମରାମତି ସାରି ଏହାକୁ ମାର୍ଚ୍ଚ ଶେଷ ସୁଦ୍ଧା ଖୋଲିବା ପାଇଁ ସତ୍ୟପାଠ ଦାଖଲ କରି ସାରିଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ଏଥିରେ ବିଳମ୍ବ ପାଇଁ ଉଦ୍ୟମ କରୁଥିବାରୁ ଖଣ୍ଡପୀଠ ବିରକ୍ତି ପ୍ରକାଶ କରିଥିଲେ। ମଧ୍ୟାହ୍ନ ୨ଟାରେ ମାମଲାର ଶୁଣାଣି ସମୟରେ ସତ୍ୟପାଠ ଦାଖଲ କରିଥିବା ନୀତି ପ୍ରଶାସକ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିବା ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ। ଶୁଣାଣି ସମୟରେ ପ୍ରଶାସକ(ନୀତି) ଶ୍ରୀ ଦାଶ ବ୍ୟକ୍ତିଗତ ଭାବେ ଉପସ୍ଥିତ ହୋଇ ପକ୍ଷ ରଖିଥିଲେ। କିନ୍ତୁ ଜଗମୋହନ ଖୋଲିବା ସଂପର୍କରେ କୌଣସି ସନ୍ତୋଷଜନକ ଉତ୍ତର ରଖି ପାରି ନଥିଲେ। ଏପରି ପରିସ୍ଥିତିରେ ଏପ୍ରିଲ ୧୬ ସୁଦ୍ଧା ଜଗମୋହନ ଖୋଲିବା ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/03/7-9.jpg)