ସୁନ୍ଦରଗଡ଼ ବଣାଇ ରେଞ୍ଜରେ ହାତୀ ଉପଦ୍ରବ ନେଇ ତାତିଲେ ଲୋକେ । କ୍ଷତିପୂରଣ ଦାବିରେ ରାସ୍ତାରୋକ ସହ ବନ ଅଧିକାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ ।

127

କନକ ବ୍ୟୁରୋ: ହାତୀ ଉପଦ୍ରବକୁ ନେଇ ତାତିଲେ ଗ୍ରାମବାସୀ । ହାତୀ ଆତଙ୍କ ଖେଳାଉଥିବାରୁ ବନବିଭାଗ କର୍ମଚାରୀଙ୍କୁ ରଖିଲେ ଅଟକ । ସୁନ୍ଦରଗଡ ଜିଲ୍ଲା ବଣାଇଁ ରେଞ୍ଜ ଜକେଇକଳା ଗାଁରୁ ଆସିଛି ଖବର ।

ଗତକାଲି ରାତି ରଙ୍ଗାମାଚିଆ ସାହିରେ ହାତୀ ପସି ଘର ଭାଙ୍ଗିବା ସହ ବ୍ୟାପକ କ୍ଷତି ଘଟାଇଛି । ଏହାକୁ ନେଇ ଆଜି ରାସ୍ତା ରୋକ କରିଛନ୍ତି ଗ୍ରାମବାସୀ । ଏହାସହ ଏସିଏଫ୍, ରେଂଜର, ଓ ବନ କର୍ମଚାରୀଙ୍କୁ ଅଟକ ରଖିଛନ୍ତି । ଆମ୍ବୁଲାନ୍ସ, ସ୍କୁଲ ଭ୍ୟାନ୍ ଭଳି ଜରୁରୀ ଗାଡିକୁ ବି ଛାଡି ନାହାଁନ୍ତି ଉତ୍ୟକ୍ତ ଗ୍ରାମବାସୀ । ଗତ କିଛି ଦିନ ହେବ ଏହି ଅଂଚଳରେ ଆତଙ୍କ ଖେଳାଇଛନ୍ତି ଦନ୍ତା । ଦୁଇ ଦିନ ତଳେ ଦୁଇଟି ଦନ୍ତା ହାତୀ ଗାଁରେ ପସି ଘରଦ୍ୱାର ଭାଙ୍ଗିଦେଇଥିଲେ । ଏହାର କ୍ଷତିପୂରଣ ଦାବି କରି ଉତ୍ୟକ୍ତ ଗ୍ରାମବାସୀ ଦୁଇ ଦିନ ତଳେ ବି ରେଂଜରଙ୍କୁ ଅଟକ ରଖି ରାସ୍ତା ରୋକ କରିଥିଲେ । ହେଲେ ପ୍ରତିଶ୍ରୁତି ସତ୍ୱେ ହାତୀ ଘଉଡାଇବାରେ ବନ ବିଭାଗ ସଠିକ୍ ପଦକ୍ଷେପ ନେଇ ନଥିବା ଅଭିଯୋଗ ହୋଇଛି । ହାତୀ ଘର ଦ୍ୱାର ଭାଙ୍ଗିବା ହ ଚାଷ ନଷ୍ଟ କରୁଛନ୍ତି । ଦୁଇ ଦନ୍ତାଙ୍କୁ ଅନ୍ୟତ୍ର ଘଉଡା ପାଇଁ ବନ ବିଭାଗ ଉଚିତ ପଦକ୍ଷେପ ନେଉ ନାହାଁନ୍ତି । ବନ ବିଭାଗ ଯଥାଶୀଘ୍ର ସ୍ଥାୟୀ ପ୍ରତିକାର ନକରିବା ପର୍ଯ୍ୟନ୍ତ ଏମିତି ରାସ୍ତା ଅବରୋଧ ରହିବ ବୋଲି ଗାଁଲୋକେ ଚେତାବନୀ ଦେଇଛନ୍ତି ।