ବିଧାୟକଙ୍କ ଗାଁରେ ଲୋକେ ଟିକା ନେବାକୁ ଅମଙ୍ଗ : ଗୁଜବ ଯୋଗୁଁ ଟିକା ନେଉନାହାନ୍ତି ଲୋକେ; ମନରୁ ଭୟ ଦୂର କରି ଟିକା ନେବାକୁ ଅନୁରୋଧ କଲେ ମନୋହର ରାନ୍ଧାରୀ

Advertisment
ବିଧାୟକଙ୍କ ଗାଁରେ ଲୋକେ ଟିକା ନେବାକୁ ଅମଙ୍ଗ : ଗୁଜବ ଯୋଗୁଁ ଟିକା ନେଉନାହାନ୍ତି ଲୋକେ; ମନରୁ ଭୟ ଦୂର କରି ଟିକା ନେବାକୁ ଅନୁରୋଧ କଲେ ମନୋହର ରାନ୍ଧାରୀ

କନକ ବ୍ୟୁରୋ : ଟିକା ନେଉନାହାନ୍ତି ବିଧାୟକଙ୍କ ପୈତୃକ ଗାଁର ଲୋକେ । ଏଭଳି ଚିତ୍ର ଆସିଛି ଡାବୁଗାଁ ବିଧାୟକ ମନୋହର ରାନ୍ଧାରୀଙ୍କ ଗାଁରେ । ଶରୀରରେ କୁପ୍ରଭାବ ପକାଉଥିବା ଗୁଜବ ସୃଷ୍ଟି ହେବାପରେ ଟିକା ନେବାକୁ ରାଜି ହେଉ ନାହାନ୍ତି ଲୋକ । ନବରଙ୍ଗପୁର ସହର ଠାରୁ ଅଳ୍ପ ଦୂରରେ ରହିଥିବା ତଥା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କ ନିଜ ଗାଁ ଭାଟିଗାଁରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି। ଯାହାଫଳରେ ଏହି ଗାଁରେ ଟିକାକରଣ ହାର ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି  ବଡ଼ମସିଗାଁ ପଞ୍ଚାୟତ ଅନ୍ତର୍ଗତ ଉପରୋକ୍ତ ଗାଁରେ ମୋଟ ଜନସଂଖ୍ୟା ୩୫୦୦ ହେବ ।

ଏପ୍ରିଲ ପହିଲାରୁ ଏହି ଗାଁରେ ଟିକାକରଣ ଅଭିଯାନ ଆରମ୍ଭ ହୋଇ ୬୦ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କୁ ପ୍ରଥମ ପର୍ଯ୍ୟାୟରେ ଟିକା ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ଟିକାକରଣ ନିମନ୍ତେ ସରକାର ବୟସ ସୀମା କୋହଳ କହି ୪୫ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କୁ ବି ମାଗଣା ଟିକା ଦେବାକୁ ଘୋଷଣା କରିଥିଲେ। କିନ୍ତୁ ଗତ ଅଢ଼େଇ ମାସରେ ଏହି ଗାଁରୁ ମାତ୍ର ୬୭ଜଣ ଟିକା ନେଇଛନ୍ତି । ସେଥିରୁ ଏପ୍ରିଲ ମାସରେ ୬୦ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ୬୦ଜଣ ଟିକା ନେଇଥିଲେ ।

ଏହାପରେ ଚଳିତ ମାସ ଏହି ଗାଁକୁ ୬ଶହ ଡୋଜ୍ ଟିକା ଦିଆଯାଇଥିବା ବେଳେ ସେଥିରୁ ମାତ୍ର ୭ଜଣ ହିଁ ଟିକା ନେଇଛନ୍ତି । ତାହା ବି ପ୍ରଥମ ଡୋଜ୍ ଟିକା । ଭାଟିଗାଁ ସବ୍‌ସେଣ୍ଟରରେ ଟିକାଦାନ ବ୍ୟବସ୍ଥା କରାଯାଇଥିଲେ ବି ଲୋକେ ଆଦୌ ଆଗ୍ରହ ପ୍ରକାଶ କରୁନାହାନ୍ତି। ଯାହାକି ଏବେ ପ୍ରଶାସନକୁ ଚିନ୍ତାରେ ପକାଇଛି । ଲୋକଙ୍କ କହିବା କଥା ହେଲା ଟିକା ନେଲେ ଜ୍ବର ହେଉଛି । ଏଭଳି ଭୟ କେବଳ ଏହି ଗୋଟିଏ ଗାଁରେ ନୁହେଁ ଝରିଗାଁ, ଉମରକୋଟ, ପାପଡାହାଣ୍ଡି ଆଦି ବ୍ଲକ୍ର‌ ସୀମାନ୍ତ ଓ ଦୁର୍ଗମ ଗ୍ରାମ ଗୁଡିକରେ ଦେଖିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe