ଦିଗପହଣ୍ଡିରେ ଅଭାବନୀୟ ଘଟଣା । ବାଇକକୁ ପିଟିଲା ମାଟି ବୋଝେଇ ଟ୍ରିପର, ଜଣେ ମୃତ । ଡ୍ରାଇଭରକୁ ପିଟି ପିଟି ମାରିଦେଲେ ଲୋକେ ।

404

କନକ ବ୍ୟୁରୋ: ଦୁର୍ଘଟଣା ଘଟାଇଥିବା ଡ୍ରାଇଭରକୁ ପିଟି ପିଟି ମାରିଦେଲେ ଉତ୍ତ୍ୟକ୍ତ ଲୋକେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦିଗପହଣ୍ଡି ଅଂଚଳରେ । ରାମଚନ୍ଦ୍ରପୁରରୁ ମାଟି ବୋଝେଇ ଟ୍ରିପର ଦ୍ରୁତଗତିରେ ଆସି  ପାଟପୁର ଡେଙ୍ଗାଡି ରେଂଗୁଣୀ ଛକରେ ବାଇକକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିଲା । ମୃତ ଯୁବକ ଜଣକ ଆଡପଡାର କାହ୍ନୁଚରଣ ଜେନା ବୋଲି ଜଣାପଡିଛି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ନିଶାଶକ୍ତ ଡ୍ରାଇଭରକୁ ଲୋକେ ନିସ୍ତୁକ ମାଡ ମାରିଥିଲେ । ଖବର ପାଇ ଘଟଣାସ୍ଥଳରେ  ପାଟପୁର ପୁଲିସ ପହଂଚି ଡ୍ରାଇଭରକୁ ଉଦ୍ଧାର କରି ନେଇଥିବା ବେଳେ କିଛି ବ୍ୟକ୍ତି ପୁଣି ଥରେ ତାକୁ ଭିଡିଆଣି ଆହୁରି ମାଡ ମାରିଥିଲେ ।

ଘଟଣାସ୍ଥଳରେ ହିଂଜିଲି, ସେରଗଡ ଓ ପାଟପୁର ପୁଲିସ ମିଳିତ ଭାବେ ଗୁରୁତର ଅବସ୍ଥାରେ ଡ୍ରାଇଭରକୁ ଉଦ୍ଧାର କରି ପାଟପୁର ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏପଟେ ହିଂଜିଳି–ଜଗନ୍ନାଥପୁର ରାସ୍ତା ବର୍ତମାନ ସୁଦ୍ଧା ଅବରୋଧ କରି ରଖିଛନ୍ତି ଲୋକେ । ସ୍ଥାନୀୟ ଅଂଚଳରେ ମାଟି, ମୋରମର ଚୋରା ଚାଲାଣ ହେଉଥିବା ବେଳେ ବହୁ ସମୟରେ ଦୁର୍ଘଟଣା ଘଟିଥାଏ । ତେଣୁ ଏହାକୁ ବିରୋଧ କରି ଆନ୍ଦୋଳନରେ ଓହ୍ଲାଇଛନ୍ତି ସ୍ଥାନୀୟ ଲୋକେ । ତେବେ ଲୋକେ ଆଇନକୁ ନିଜ ହାତରେ ନେବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି ।