ବନବିଭାଗ ଅଫିସ ଓ ଡ଼ାକବଙ୍ଗଳା ମୁଖ୍ୟ ରାସ୍ତାରେ ତାରବାଡ଼ କରି ତାଲା ମାରିଲେ ସ୍ଥାନୀୟ ବ୍ୟକ୍ତି । ଥାନାର ଦ୍ୱାରସ୍ଥ ହେଲା ବନ ବିଭାଗ ।

84

କନକ ବ୍ୟୁରୋ : ବନବିଭାଗ ଅଫିସ ଓ ଡ଼ାକବଙ୍ଗଳା ମୁଖ୍ୟ ରାସ୍ତାରେ ତାରବାଡ଼ କରି ତାଲା ମାରିଲେ ସ୍ଥାନୀୟ ବକ୍ତି । ଥାନାର ଦ୍ୱାରସ୍ଥ ହେଲା ବନ ବିଭାଗ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ବୁଗୁଡ଼ା ରେଞ୍ଜ ଅନ୍ତର୍ଗତ ପଂଚଭୁତି ସେକସନ୍ ଅଫିସର ମୁଖ୍ୟ ଫାଟକକୁ ସେହି ଗ୍ରାମର ଦୁର୍ଗା ପଣ୍ଡା ତାର ବାଡ଼ ଦେଇ ଅବରୋଧ କରିଛନ୍ତି । ଏହାସହ ଗେଟ୍ରେ ତାଲା ପକାଇ ରଖିଛନ୍ତି । ଫଳରେ କାର୍ଯ୍ୟାଳୟ ଓ ସରକାରୀ କ୍ୱାର୍ଟସକୁ ଗମନାଗମରେ ଅସୁବିଧା ହେଉଥିବା ଅଭିଯୋଗ କରି ଥାନାର ଦ୍ୱାରସ୍ଥ ହୋଇଛି ବନବିଭାଗ ।

ଇଂରେଜ ଅମଳରୁ ପଞ୍ଚଭୂତି ଠାରେ ଜଙ୍ଗଲ ବିଭାଗ ନାଁରେ ଥିବା ଜାଗାରେ ଡ଼ାକବଙ୍ଗଳା ଓ କାର୍ଯ୍ୟାଳୟ ନିର୍ମାଣ ହୋଇଛି, କିନ୍ତୁ ବଙ୍ଗଳାରୁ ମୁଖ୍ୟରାସ୍ତାକୁ ସଂଯୋଗ ପାଇଁ ରାସ୍ତା ନାହିଁ । ତେଣୁ ସେ ସମୟରେ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ଏକ ଜାଗାକୁ ବନବିଭାଗକୁ ଦାନ ଆକାରରେ ଦେଇଥିଲେ ଜଣେ ଇନାମ ଧାରି ଜମି ମାଲିକ । ସେବେଠାରୁ ଜଙ୍ଗଲ ବିଭାଗର କର୍ମଚାରୀ ସେହି ରାସ୍ତା ଦେଇ ଯାତାୟତ କରୁଥିଲେ । ହେଲେ ଏବେ ସେ ଜାଗାକୁ ନିଜର ବୋଲି ଦାବି କରି ଗେଟରେ ତାଲା ପକାଇ ଦେଇଛନ୍ତି ସ୍ଥାନୀୟ ଅଂଚଳର ଜଣେ ବ୍ୟକ୍ତି ଦୁର୍ଗା ପଣ୍ଡା ।

ବନବିଭାଗକୁ ଦାନ ସୁତ୍ରରେ ମିଳିଥିବା ଜମିକୁ ମୋଟା ଅଙ୍କରେ ବିକାକିଣା କରାଯାଇଛି । ୨୦୧୮-୨୦୧୯ରେ ସେହି ଜାଗାର ପଟା ଦୁର୍ଗା ପଣ୍ଡାଙ୍କ ନାମରେ କରାଯାଇଛି । ସେହି ପଟା ଆଧାରରେ ଦୁର୍ଗା ପଣ୍ଡା ଫରେଷ୍ଟ ବଙ୍ଗଳାର ମୁଖ୍ୟ ଗେଟରେ ତାଲା ପକାଇ, ପୁରା ଅଫିସକୁ ଅଚଳ କରି ଦେଇଛନ୍ତି । ବନବିଭାଗ ଏନେଇ ଜଗନ୍ନାଥ ପ୍ରସାଦ ଥାନାର ଦ୍ୱାରସ୍ଥ ହୋଇଛି । ତେବେ ଡ଼ାକବଙ୍ଗଳା ରାସ୍ତା କିପରି ଜଣେ ବ୍ୟକ୍ତିଙ୍କ ନାଁରେ ହେଲା ତାହାର ଖୋଳତାଡ଼ କରୁଛି ପୁଲିସ । ସ୍ଥାନୀୟ ଲୋକେ ସରକାରଙ୍କ ସମ୍ପତି ସୁରକ୍ଷା ପାଇଁ ଆଗେଇ ଆସି ତାରବାଡ଼ ହଟାଇବାକୁ ଉଦ୍ୟମ କରିଛନ୍ତି ।